ମାଥିଲି : ବଞ୍ଚିବା ପାଇଁ ପାର ହେଉଛନ୍ତି ଭରା ନଈ। ତେଣୁ ନିତି ଦିନ ବାଜିରେ ଲାଗୁଛି ଜୀବନ। ନଦୀ ପାର ହେବାର ଦୃଶ୍ୟ ଦେଖିବାକୁ ଯେତିକି ରୋମାଞ୍ଚକର ସେତିକି ଲୋମଟାଙ୍କୁରା। କିନ୍ତୁ ଅନ୍ୟ କିଛି ବିକଳ୍ପ ନଥିବାରୁ ଏହା ହେଉଛି ୬ଟି ଗାଁର ଭାଗ୍ୟ।

Advertisment

ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ମହକୁମା ଠାରୁ ୬ଟି କିଲୋମିଟର ଦୂରରେ ରହିଛି ଅଟାଳଗୁଡା ନଦୀ ଘାଟ। ନଦୀର ଆରପାର୍ଶ୍ବରେ ରହିଛି ନନ୍ଦପୁରିଆଗୁଡା, ସର୍ଗୀଗୁଡା, ପେଦାଗୁଡା ଓ ଗେଲାଗୁଡା ଭଳି ୬ଟି ଗାଁ। ଉପରୋକ୍ତ ଗାଁର ଜନସଂଖ୍ୟା ୫ଶହରୁ ଊର୍ଧ୍ବ ହେବ। ପ୍ରତିଦିନ ଜୀବନ ଜୀବିକା ପାଇଁ ମାଥିଲି ଆସିବାକୁ ହୋଇଥାଏ। କିନ୍ତୁ ଏହି ଗ୍ରାମବାସୀଙ୍କ ପାଇଁ ପ୍ରତିବନ୍ଧକ ସାଜିଛି ଗରିଆ ନଦୀ। ଏହି ନଦୀକୁ ପାର ହେବା ପରେ ହିଁ ସେମାନେ ରାସନ ଠାରୁ ଆରମ୍ଭ କରି ସବୁ କିଛି ନେଇଥାନ୍ତି। ଯଦି କୌଣସି କାରଣରୁ ନଦୀକୁ ପାର କରିପାରନ୍ତି ନାହିଁ, ସେହିଦିନ ଘରେ ଚୁଲି ଜଳେ ନାହିଁ। ଏମିତି ସ୍ଥିତି ବହୁ ବର୍ଷ ହେଲା ଲାଗି ରହିଥିବା ସତ୍ତ୍ବେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଡଙ୍ଗା ଯୋଗାଇ ଦିଆଯାଇ ନାହିଁ କିମ୍ବା ପୋଲଟିଏ ନିର୍ମାଣ ହୋଇପାରୁ ନାହିଁ। ତେଣୁ ନଦୀ ଭିତରେ ଛାତିଏ ଉଚ୍ଚ ପାଣିରେ ପଶି ଲୋକେ ଯାତାୟାତ କରୁଛନ୍ତି।

publive-image

ବର୍ଷ ବର୍ଷ ଧରି ନଈର ସ୍ରୋତକୁ ଅତିକ୍ରମ କରୁଛନ୍ତି ଅତି ସାହସର ସହ। ବାରମ୍ବାର ଦାବି କରି ଆସୁଥିଲେ ବି ପ୍ରଶାସନ କିମ୍ବା ନିର୍ବାଚିତ ଜନପ୍ରତିନିଧି ଶୁଣୁନାହାନ୍ତି। ପୋଲ ନିର୍ମାଣ କିମ୍ବା ଡଙ୍ଗା ଯୋଗାଇ ଦେବାକୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିକଳ୍ପ ବ୍ୟବସ୍ଥା ନପାଇ ନଦୀର ପ୍ରଖର ସ୍ରୋତ ହେଲେ ମଧ୍ୟ ଜୀବନକୁ ମରଣ ମୁହଁକୁ ଠେଲି ନଈ ପାର ହେବାକୁ ପଡୁଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି ଗ୍ରାମବାସୀ। ନଦୀ ପାର ସମୟରେ ଭାସିଯାଇ ଗାଁର ଅନେକ ଲୋକ ପ୍ରାଣ ହରାଇ ସାରିଲାଣି। ସେହିପରି ନଈ ଫୁଲିଯିବା କାରଣରୁ ଚିକିତ୍ସା ନିମନ୍ତେ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇପାରି ନଥିବାରୁ ୩ରୁ ୪ଜଣଙ୍କ ପ୍ରାଣ ଯାଇଛି। ଏପରିସ୍ଥଳେ ଲୋକଙ୍କ ସମସ୍ୟା ବୁଝିବାକୁ ଜିଲା ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ନଦୀରେ ବିପଦପୂର୍ଣ୍ଣ ଯାତ୍ରା କରିବା ଘଟଣା ପ୍ରଶାସନ ମଧ୍ୟ ଅବଗତ ରହିଛି। ଲୋକଙ୍କ ସୁବିଧା କରିବା ପାଇଁ ଗାରିଆ ନଦୀରେ ପୋଲ ନିର୍ମାଣ କରିବାକୁ ପ୍ରସ୍ତାବ ବି ଯାଇଛି। କିନ୍ତୁ କୌଣସି ପାଣ୍ଠି ନ ଥିବାରୁ ଏହା ହୋଇପାରିନାହିଁ। ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପୋଲ ନିର୍ମାଣ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି ମାଥିଲି ବିଡିଓ ଆଶିଷ କୁମାର ଭୋଇ କହିଛନ୍ତି।