‘ସୁନ୍ଦରୀ’କୁ ହତ୍ୟା ଧମକ : ୧୫ ଯାଏ କଣ୍ଟ ଦେଲେ ଗ୍ରାମବାସୀ

ଡେରାଡୁନ୍‌ ଓ ବାନ୍ଧବଗଡ଼ରୁ ଆସୁଛନ୍ତି ଟିମ୍‌, ମୃତକଙ୍କ ପରିବାରକୁ ୪.୬୦ଲକ୍ଷକ୍ଷତିପୂରଣ, ପୁଅକୁ ଦେବେ ଚାକିରି

ବନ୍ତଳା : ବାଘୁଣୀଠାରୁ ସୁରକ୍ଷା ଦେବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁହାରି କରିଥିଲୁ। ଆମ କଥା କେହି ଶୁଣିଲେ ନାହିଁ। ବର୍ତ୍ତମାନ ଆମ ଜୀବନ ବିପଦ ସୃଷ୍ଟି ହୋଇଛି। ତେଣୁ ଆମେ ଆଉ କିଛି ଶୁଣିବୁନି। ୧୫ ତାରିଖ ରାତି ସୁଦ୍ଧା ବାଘୁଣୀ ‘ସୁନ୍ଦରୀ’କୁୁ ସତକୋଶିଆ ଅଭୟାରଣ୍ୟରୁ ବିଦା କର। ନ ହେଲେ ବାଡେଇ ମାରିଦେବୁ। ମାଂସ କି ହାଡ଼ ଖଣ୍ଡେ ବି ପାଇବନି।

ଏଭଳି ଢ଼ଙ୍ଗରେ ଆଜି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ା ପଞ୍ଚାୟତ ହାତୀବାରି ଗାଁ ଲୋକେ। ଗତକାଲି ହାତୀବାରି ଗାଁର କିିସନ ସାଏଙ୍କ ସ୍ତ୍ରୀ କୈଳାସୀ ସାଏ ଘର ପାଖ ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ‘ସୁନ୍ଦରୀ’ ଝାମ୍ପ ମାରି ଘୋଷାଡ଼ି ନେଇଥିଲା। ଘଟଣା ଜଣାପଡ଼ିବା ପରେ ସାତକୋଶିଆ ବନବାସୀ ଲଙ୍କାକାଣ୍ଡ କରିଥିଲେ। ଗାଡ଼ି, ବୋଟ୍‌, ବଙ୍ଗଳା, ବିଟ୍‌ ହାଉସ୍‌, ରେଞ୍ଜ୍‌ ଅଫିସ୍‌ ସବୁ ପୋଡ଼ି ଦେଇଥିଲେ। ଚେକ୍‌ଗେଟ୍‌ ଭଙ୍ଗାରୁଜା କରିବା ସହିତ ବନ କର୍ମଚାରୀଙ୍କୁ ବି ବାଡ଼େଇଥିଲେ। ଏତିକିରେ ଘଟଣା ଥମି ନ ଥିଲା। ଗତକାଲି ରାତିସାରା ନିଆଁ ଖୁଣ୍ଟା ଜାଳି ହାତୀବାରିରେ ମହିଳାଙ୍କ ଶବ ରଖି ଲୋକେ ଜଗି ରହିଥିଲେ। ବିଳମ୍ବିତ ରାତିରେ ମଝିପଡ଼ା ବିଟ୍‌ ହାଉସ୍‌ ବି ଜାଳି ଦେଇଥିଲେ। ଆଜି ସକାଳୁ ଜଗନ୍ନାଥପୁର ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା। ଏହାପରେ ପମ୍ପାସର ଗେଟ୍‌ରେ ଡିଏଫ୍‌ଓଙ୍କ ସହ ଆଲୋଚନା କରିବାକୁ ଏସ୍‌ପି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସେତେବେଳକୁ ଲୋକେ ପମ୍ପାସର ଗେଟ୍‌ରେ ଭଙ୍ଗାରୁଜା ଆରମ୍ଭ କରିଥିଲେ। ରେଞ୍ଜର୍‌ଙ୍କ ମଟର ସାଇକଲ, ସିସିଟିଭି କ୍ୟାମେରା ଓ ଆସବାବପତ୍ର ଭାଙ୍ଗି ଦେଇଥିଲେ। ଅପରାହ୍‌ଣରେ ସାତକୋଶିଆ ଡିଏଫ୍‌ଓ ଏସ୍‌ଏମ୍‌ଟି ରେହ୍‌ମାନ ସେଠାରେ ପହଂଚି ଆସନ୍ତା ୧୫ ତାରିଖ ସୁଦ୍ଧା ବାଘୁଣୀକୁ ଏଠାରୁ ସ୍ଥାନାନ୍ତର କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ବାଘୁଣୀ ସ୍ଥାନାନ୍ତର ନ ହେବା ପର୍ଯ୍ୟନ୍ତ ଲୋକଙ୍କ ସୁରକ୍ଷା ପାଇଁ ୩ ପ୍ଲାଟୁନ୍‌ ପୁଲିସ ଫୋର୍ସ, ୪୦ ଜଣ ବନ କର୍ମଚାରୀ ବାଘୁଣୀ ଉପରେ ନଜର ରଖିବେ। ସେହିପରି ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା କ୍ଷତିପୂରଣ, ରେଡ୍‌କ୍ରସରୁ ୨୦ହଜାର ଟଙ୍କା, ଶୁଦ୍ଧିକ୍ରିୟା ପାଇଁ ବନ ବିଭାଗ ପକ୍ଷରୁ ୪୦ ହଜାର ଟଙ୍କା ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ମୃତ ମହିଳାଙ୍କ ପୁଅକୁ ଚାକିରି ଦେବାକୁ ଉଦ୍ୟମ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧିତ ଖବର