ନିରାକାରପୁର : ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେଉନାହିଁ । ବିଜୁ ସେତୁ କାର୍ଯ୍ୟ ୪ ବର୍ଷ ହେଲା ଅଧପନ୍ତରିଆ ଅବସ୍ଥାରେ ପଡ଼ିଛି। ଲୋକେ ବାଧ୍ୟ ହୋଇ ମଲାଗୁଣୀ ନଦୀ ଉପର ଦେଇ ଯାଇଥିବା ରେଳପୋଲ ଉପରେ ଯାତାୟତ କରୁଛନ୍ତି। ଏହି ବିପଜ୍ଜନକ ଯାତ୍ରା ଯୋଗୁଁ ଗତ ୫ ବର୍ଷ ମଧ୍ୟରେ ୭ ଜଣଙ୍କ ଜୀବନ ଯାଇ ସାରିଲାଣି। ଖୋର୍ଦ୍ଧା ଉପଖଣ୍ତ ରାମେଶ୍ବର ପଞ୍ଚ‌ାୟତର ଚନ୍ଦନପୁର, ତାଳପଡ଼ା, ମିରିଗଦୟଣୀ, ଓ ଗୋଳବାଇ ପଞ୍ଚାୟତକୁ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ରାସ୍ତା ନିର୍ମାଣ ଏବେ ଅଧପନ୍ତରିଆ ହୋଇ ପଡ଼ିରହିଥିବାରୁ ଲୋକଙ୍କୁ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ନିର୍ମାଣଧୀନ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କର ପୋଲ କାମ ଶେଷ ହେଉନଥିବାରୁ ଗ୍ରାମବାସୀ ଜୀବନକୁ ବାଜି ଲଗାଇ ମଲାଗୁଣୀ ନଦୀ ଉପର ରେଳପୋଲ ଦେଇ ଯିବାଆସିବା କରିବାକୁ ବାଧ୍ୟ ହେଉଛନ୍ତି।

Advertisment

ଉଲ୍ଲେଖ ଥାଉକି, ଗୋଳବାଇ ରାମେଶ୍ବର ପଞ୍ଚାୟତରେ ତାଳପଡ଼ା ମିରିଗଦୟଣୀ, ଚନ୍ଦନପୁର ଆଦି ଗ୍ରାମର ପ୍ରାୟ ୫ହଜାରରୁ ଊର୍ଦ୍ଧ୍ବ ଲୋକ ହାଟବଜାର, ସ୍କୁଲ,କଲେଜ ଆଦି କାମ ପାଇଁ ନିରାକାରପୁର ବଜାର ଉପରେ ନିର୍ଭର କରନ୍ତି। ତେବେ ଗାଁକୁ ସବୁଦିନିଆ ପକ୍‌କା ରାସ୍ତା ନଥିବାରୁ ଲୋକଙ୍କୁ ନାନା ହରକତ ଭୋଗିବାକୁ ପଡୁଛି। ଅବଶ୍ୟ ନିରାକାରପୁର ରେଳଫାଟକଠାରୁ ମିରିଗଦୟଣୀ,ତାଳପଡାଦେଇ ଚନ୍ଦନପୁର ପର୍ଯ୍ୟନ୍ତ ୩କିଲୋମିଟର ଦୀର୍ଘରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ ନିର୍ମାଣ ଚାଲିଛି। ତେବେ ତାଳପଡ଼ାଠାରୁ ଗୋଳବାଇ ପର୍ଯ୍ୟନ୍ତ ୨କିଲୋମିଟର ରାସ୍ତା ଅଧପନ୍ତରିଆ ହୋଇ ପଡିରହିଛି। ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଭୁବନେଶ୍ବର ବିଭାଜନ ପକ୍ଷରୁ ‘ବିଜୁସେତୁ ଯୋଜନା’ରେ ୫କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟବରାଦରେ ଗତ ୨୦୧୬ ଡିସେମ୍ବର ୪ ରେ ମଲାଗୁଣୀ ନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଏହା ଭିତରେ ଭିତ୍ତିପ୍ରସ୍ତର ସ୍ଥାପନାକୁ ୪ବର୍ଷ ବିତିଗଲାଣି। ମାତ୍ର ନିର୍ମାଣଧୀନ ‘ବିଜୁ ସେତୁ’ର କଚ୍ଛପଗତି ଲୋକଙ୍କ ଦୁର୍ଦ୍ଦଶାକୁ ବଢାଇ ଦେଉଛି।

ଏଭଳି ପରିସ୍ଥିତିରେ ଗ୍ରାମବାସୀମାନେ ଖରା ୪ମାସ ଗହୀର ଜମି ଭିତରେ ପଶି ଯିବା ଆସିବା କରିଥାନ୍ତି । ବାକି ୮ମାସ କର୍ମକୁ ଆଦରି ୧୬ନମ୍ବର ଜାତୀୟ ରାଜପଥଦେଇ ୧୨କିଲୋମିଟର ବୁଲି ନିରାକାରପୁର ବଜାରକୁ ଆସିବାକୁ ବାଧ୍ୟ ହୋଇଥାନ୍ତି। ମାତ୍ର ଏତେ ବୁଲାଣି ଅପେକ୍ଷା ଲୋକେ ମଲାଗୁଣୀ ପୋଲ ଉପରେ ଯାଇଥିବା ରେଳଧାରଣା ଉପର ଦେଇ ବିପଦସଙ୍କୁଳ ଭାବେ ନିରାକାରପୁରକୁ ଆସିଥାନ୍ତି। ଏପରିକି ବେଳେ ବେଳେ ରେଳପୋଲ ଉପରେ ଦେଇ ଗଲାବେଳେ ଅତର୍କିତ କୈାଣସି ଟ୍ରେନ୍‌ ଆସୁଥିବା ଦେଖି ଜୀବନ ବଞ୍ଚାଇବାକୁ ଲୋକଙ୍କୁ ପୋଲ ଉପରୁ ୨୦ଫୁଟ ତଳ ନଦୀକୁ ଡେଇଁଥିବାର ନଜିର ମଧ୍ୟ ରହିଛି। ଅପରପକ୍ଷରେ ପରିସ୍ଥିତିରେ ପଡ଼ି ଏପରି ବିପଜ୍ଜନକ ଯାତ୍ରା ଯୋଗୁଁ ଗତ ୫ବର୍ଷରେ ୭ଜଣଙ୍କର ଜୀବନ ଯାଇଥିବା ବେଳେ ଅନେକଙ୍କୁ ମଧ୍ୟ ଅଙ୍ଗ ହରାଇବାକୁ ପଡିଛି। ଜିଲ୍ଲାପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେଇ ପୋଲ କାମ ଓ ରାସ୍ତା ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ବୁଦ୍ଧିଜୀବୀମାନେ ନିବେଦନ କରିଛନ୍ତି।