ଦେବଗଡ଼ : ନିର୍ବାଚନ ପରେ ନିର୍ବାଚନ ଯାଉଛି, ହେଲେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଢୋଲପଡ଼ା ପଞ୍ଚାୟତର କଦୋଗୁଡ଼ା ଓ ଝାରପାଣି ଗ୍ରାମବାସୀଙ୍କ ଦୁଃଖ ସରୁନି। ଗୋହିରା ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ ଗ୍ରାମବାସୀମାନେ ଦାବି କରି ଆସୁଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଦାବି ପୂରଣ ହୋଇ ପାରୁନି। ଶେଷରେ ଗ୍ରାମବାସୀ ‘ପୋଲ ନାହିଁ ତ ଭୋଟ ନାହିଁ’ ସ୍ଳୋଗାନ୍ ଦେଇ ଭୋଟ୍ ବର୍ଜନ ନିଷ୍ପତ୍ତି ନେଇଛନ୍ତି। ତିଲେଇବଣି ବ୍ଲକ ଢୋଲପଡ଼ା ପଞ୍ଚାୟତର କଦୋଗୁଡ଼ା ଓ ଝାରପାଣି ଗ୍ରାମବାସୀ ନେଇଛନ୍ତି ଏପରି ନିଷ୍ପତ୍ତି। ଗ୍ରାମ ଦେଇ ଯାଇଥିବା ଗୋହିରା ନାଳ ଉପରେ ପୋଲଟିଏ ନିର୍ମାଣ କରିବା ପାଇଁ ଜନପ୍ରତିନିଧି ଓ ଜିଲ୍ଲା ପ୍ରଶାସନକୁ ଦାବି କରି ଆସୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ତିଲେଇବଣି ବ୍ଲକର ଢୋଲପଡ଼ା ପଞ୍ଚାୟତର ଉକ୍ତ ଦୁଇ ଗ୍ରାମରେ ପ୍ରାୟ ୮୦ ପରିବାରର ୩୫୦ରୁ ଅଧିକ ଲୋକ ବସବାସ କରୁଛନ୍ତି। ଉକ୍ତ ଦୁଇ ଗ୍ରାମରୁ ହେଟଖମାର ମୁଖ୍ୟ ରାସ୍ତାକୁ ଯିବାକୁ ହେଲେ ମଝିରେ ଯାଇଥିବା ଗୋହିରା ନାଳ ସେମାନଙ୍କ ଯାତାୟାତରେ ପ୍ରତିବନ୍ଧକ ସାଜିଥାଏ। ଫଳରେ ଉଭୟ ଗ୍ରାମର ଗ୍ରାମବାସୀ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥା’ନ୍ତି। ଗ୍ରାମରୁ ବାହାରକୁ ଯିବାକୁ ହେଲେ ପାଣିରେ ଭିଜିବାକୁ ବାଧ୍ୟ ହୁଅନ୍ତି। ବର୍ଷା ଦିନ କଥା ନ କହିବା ଭଲ। ପଞ୍ଚାୟତ କାର୍ଯ୍ୟାଳୟରୁ ଚାଉଳ କି ଗହମ ଆଣିବା ବେଳେ ତାହା ପାଣିରେ ବୁଡ଼ିଯାଏ। ନାଳ ଯୋଗୁଁ ଗାଁକୁ ଆମ୍ବୁଲାନ୍ସ ଯାଇପାରୁନି। ଅନେକ ସମୟରେ ଗୋରୁ ଗାଈ ମଧ୍ୟ ନାଳରେ ଭାସି ପ୍ରାଣ ହରାଇଛନ୍ତି। ଏସବୁ ଅସୁବିଧାକୁ ଦୃଷ୍ଟିରେ ରଖି ଦୁଇ ଗ୍ରାମର ଗ୍ରାମବାସୀ ୨୦୦୭ ମସିହାରୁ ଉକ୍ତ ନାଳରେ ଏକ ପୋଲ ନିର୍ମାଣ କରିବା ପାଇଁ ଜନପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ। ତେବେ ସେମାନଙ୍କୁ ସବୁବେଳେ କେବଳ ପ୍ରତିଶ୍ରୁତି ଛଡ଼ା ଆଉ କିଛି ମିଳୁନାହିଁ।
ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଗ୍ରାମବାସୀ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ହେଟଖମାର ଗ୍ରାମରୁ କୋଦଗୁଡା ରାସ୍ତା ଉପରେ ନାଳ ଉପରେ ପୋଲ ନିର୍ମାଣ ନାହିଁ ତ ଭୋଟ୍ ନାହିଁ ଦାବିରେ ଶନିବାର ଗ୍ରାମବାସୀ କଦୋଗୁଡା ଗ୍ରାମରେ ବ୍ୟାନର ଓ ପ୍ଲାକାର୍ଡ ଧରି ସ୍ଳୋଗାନ୍ ଦେଇ ପରିକ୍ରମା କରିଥିଲେ।