ଦୃଷ୍ଟିଶକ୍ତି ନାହିଁ ବୋଲି ପାଳି କରି ଦୈନିକ ତିନିଓଳି ଖୁଆଉଛନ୍ତି ଗାଁ ଲୋକ, ସତୁରିବର୍ଷୀୟ ଏକାଦଶୀ ସତରେ ଭାଗ୍ୟବାନ୍!
ଭୁବନେଶ୍ବର (ମହେନ୍ଦ୍ର ସାହୁ): ସମୟ ବଦଳିବା ସହ ବଦଳୁଛି ସଂପର୍କର ପରିଭାଷା । ଅନେକ ଲୋକ ରକ୍ତର ସଂପର୍କକୁ ମଧ୍ୟ ଭୁଲି ଯାଉଛନ୍ତି। ମଣିଷ ଏତେ ମାତ୍ରାରେ ସ୍ବାର୍ଥପର ହୋଇଯାଇଛି ଯେ, ବାପା-ମା’ଙ୍କୁ ମଧ୍ୟ ପଚାରୁ ନାହିଁ। ତେବେ ଏଭଳି ଏକ ପରିବର୍ତ୍ତିତ ସମାଜରେ ଏକାଦଶୀ ହାତୀ (୭୦) ଜଣେ ନିଆରା ଉଦାହରଣ। ନିଜର ବୋଲି କେହି ନଥିବା ବେଳେ ଗାଁ ଲୋକେ ନେଉଛନ୍ତି ଯତ୍ନ । ପାଳି କରି ଦିନକୁ ତିନି ଥର (ସକାଳୁ, ମଧ୍ୟାହ୍ନ ଓ ରାତି) ଖାଇବାକୁ ଦେଉଛନ୍ତି। ପିନ୍ଧିବାକୁ ଲୁଗା ଦେଉଛନ୍ତି ଏବଂ ରୋଗରେ ପଡ଼ିଲେ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଉଛନ୍ତି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ବଂଶାଜାଳ ପଂଚାୟତ ଅନ୍ତର୍ଗତ ରତ୍ନାବଡ଼ମାଳ ଗାଁରେ ଏଭଳି ଏକ ଭାଇଚାରାର ନିଦର୍ଶନ ଦେଖିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏକାଦଶୀଙ୍କୁ ୨୦୦୩ରେ ସରକାରଙ୍କ ଆବାସ ଯୋଜନାରେ ସାମିଲ କରାଯାଇଛି। ଟଙ୍କିକିଆ ଚାଉଳ ମିଳୁଛି। ଦୃଷ୍ଟିଶକ୍ତି ନଥିଲେ ବି ସେ ହାରିଯାଇ ନାହାନ୍ତି। ନିଜେ ଠେଙ୍ଗା ଧରି ନଳକୂପକୁ ପହଞ୍ଚି ଯାଆନ୍ତି। ସେଠାରୁ ପାଣି ଆଣି ଶୌଚାଳୟକୁ ଯାଆନ୍ତି। ନଳକୂପରୁ ପାଣି ଆଣି ଗାଧୋଇଥାନ୍ତି। ଏମିତି ଯେତେ ପାରନ୍ତି, ନିଜ କାମ ନିଜେ କରନ୍ତି। କିନ୍ତୁ ଖାଇବା ଗଣ୍ଡାକ ପାଇଁ ସେ ଗାଁ ଲୋକଙ୍କ ଉପରେ ନିର୍ଭରଶୀଳ।
ବାପା-ମା’ଙ୍କୁ ହରାଇବା ପରେ ଏକାଦଶୀଙ୍କୁ ଏକ ପଡୋଶୀ ଘର ଖାଇବାକୁ ଦେଉଥିଲେ। ବଦଳରେ ଏକାଦଶୀ ପଡୋଶୀ ପରିବାରର ପିଲାଛୁଆଙ୍କୁ ଦେଖୁଥିଲେ। ବୋଲ କରୁଥିଲେ। ବିଶ୍ବାସ ଥିବାରୁ ଏକାଦଶୀ ପଡୋଶୀ ଘରେ ନିଜ ପାଖରେ ଥିବା ସୁନା ଅଳଙ୍କାର ରଖିଥିଲେ। କିଛି ବର୍ଷ ପରେ ଏହାକୁ ପୁଣି ମାଗିଥିଲେ। ଫଳରେ ପଡୋଶୀ ଘର ଏକାଦଶୀଙ୍କୁ ଆଉ ଖାଇବାକୁ ଦେଇ ନ ଥିଲେ। ଗତବର୍ଷ ଜୁନ ମାସ ଠାରୁ ଗାଁରେ ଅନୁଷ୍ଠିତ ବୈଠକ ଅନୁସାରେ ଏକାଦଶୀଙ୍କୁ ପାଳି କରି ଖାଇବାକୁ ଦିଆଯାଉଛି।
