ରାୟଗଡ଼ା: ରାୟଗଡ଼ା ପୈାର ପରିଷଦର ୱାର୍ଡ ନମ୍ବର ୨୪ ଅଧିନସ୍ଥ ଅଡୁଗୁଡା ଗ୍ରାମକୁ ଯାତାୟାତ ପାଇଁ ରାସ୍ତା ଖଣ୍ଡିଏ ନ ଥିବାରୁ ପକ୍କା ରାସ୍ତା ନିର୍ମାଣ ପାଇଁ ଆଜି ଜିଲ୍ଳାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଡୁଗୁଡା ଗ୍ରାମବାସୀ।ଜିଲ୍ଳାପାଳ ମନୋଜ କୁମାର ସତ୍ୟବାନଙ୍କୁ ସାକ୍ଷାତ କରି ରାସ୍ତା ନିର୍ମାଣ ପାଇଁ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ଅଡୁଗୁଡା ଗ୍ରାମବାସୀଙ୍କ ରାସ୍ତା ସମସ୍ୟା ସଂପର୍କରେ ଅବଗତ ହେବା ପରେ ରାୟଗଡା ପୌର ପରିଷଦ ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ତଥା ରାୟଗଡା ତହସିଲଦାର ପ୍ରିୟଦର୍ଶନୀ ସ୍ୱାଇଁଙ୍କୁ ଅଡୁଗୁଡା ଗ୍ରାମ ଯାଇ ରାସ୍ତା ନିର୍ମାଣ ହେବାରେ ଥିବା ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

Advertisment

ଜିଲ୍ଳାପାଳଙ୍କ ନିର୍ଦ୍ଦେଶ ପାଇବା ପରେ ତହସିଲଦାର ଶ୍ରୀମତୀ ସ୍ୱାଇଁ ଅଡୁଗୁଡା ଗ୍ରାମ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରି ସ୍ଥିତି ପରଖିଛନ୍ତି। ୩୨୬ ନମ୍ବର ଜାତୀୟ ରାଜପଥ ଠାରୁ ୫ଶହ ମିଟର ଦୂରତାରେ ଥିବା ଅଡୁଗୁଡା ଗ୍ରାମକୁ ଯିବାକୁ ହେଲେ କେବଳ ୫୦ମିଟର ଯାଏଁ ସରକାରୀ ଜାଗା ରହିଥିବା ବେଳେ ବଳକା ୪୫୦ମିଟର ଘରୋଇ ଜାଗା ରହିଥିବା ତହସିଲଦାର ଜାଣିବାକୁ ପାଇଥିଲେ। ଏହାର ବିକଳ୍ପରେ ଅଡୁଗୁଡା ଗ୍ରାମ ଠାରୁ ଶିରିକଣା ଛକ ଯାଏଁ ଜଙ୍ଗଲ ବିଭାଗର ଜାଗା ରହିଛି। ପ୍ରାୟ ଦେଢ କିଲୋମିଟର ଯାଏଁ ରାସ୍ତା ନିର୍ମାଣ କରାଗଲେ ଅଡୁଗୁଡା ଗ୍ରାମବାସୀ ପକ୍କାରାସ୍ତାଟିଏ ପାଇପାରିବେ।

publive-image

ତେବେ ଜିଲ୍ଳାପାଳଙ୍କ ସହ ଆଲୋଚନା କରାଯାଇ କଣ କରାଯାଇ ପାରିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ତହସିଲଦାର ଶ୍ରୀମତୀ ସ୍ୱାଇଁ କହିଥିବା ଗ୍ରାମବାସୀ ଜଣାଇଛନ୍ତି। ରାସ୍ତାଟିଏ ନ ଥିବା ଦ୍ୱାରା ଆମ୍ବୁଲାନ୍ସଟିଏ ଗାଁରେ ପଂହଚି ପାରୁ ନ ଥିବା ବେଳେ ଗାଁର ମହିଳା, ପୁରୁଷ, ବୃଦ୍ଧବୃଦ୍ଧା, ଛାତ୍ରଛାତ୍ରୀମାନେ ଯାତାୟାତ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦାବିପତ୍ରରେ ଉଲ୍ଳେଖ କରିଛନ୍ତି ଡୁଗୁଡା ଗ୍ରାମବାସୀ।

କେବଳ ରାସ୍ତା ହିଁ ନୁହେଁ ଅଡୁଗୁଡା ଗ୍ରାମରେ ଥିବା ୩୫ଘର ପରିବାର ପାଇଁ ପାନୀୟ ଜଳ ସମସ୍ୟା ମଧ୍ୟ ଦୀର୍ଘ ଦିନରୁ ଲାଗି ରହିଛି। ଗାଁରେ ଗୋଟିଏ ସୋଲାର ପାନୀୟ ଜଳ ପ୍ରକଳ୍ପ ରହିଥିବା ବେଳେ ଖରାଦିନେ ଜଳସ୍ତର କମୁଥିବାରୁ ପାଣିର ଅଭାବ ହେଉଥିବା ବେଳେ ବର୍ଷା ଦିନେ ସୋଲାର ପ୍ୟାନେଲରେ ଚାର୍ଜ ରହୁ ନ ଥିବାରୁ ତାହା କାର୍ଯ୍ୟକ୍ଷମ ହୋଇପାରୁ ନ ଥିବା ଗ୍ରାମବାସୀମାନେ ଜିଲ୍ଳାପାଳଙ୍କୁ ଜଣାଇଥିଲେ। ଆଗକୁ ଟାଣ ଖରା ହେବା ଆଗରୁ ପାନୀୟ ଜଳ ସଙ୍କଟର ଅଭାବକୁ ଦୂର କରିବା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବ ବୋଲି ଜିଲ୍ଳାପାଳ ଶ୍ରୀ ମହାଜନ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଥିବା ଅଡୁଗୁଡା ଗ୍ରାମର ସନ୍ତୋଷ କୁମାର ହିକକା,ବିଶି ୱାଡେକା,କ୍ରିସା ମାଣ୍ଡାଙ୍ଗି, ଶିବା ମାଣ୍ଡାଙ୍ଗି, ଦାସି ବିଡିକାଙ୍କ ସମେତ ଗ୍ରାମର ମହିଳା ରଂଜିତା ନାଚିକା, କୋଣ୍ଡାଗରୀ ଉଳାଣୀ, କୁନି ହୁଇକା, ସାରଦା ୱାଡକା, ନୀଳା ହିମିରିକାଙ୍କ ସମେତ ଅନ୍ୟମାନେ ପ୍ରକାଶ କରିଛନ୍ତି।