ଶହେ ବର୍ଷ ହେବ ନିର୍ବାଚିତ ପ୍ରତିନିଧିଙ୍କ ପାଦ ପଡ଼ିନି, ତଥାପି ୧୦କି.ମି. ପାହାଡ଼ିଆ ରାସ୍ତା ଅତିକ୍ରମ କରି ଭୋଟ୍‌ ଦେବାକୁ ଆସନ୍ତି ତୁର୍କାବାସୀ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ଲାଞ୍ଜି ପଞ୍ଚାୟତ କୁଟିଆକନ୍ଧ ତୁର୍କା ଗାଁ ସ୍ଥାପିତ ହେବାର ଶହେ ବର୍ଷ ବିତିଗଲାଣି। କିନ୍ତୁ ସରକାରଙ୍କ ସବୁ ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ଗମନାଗମନ, ପାନୀୟଜଳ ଏମାନଙ୍କ ପାଇଁ ସାତ ସପନ ହୋଇଛି। ଗାଁର ଗୋଟିଏ ବି ଝିଅ ସରକାରୀ ସ୍କୁଲରେ ପାଠ ପଢ଼ିନାହାନ୍ତି। ନବୀନ ମାଝୀ ନାମକ ଜଣେ ମାତ୍ର ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ଗାଁରୁ ସ୍କୁଲ୍‌ର ଦୂରତା ୧୦ କିମି।

ତୁର୍କା ଗାଁ ଯିବାକୁ ହେଲେ ଘାଟି ରାସ୍ତାରେ ଘଞ୍ଚ ଜଙ୍ଗଲ ମଧ୍ୟରେ ୩ଟି ପାହାଡ଼, ୪ଟି ନାଳ, ଝରଣା ଅତିକ୍ରମ କରିବାକୁ ପଡେ। ଆଜି ପର୍ଯ୍ୟନ୍ତ କୌଣସି ନିର୍ବାଚିତ ପ୍ରତିନିଧି ସାଂସଦ, ବିଧାୟକ, ସରପଞ୍ଚ କିମ୍ବା ସମିତି ସଭ୍ୟଙ୍କ ପାଦ ପଡ଼ିନାହିଁ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। କିନ୍ତୁ ମୂଲ୍ୟବାନ ଭୋଟ୍‌ ଦେବାକୁ ସେମାନେ ଗାଁ ଠାରୁ ୧୦ କିମି ଦୂର ଆସି ଯୁବା ଗାଁ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଥାନ୍ତି।

ଗାଁର ବିକାଶ ହେବ ବୋଲି ଆଶା ରଖି ସେମାନେ ଭୋଟ୍‌ ଦେଇଥାନ୍ତି। କିନ୍ତୁ ନିର୍ବାଚନ ସରିଗଲେ ସେମାନଙ୍କ ଆଶା ଆଶାରେ ହିଁ ରହିଥାଏ। ୩୦ଟି ପରିବାର ସରକାରଙ୍କ ବିଭିନ୍ନ ମୌଳିକ ସୁବିଧାରୁ ଆଜି ପର୍ଯ୍ୟନ୍ତ ବଞ୍ଚିତ ହୋଇ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ତୁର୍କା ଗାଁର ବିକାଶ ପ୍ରତି କେବ ସରକାର ଦୃଷ୍ଟି ଦେବେ ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର