ରାୟଗଡ଼ା: ରାୟଗଡା ଜିଲା ବିଷମକଟକ ବ୍ଲକର ସାନଗତିଗୁଡାକୁ ପକ୍କା ରାସ୍ତା ନିର୍ମାଣ ଦାବିରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ ଗ୍ରାମବାସୀ। ଗ୍ରାମବାସୀ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବିଷମକଟକ ବ୍ଲକର କାଙ୍କୁବାଡି ପଂଚାୟତର ସାନଗତିଗୁଡା ଗ୍ରାମକୁ ପକ୍କା ରାସ୍ତା ନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଦିନ ଆସିଲେ ସେହି ରାସ୍ତାର ଅବସ୍ଥା ଆହୁରି ଶୋଚନୀୟ ହୋଇପଡୁଛି। ମାଟି କାଦୁଅ ରାସ୍ତାରେ ଗାଡି ମୋଟର ଯିବା ତ ଦୂରର କଥା ପାଦରେ ଚାଲି ଚାଲି ଯିବା ବି କଷ୍ଟକର ବ୍ୟାପାର ବୋଲି କହିଛନ୍ତି ଗାଁ ଲୋକେ। ଦୀର୍ଘ ବର୍ଷ ହେଲା ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ବି ପହଂଚିପାରୁ ନଥିବାଗ୍ରାମବାସୀ କହିଛନ୍ତି। ରୋଗୀଙ୍କୁ ଗ୍ରାମବାସୀ ଭାରରେ କିମ୍ବା ଖଟିଆରେ ପ୍ରାୟ ଏକ କିଲୋମିଟର ବୋହି ଆଣିବାକୁ ପଡୁଥିବା କହିଥିଲେ।
ଏ ନେଇ ସେମାନେ ବାରମ୍ବାର ସ୍ଥାନୀୟ ସରପଂଚଙ୍କ ଠାରୁ ଆରମ୍ଭ କରି ବ୍ଲକ ବିଡିଓ ଏବଂ ରାଜନେତାଙ୍କୁ ବି ଜଣାଇଥିଲେ ବି କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଶେଷରେ ଜିଲାପାଳ ସ୍ୱଧାଦେବ ସିଂଙ୍କୁ ସାକ୍ଷାତ୍କରି ସେମାନଙ୍କର ଅଭାବ ଅସୁବିଧା ସଂପର୍କରେ ଜଣାଇଛନ୍ତି। ସାନଗତିଗୁଡା ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ ସହ ସେଠାରେ ଗୋଟିଏ ଶୀତଳ ଭଣ୍ଡାର, ଗାଁରେ ଡ୍ରେନ୍ ବ୍ୟବସ୍ଥା, ପାହଡ ପାଣି ଗାଁ ଭିତରେ ପଶୁଥିବାରୁ ପ୍ରୋଟେକ୍ସନ ୱାଲ ନିର୍ମାଣ କରିବାକୁ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି।
ତେବେ ଜିଲାପାଳ ଶୀତଳ ଭଣ୍ଡାର ବ୍ୟତୀତ ଅନ୍ୟ ତିନୋଟି ଦାବି ଯଥାଶୀଘ୍ର ପୂରଣ କରିବେ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ଗାଁର ସାୟାମା ମିଣିଆକା, ସିନାବାବୁ ହିକକା, ମେହେ ମିଣିଆକା, ସୁବାଷ ଚନ୍ଦ୍ର ମଲିକ, ରାଜେନ୍ଦ୍ର ପେରିସିକା, ଲକ୍ଷ୍ମୀ ମିଣିଆକା ପ୍ରମୁଖ କହିଛନ୍ତି। ଏ ସଂପର୍କରେ ଖବର ପାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ବିଜେଡି ଜିଲା ସଭାପତି ସୁଧୀର କୁମାର ଦାଶ। ସେମାନଙ୍କର ସମସ୍ତ ଅସୁବିଧା ବୁଝିବା ପରେ ରବିବାର ସେହି ଗାଁକୁ ଯାଇ ରାସ୍ତାକାମ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ପ୍ରଶାସନ ଓ ବିଜେଡି ସଭାପତି ସୁଧିର ଦାସଙ୍କୁ ପ୍ରଶଂସା କରିଛନ୍ତି।