ଆମ୍ବୁଲାନ୍ସ ଯାଇପାରିଲାନି: ପକ୍ଷାଘାତ ରୋଗରେ ଆକ୍ରାନ୍ତ ମହିଳାଙ୍କୁ ୨ କିଲୋମିଟର ଷ୍ଟ୍ରେଚରରେ ନେଲେ ଗାଁ ଲୋକେ

ନବରଂଗପୁର ଜିଲ୍ଲାର ଦୁର୍ଗମ ଅଂଚଳରେ ବିକାଶର ଚିତ୍ର

ନବରଂଗପୁର: ଦୁର୍ଗମ ଅଂଚଳରେ ବିକାଶ କେମିତି ହୋଇଛି ତା’ର ଜ୍ୱଳନ୍ତ ଉଦାହରଣ ଆଜି ନବରଂଗପୁର ଜିଲ୍ଲାର ପାପଡ଼ାହାଣ୍ଡି ବ୍ଲକରେ ଦେଖିବାକୁ ମିଳିଛି । ଚାରି ଚକିଆ ଯାନବାହାନ ଯିବା ଲାଗି ରାସ୍ତା ନଥିବାରୁ ମାଝୀଗୁଡ଼ା ପଂଚାୟତର ମୁଣ୍ଡା ଗାଁକୁ ଆମ୍ବୁଲାନ୍ସ ଯାଇପାରି ନାହିଁ । ଫଳରେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ଜଣେ ମହିଳାଙ୍କୁ ଗାଁ ଲୋକେ ଷ୍ଟ୍ରେଚରରେ ୨ କିଲୋମିଟର ପର୍ଯ୍ୟନ୍ତ ବୋହି ହସ୍ପିଟାଲ ପହଂଚାଇଛନ୍ତି ।

ସୂଚନା ଅନୁସାରେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ମୁଣ୍ଡା ଗ୍ରାମର ରାଇବାରୀ ଯାନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଜଟିଳ ହୋଇପଡିଥିଲା । ପରିବାର ଲୋକେ ବହୁ କଷ୍ଟରେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ହେଲେ ଆମ୍ବୁଲାନ୍ସ ଠିକ ସମୟରେ ଗ୍ରାମକୁ ପହଂଚି ପାରିନଥିଲା । କାରଣ ଗ୍ରାମକୁ ସଂଯୋଗ କରୁଥିବା ୨ କିମି ରାସ୍ତା ବର୍ଷା ଯୋଗୁଁ କାଦୁଅ ସହ ପାଣି ଭର୍ତି ହୋଇ ରହିଥିଲା। ଲୋକେ ଉକ୍ତ ରାସ୍ତାରେ ଚାଲିକି ଯିବା ମୁସ୍କିଲ ଥିଲା | ଆମ୍ବୁଲାନ୍ସ ଡ୍ରାଏଭର ଗାଁ ଭିତରକୁ ଯିବାକୁ ମନା କରିଥିଲେ । ଗ୍ରାମବାସୀ ଷ୍ଟ୍ରେଚର ନେଇ ଦୀର୍ଘ ୨ କିମି ରାସ୍ତା ରାଇବାରୀଙ୍କୁ ବୋହି କି ଆଣିଥିଲେ ।  ରାଇବାରୀଙ୍କୁ ଆମ୍ବୁଲାନ୍ସ ନିକଟରେ ପହଁଚିବା ପରେ ତୁରନ୍ତ ତାଙ୍କୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

ରାସ୍ତା ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା କେହି ବି କିଛି ଶୁଣୁ ନ ଥିବା କହିଛନ୍ତି । ତୁରନ୍ତ ପ୍ରଶାସନ ଘଟଣାର ଗୁରୁତ୍ୱ ଦେଇ ଗ୍ରାମଗୁଡିକୁ ପକ୍କା ରାସ୍ତା କରାଇବା ଲାଗି ଗ୍ରାମର୍ ଡମ୍ବରୁ ହରିଜନ, ରବୀନ୍ଦ୍ର ହରିଜନ, ପ୍ରସନା ହରିଜନ, ବେଣୁ ପାତ୍ର, କପିଳ ପାତ୍ର, ମଧୁ ଯାନୀ ଦାବି ହୋଇଛି । ସ୍ଥାନୀୟ ବିଧାୟକ ଏ ଦିଗରେ ପଦକ୍ଷେପ ନେଇଥିଲେ ଜନ ହିତକର ଯୋଜନା ଲୋକଙ୍କ ନିକଟରେ ପହଂଚି ପାରିଥାନ୍ତା ।

ସମ୍ବନ୍ଧିତ ଖବର