ରତ୍ନାବଡ଼ମାଳ ଗାଁର ଜଣେ ବରିଷ୍ଠ ନାଗରିକ ଅନାଦୀ ବେହେରା କହନ୍ତି, ବାପା-ମା’ଙ୍କୁ ହରାଇବା ପରେ ଏକାଦଶୀ ପଡୋଶୀ ଘରେ ଖାଉଥିଲେ। କିନ୍ତୁ ୫ ବର୍ଷ ପରେ ସେମାନେ କୌଣସି କାରଣରୁ ଏହା ବନ୍ଦ କରିଦେଇଥିଲେ। ସେହିଦିନ ଠାରୁ ଏକାଦଶୀ ନିଜେ ରୋଷଇ କରୁଥିଲେ। କିନ୍ତୁ ଏବେ ତାଙ୍କର ବୟସ ବଢ଼ି ଯାଇଥିବାରୁ ଏବଂ ସେ ଜଣେ ଦୃଷ୍ଟିହୀନ ବ୍ୟକ୍ତି ଥିବାରୁ ତାଙ୍କର ସମସ୍ତ ଦାୟିତ୍ବ ଗ୍ରାମବାସୀ ନେଇଛନ୍ତି। ୨୦୨୧ ଜୁନ୍ ମାସରେ ଆମ ଗାଁରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ଗାଁର ୧୨୫ଟି ପରିବାର ପାଳି କରି ପ୍ରତିଦିନ ଏକାଦଶୀଙ୍କୁ ସକାଳୁ, ମଧ୍ୟାହ୍ନ ଓ ରାତିରେ ଖାଇବାକୁ ଦେବେ। ବୈଠକର ପରଦିନ ଠାରୁ ଏକାଦଶୀଙ୍କୁ ତିନିଓଳି ଖାଇବାକୁ ଦିଆଯାଉଛି।
ଏକାଦଶୀଙ୍କ ସଂପତ୍ତି କହିଲେ, ସେ ରହୁଥିବା ଘର ଏବଂ ଘର ଆଗରେ ଥିବା ଏକ ଅଗଣା। ତାଙ୍କର ମୃତ୍ୟୁ ପୂର୍ବରୁ ସେ ଏହି ୨୦ ଡିସିମିଲ ଜମିକୁ ଗାଁ ମନ୍ଦିରକୁ ସ୍ବହସ୍ତରେ ଲେଖି ଦେଇଛନ୍ତି। ତାଙ୍କର ପରଲୋକ ପରେ ଏହି ଜମିର ମାଲିକାନା ଗାଁର ରାଧାକୃଷ୍ଣ ମନ୍ଦିର ହାତକୁ ଚାଲିଯିବ। ବଦଳରେ ଗ୍ରାମବାସୀ ଏକାଦଶୀ ହାତୀ ଜୀବିତ ଥିବା ପର୍ଯ୍ୟନ୍ତ ଖାଇବା-ପିଇବା ଦେବା ସହିତ ଯତ୍ନ ନେବେ।
ରତ୍ନାବଡ଼ମାଳ ଗାଁରେ ଏକ ରାଧାକୃଷ୍ଣ ମନ୍ଦିର ନିର୍ମାଣ ହେଉଛି। ଏହି ମନ୍ଦିରର ନିର୍ମାଣ କାମ ୨୦୧୭ ମସିହାରୁ ଆରମ୍ଭ ହୋଇଛି। ଗାଁ ଲୋକଙ୍କର ନିଜସ୍ବ ଉଦ୍ୟମରେ ଏହି ମନ୍ଦିର ଗଢ଼ାଯାଉଛି। ନେତା, ବ୍ୟବସାୟୀ, ଠିକାଦାରମାନେ ମଧ୍ୟ ମନ୍ଦିରକୁ ଆର୍ଥିକ ସହଯୋଗ କରିଛନ୍ତି। ଏପର୍ଯ୍ୟନ୍ତ ମନ୍ଦିର ନିର୍ମାଣ କାମରେ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଛି। ଆହୁରି ଏତିକି ପରିମାଣରେ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଛି ବୋଲି ମନ୍ଦିର କମିଟିର ସଦସ୍ୟ ଜିତେନ୍ଦ୍ର ପ୍ରଧାନ କୁହନ୍ତି। ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରକୁ ଭବ୍ୟ କରାଯିବାର ଲକ୍ଷ୍ୟ ରଖାଯାଇଛି। ଗାଁରେ ଜନ୍ମାଷ୍ଟମୀ, ଅନନ୍ତବ୍ରତ ଓ ପଞ୍ଚୁଦୋଳ ଆକର୍ଷଣୀୟ ଭାବେ ପାଳନ କରାଯାଏ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।