ଶୁଣିଲାନି ପ୍ରଶାସନ, ଶେଷରେ କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ

ଦେବଗଡ଼ : ଯୌତୁକ ନାଳରେ ପୋଲ ନିର୍ମାଣ କରିବା ପାଇଁ ବାରକୋଟ ବ୍ଲକ ଅନ୍ତର୍ଗତ ରତବ ଗ୍ରାମବାସୀ ବହୁ ଦିନ ହେଲା ଦାବି କରି ଆସୁଛନ୍ତି। ବର୍ଷା ଦିନ ଆସିଲେ ନାଳରେ ବଢ଼ି ଆସିବାରୁ ଗ୍ରାମବାସୀ ବହୁ କଷ୍ଟରେ ଯାତାୟାତ କରନ୍ତି। ବାରମ୍ବାର ପ୍ରଶାସନ ନିକଟରେ ପୋଲ ନିର୍ମାଣ ପାଇଁ ଦାବି କରି ଆସୁଥିଲେ ମଧ୍ୟ କେହି ସେମାନଙ୍କ କଥା ଶୁଣୁ ନାହାନ୍ତି। ଗ୍ରାମବାସୀ ବାଧ୍ୟ ହୋଇ ନିଜସ୍ବ ଉଦ୍ୟମରେ ଉକ୍ତ ନାଳରେ କାଠ ପୋଲ ନିର୍ମାଣ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବାରକୋଟ ବ୍ଲକ ଅନ୍ତର୍ଗତ ଗୁରୁସଙ୍ଗ ପଞ୍ଚାୟତ ରତବ ଗ୍ରାମରେ ପ୍ରାୟ ୬୦ରୁ ଅଧିକ ପରିବାର ବସବାସ କରୁଛନ୍ତି। ଉକ୍ତ ନାଳରେ ବନ୍ୟା ଆସିଲେ ବର୍ଷା ଦିନେ ଲୋକମାନେ ଯିବା ଆସିବା କରି ପାରିନ୍ତି ନାହିଁ। ରୋଗୀ ମଧ୍ୟ ଉପଯୁକ୍ତ ସମୟରେ ଡାକ୍ତରଖାନାରେ ପହଞ୍ଚି ପାରନ୍ତି ନାହିଁ। ଗତ ବର୍ଷ ଡାକ୍ତରଖାନାରେ ମୃତ ଘୋଷିତ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଗାଁକୁ ଆଣିବାକୁ ପରିବାର ଲୋକ ହଇରାଣ ହୋଇଥିଲେ। ବାଧ୍ୟ ହୋଇ ବର୍ଷା ଦିନ‌େ ଯିବା ଆସିବା କରିବା ପାଇଁ ଗ୍ରାମବାସୀମାନେ ଉକ୍ତ ନାଳ ଦେଇ କାଠ ପ‌ୋଲ ନିର୍ମାଣ କରିଛନ୍ତି।

ଏନେଇ ଗ୍ରାମବାସୀମାନେ ସ୍ଥାୟୀ ପୋଲ ନିର୍ମାଣ କରିବା ପାଇଁ ଦାବି କରି ଆସୁଛନ୍ତି। ଏ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବର୍ଷା ଦିନେ ଉକ୍ତ ଗ୍ରାମ ବାହ୍ୟ ଜଗତରୁ ସଂପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଏ। ପ୍ରତି ବର୍ଷ ବର୍ଷା ଦିନ ଆସିଲେ ଲୋକମାନେ ଏଭଳି ପରିସ୍ଥିତର ସମ୍ମୁଖୀନ ହେଉଛନ୍ତି। ଚଳିତ ବର୍ଷ ବାଧ୍ୟ ହୋଇ ଗ୍ରାମବାସୀ ନିଜସ୍ବ ଉଦ୍ୟମରେ କାଠ ପୋଲ ନିର୍ମାଣ କରି ମୁଖ୍ୟରାସ୍ତାକୁ ଯିବା ଆସିବା କରୁଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଲୋକମାନଙ୍କ ଗମନାଗମନର ସୁବିଧା ପାଇଁ ନାନା ପ୍ରକାର ଯୋଜନା କରୁଥିବା ବେଳେ ଉକ୍ତ ଗ୍ରାମକୁ ସବୁ ଅପହଞ୍ଚ। ଉକ୍ତ ନାଳରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ବାଧ୍ୟ ହେବେ ବୋଲି ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧିତ ଖବର