ବାସୁଦେବପୁର : ପଞ୍ଚାୟତ ନିର୍ବାଚନ ପ୍ରଚାରବେଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନମଣ୍ଡଳୀ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଜନତାଙ୍କ ରୋଷର ସମ୍ମୁଖୀନ ହୋଇଛନ୍ତି। ଆଜି ଦଳୀୟ ପ୍ରାର୍ଥୀଙ୍କ ପାଇଁ ବିଦେଇପୁର ପଞ୍ଚାୟତକୁ ପ୍ରଚାର କରିବାକୁ ଯିବା ସମୟରେ ବିଧାୟକ ଶ୍ରୀ ରାଉତରାୟଙ୍କୁ ଲୋକେ ଅଟକ ରଖିବା ସହ ଧାରଣାରେ ବସି ପ୍ରତିବାଦ ଜଣାଇଥିଲେ।
ଶୁକ୍ରବାର ଅପରାହ୍ନରେ ବିଧାୟକ ଶ୍ରୀ ରାଉତରାୟ, ତାଙ୍କ ପ୍ରତିନିଧି ଅସିତ କୁମାର ଦାଶ ଓ ସମର୍ଥକମାନେ ବିଦେଇପୁର ପଞ୍ଚାୟତର ୧୬ ନମ୍ବର ୱାର୍ଡ ନାୟକ ସାହିରେ ପ୍ରଚାର କରିବାକୁ ଆସିଥିଲେ। ଏହି ସମୟରେ ଲୋକମାନେ ତାଙ୍କୁ ଘେରିଯାଇ ‘ବାତ୍ୟା ୟାସ୍’ ଓ କରୋନାବେଳେ କୁଆଡ଼େ ଥିଲ ବୋଲି ପଚାରିଥିଲେ। ବିପତ୍ତି ସମୟରେ ତ ଆପଣଙ୍କର ଦେଖା ମିଳିଲାନି। ବିଧାୟକ ଭାବେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାକୁ ବି ପାଳନ କଲେନି। ବାତ୍ୟାରେ ବେଘର ହୋଇଥିବା ଲୋକମାନେ ଆଜି ପର୍ଯ୍ୟନ୍ତ ଆବାସ ଘର ପାଇନାହାନ୍ତି ବୋଲି ଅଭିଯୋଗ କରି ଗାଁ ଲୋକେ ବିଧାୟକଙ୍କୁ ପ୍ରଶ୍ନବାଣରେ ପୋତି ପକାଇବା ସହ ଅଟକ ରଖିଥିଲେ।
ଖବର ପାଇ ଏସ୍ଡିପିଓ ପ୍ରଭାସ ଚନ୍ଦ୍ର ପାଲ, କଶିଆ ସାମୁଦ୍ରିକ ଥାନା ପୁଲିସ, ନାୟକାଣିଡ଼ିହି ଓ ବାସୁଦେବପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ବିଧାୟକଙ୍କୁ ଉଦ୍ଧାର କରିଥିଲେ। ପରେ ବିଧାୟକ ଶ୍ରୀ ରାଉତରାୟ ଜଣେ ସମର୍ଥକଙ୍କ ଘରେ ଆଶ୍ରୟ ନେଇଥିଲେ। ତେବେ ଏତିକିରେ ଗ୍ରାମବାସୀଙ୍କ ରୋଷ ଶାନ୍ତ ହୋଇନଥିଲା। ବିଧାୟକ ତୁରନ୍ତ ସେ ସ୍ଥାନ ଛାଡ଼ି ଚାଲିଯିବା ପାଇଁ ଗ୍ରାମବାସୀ ଘଟଣାସ୍ଥଳରେ ରାସ୍ତା ମଧ୍ୟ ଅବରୋଧ କରିଥିଲେ। ଏହି ଘଟଣାକୁ ନେଇ ସନ୍ଧ୍ୟାରେ ବିଧାୟକ ଓ ଗ୍ରାମବାସୀ ପରସ୍ପର ବିରୋଧରେ ବାସୁଦେବପୁର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।