ପାଳଲହଡ଼ା : ପାଳଲହଡ଼ା ବ୍ଲକ୍ ପେଚାମୁଣ୍ଡି ପଞ୍ଚାୟତର ଆଦିବାସୀ ବହୁଳ ଗାଁ ଶିବପାଣି। ବ୍ଲକ୍ର ଉପାନ୍ତ ଅଞ୍ଚଳରେ କେନ୍ଦୁଝର ଜିଲ୍ଲାଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ଏହି ଗାଁରେ ବାସକରୁଛନ୍ତି ପ୍ରାୟ ୩୦ ଆଦିବାସୀ ପରିବାର। ଏ ପର୍ଯ୍ୟନ୍ତ ଗାଁର ରାସ୍ତା, ପାନୀୟଜଳ, ବିଦ୍ୟୁତ୍ ଭଳି ମୌଳିକ ଆବଶ୍ୟକତା ପୂରଣ ହୋଇନାହିଁ। ଆଦିବାସୀଙ୍କ ଉନ୍ନତି ପାଇଁ ‘ପିବିଡିଏ’ ସଂସ୍ଥା କାର୍ଯ୍ୟ କରୁଥିଲେ ସୁଦ୍ଧା ଶିବପାଣି ଗାଁ ବହୁ ଅବହେଳିତ ହୋଇପଡ଼ିଛି। ଗ୍ରାମବାସୀମାନେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ କୁପୁରୁବେଡ଼ା ଗାଁ ଜମିଭିତରେ ଥିବା ଏକ ଚୁଆରୁ ପାନୀୟ ଜଳ ସଂଗ୍ରହ କରୁଛନ୍ତି। ଏହି ଜଳ ବିଶୁଦ୍ଧ ହୋଇନଥିଲେ ବି ଗ୍ରାମବାସୀ ତାହା ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।
ଗାଁର ଏହି ଦୁରବସ୍ଥା ସଂପର୍କରେ ଗତ ମେ ମାସରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଏହାପରେ ଜଳ ପରିମଳ ବିଭାଗ ପକ୍ଷରୁ ନଳକୂଅ ପାଇଁ ଗାଁରେ ବୋରିଂ ଖୋଳାହୋଇଛି। ଏହା ମଧ୍ୟରେ ୩ମାସ ବିତିଯାଇଥିଲେ ବି ଏ ପର୍ଯ୍ୟନ୍ତ ନଳକୂଅ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିଲା ନାହିଁ। ଗାଁକୁ ବିଜୁଳି ଆଲୁଅ, ଫୋନ୍ ନେଟଓ୍ବର୍କ ସାତସପନ ପାଲଟିଛି। ତେଣୁ ପାଠପଢ଼ିବା ପାଇଁ ବହୁ ହନ୍ତସନ୍ତ ହେଉଛନ୍ତି ବୋଲି ଗାଁର ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି। ନିର୍ବାଚନ ଆସିଲେ ନେତାମାନେ ଆସି ଗାଁରେ ଭୋଟ ମାଗୁଛନ୍ତି। ଗାଁର ମୌଳିକ ସମସ୍ୟା ଦୂରକରିବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। କିଛିଦିନ ପରେ ଦେଇଥିବା କଥା ଭୁଲିଯାଉଛନ୍ତି। ନିର୍ବାଚନ ପାଖେଇଆସିଥିବାରୁ ଏବେ ବିଭିନ୍ନ ଦଳର ନେତା ଗାଁକୁ ଆସୁଛନ୍ତି। ଗାଁର ମୌଳିକ ସମସ୍ୟା ଦୂର କରାଯାଉନଥିବାରୁ ଚଳିତ ଥର ସେମାନେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।