ଗୁହାରି ଶୁଣିଲାନି ପ୍ରଶାସନ, କାଠ ପୋଲ ତିଆରି କଲେ ଗ୍ରାମବାସୀ

ଟିଟିଲାଗଡ଼ : ଗୁହାରି କରି ଥକି‌ଗଲେ। ତଥାପି ପ୍ରଶାସନ ଶୁଣିଲାନି। ଶେଷରେ ନିଜସ୍ଵ ଉଦ୍ୟମରେ କାଠପୋଲ ନିର୍ମାଣ କରିଛନ୍ତି ଟିଟିଲାଗଡ଼ ବ୍ଲକ୍‌ ମହୁଲପଡ଼ା ପଞ୍ଚାୟତ କୁଟୁରାକେନ୍ଦ ଗାଁର ଲୋକେ।

ପ୍ରକାଶ ଯେ, ବ୍ଲକ୍‌ର ଆଭ୍ୟନ୍ତରିଣ ଅଞ୍ଚଳର ଘଞ୍ଚ ଜଙ୍ଗଲରେ ରହିଛି ଏହି ଗାଁ। ଭଲ ରାସ୍ତା ନଥିବାରୁ ଆବୁଡ଼ା ଖାବୁଡ଼ା ରାସ୍ତା ଦେଇ ଯିବାକୁ ହୁଏ। ପୁଣି ଏହି ରାସ୍ତାରେ ରହିଛି ତିନୋଟି ନାଳ। ବର୍ଷାଦିନ ଆସିଲେ କୁଟୁରାକେନ୍ଦ ଗ୍ରାମବାସୀଙ୍କ ଦୁଃଖ ବଢ଼ିଯାଏ। ଉକ୍ତ ନାଳଗୁଡ଼ିକରେ ବର୍ଷା ପାଣି ଭରି ରହେ। ଜଳବନ୍ଦୀ ଅବସ୍ଥାରେ ତିନି ମାସ ଗାଁ ଲୋକେ ରହିଥାନ୍ତି। ସ୍କୁଲ ପିଲା, ଗ୍ରାମବାସୀ ଗାଁରୁ ବାହାରକୁ ବାହାରିବା କଷ୍ଟକର ହୋଇଥାଏ। ଏମିତି ସମୟରେ କିଏ ରୋଗରେ ପଡ଼ିଲେ ତ କଥା ସାରିଲା। ଆଉ ଗର୍ଭବତୀ ମହିଳାଙ୍କ କଥା ନ କହିବା ଭଲ। ତେଣୁ ଗାଁ ପାଖରେ ଥିବା ଦୁଇମୁହାଁ ନାଳରେ ଏକ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ବହୁଦିନରୁ ଦାବି କରି ଆସୁଛନ୍ତି।

ଏନେଇ ସେମାନେ ଅନେକ ଥର ଟିଟିଲାଗଡ଼ ବିଧାୟିକାଙ୍କଠୁ ଆରମ୍ଭ କରି ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ଗୁହାରି କରିଛନ୍ତି। ସବୁଆଡ଼ୁ ନିରାଶ ହେବା ପରେ ଦୁଇମୁହାଁ ନାଳ ଉପରେ ଏକ କାଠ ପୋଲ ନିର୍ମାଣ କରିଛନ୍ତି ଗ୍ରାମବାସୀ। ଏଥିପାଇଁ ଗ୍ରାମବାସୀ ଶ୍ରମଦାନ କରିବା ସହ ନିଜ ଜମିଗୁଡ଼ିକରେ ଥିବା ଗଛକୁ କାଟି ଆଣିଛନ୍ତି। ସେପଟେ ଏ ସଂପର୍କରେ ଜାଣିବା ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଗ୍ରାମବାସୀଙ୍କ ଶ୍ରମଦାନକୁ ସାଧୁବାଦ୍ ଜଣାଇଛନ୍ତି। ଆଗାମୀ ଦିନରେ କୁଟୁରାକେନ୍ଦ ଗ୍ରାମବାସୀଙ୍କ ପାଇଁ ଏକ ପୋଲ ନିର୍ମାଣ କରିବାରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର