ରାୟଗଡ଼ା : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ କୈଳାସପୁର ପଞ୍ଚାୟତର ଚମ୍ପାକଣା ଗ୍ରାମରେ ଟିକାକରଣ ପାଇଁ ଗାଁ ଲୋକଙ୍କୁ ସଚେତନ କରାଯାଇଥିଲା। କୋଭିଡରୁ ବର୍ତ୍ତିବା ଲାଗି ଟିକାକରଣ ଏକମାତ୍ର ବିକଳ୍ପ ହୋଇଥିବାରୁ ଟିକା ନେବାକୁ ସହମତି ପ୍ରଦାନ କରିଥିଲେ ଗ୍ରାମବାସୀ। ହେଲେ ବୁଧବାର ଦିନ ସ୍ବାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚିବା ପୂର୍ବରୁ ତାଟି କବାଟ ପକାଇ ଗାଁ ଲୋକେ ଅନ୍ୟତ୍ର ପଳାଇଛନ୍ତି। ପୂରା ଗାଁ ଜନଶୂନ୍ୟ ଥିବାରୁ ସ୍ବାସ୍ଥ୍ୟ ବିଭାଗ ଟିମ୍ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ଶେଷରେ ନିରାଶ ହୋଇ ଫେରିଆସିଛନ୍ତି। ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ କୈଳାସପୁର ପଞ୍ଚାୟତର ଚମ୍ପାକଣା ଗ୍ରାମରେ ଟିକାକରଣ ପାଇଁ ଯାଇଥିବା ସ୍ବାସ୍ଥ୍ୟ ବିଭାଗ ଟିମ୍କୁ ଏପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
୫୦୦ରୁ ଊର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ଗତ ୭ ତାରିଖ (ସୋମବାର) କୋଲନରା ଚିକିତ୍ସା ଅଧିକାରୀ ଡା. ଜି. ଶୈଳଜା, ଜନସ୍ବାସ୍ଥ୍ୟ ଅଧିକାରୀ ଶୁଭଶ୍ରୀ ଦାଶ, ବ୍ଲକ୍ ପ୍ରୋଗାମ ଅଫିସର୍ କଳ୍ପନା ମିଶ୍ର ମୁକୁନ୍ଦପୁର ପଞ୍ଚାୟତ ଅଫିସରେ ପହଞ୍ଚି ବୈଠକ କରିଥିଲେ। ବୈଠକରେ କୈଳାସପୁର, ରେଖାପଦର, ମୁକୁନ୍ଦପୁର ଗ୍ରାମବାସୀ ଯୋଗ ଦେଇଥିଲେ। ଏଥିସହିତ ସରପଞ୍ଚ, ୱାର୍ଡମେମ୍ବର, ଦିଶାରି, ଗାଁ ଜାନିଙ୍କୁ ବୈଠକରେ ସାମିଲ୍ କରାଯାଇଥିଲା। ଅନ୍ଧବିଶ୍ବାସ ଓ କୁସଂସ୍କାରର ବଶବର୍ତ୍ତୀ ହୋଇ ଗାଁ ଲୋକ ଟିକାକରଣ ପାଇଁ ମନା କରିଥିବାରୁ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଗ୍ରାମବାସୀଙ୍କୁ ୩ ଘଣ୍ଟା ଧରି ବୁଝାଇଥିଲେ। ସେହିପରି ଗାଁ ଲୋକଙ୍କୁ ମନାଇବା ପାଇଁ ସରପଞ୍ଚ, ଦିଶାରି, ଜାନିଙ୍କ ସହାୟତା ନେଇଥିଲା ସ୍ବାସ୍ଥ୍ୟ ବିଭାଗ। ସୋମବାର ବୈଠକରେ ୩ ଗ୍ରାମବାସୀ ଟିକାକରଣ ପାଇଁ ରାଜି ହୋଇଥିଲେ। ଫଳରେ, ଜି ଟିକାକରଣ ପାଇଁ ବ୍ଲକ୍ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା। ଆଜି ସ୍ବାସ୍ଥ୍ୟ ବିଭାଗର ୨ ଏଏନ୍ଏମଙ୍କ ସମେତ ଡାଟା ଏଣ୍ଟ୍ରି ଅପରେଟର୍ ଓ ଜଣେ ଡାକ୍ତର ଚମ୍ପାକଣା ଗ୍ରାମକୁ ଟିକାକରଣ ପାଇଁ ଯାଇଥିଲେ। ପ୍ରଥମ ପର୍ଯ୍ୟାୟରେ ୧୦୦ ଡୋଜ୍ ଟିକା ଦେବା ପାଇଁ ପ୍ରସ୍ତୁତି କରି ଟିମ୍ ଯାଇଥିଲା। ପୂର୍ବାହ୍ନ ଟିକାକରଣ ଟିମ୍ ଗାଁରେ ପହଞ୍ଚିବା ପରେ ପୂରା ଗାଁ ଜନଶୂନ୍ୟ ଥିବା ସହିତ ଘରେ ଘରେ ତାଟି କବାଟ ପଡ଼ିଥିବା ଦେଖିଥିଲେ। କିଛି ବୟସ୍କ ଲୋକ ଗାଁରେ ଥିବା ବେଳେ ସେମାନଙ୍କ ସହ ସ୍ବାସ୍ଥ୍ୟ ବିଭାଗ ଟିମ୍ ଆଲୋଚନା କରିଥିଲେ। କିନ୍ତୁ ଲୋକେ କାମଧନ୍ଧା ଲାଗି ବାହାରକୁ ଯାଇଥିବା ପ୍ରକାଶ କରିବା ପରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ଘଣ୍ଟା ଘଣ୍ଟା ଧରି ଗାଁରେ ଅପେକ୍ଷା କରିଥିଲେ। ମଧ୍ୟାହ୍ନ ସୁଦ୍ଧା କେହି ନ ଫେରିବାରୁ ଶେଷରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ଫେରି ଆସିଥିଲେ। ତେବେ, ସ୍ଥାନୀୟ ଅଞ୍ଚଳର କିଛି ସଚେତନ ଲୋକଙ୍କ କହିବାନୁସାରେ, ଟିକା ପାଇଁ ଭୟ ଯୋଗୁ ଲୋକମାନେ ଗାଁ ଛାଡ଼ି ପଳାଇ ଯାଇଛନ୍ତି।
ଏ ନେଇ କୋଲନରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଜି. ଶୈୖଳଜାଙ୍କୁ ଯୋଗାଯୋଗ କରିବାରୁ ଟିକାକରଣ ପାଇଁ ଯାଇଥିବା ଟିମ୍କୁ ଦେଖି ଗ୍ରାମବାସୀ ଦୌଡ଼ି ପଳାଇ ଯାଇଥିଲେ। ବାରମ୍ବାର ବୁଝାଇବା ସତ୍ତ୍ବେ ଟିକା ନେବାକୁ କେହି ଆସି ନଥିଲେ।
ଏହା ପ୍ରଥମ ଘଟଣା ନୁହେଁ। ସଚେତନତା ଅଭାବରୁ କୋଲନରା ବ୍ଲକର ଗ୍ରାମାଞ୍ଚଳରେ ସ୍ବାବ୍ ଟେଷ୍ଟିଂ, ଟିକାକରଣକୁ ନେଇ ସ୍ବାସ୍ଥ୍ୟ ବିଭାଗ ଟିମ୍କୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। କିଛିଦିନ ତଳେ ସ୍ବାସ୍ଥ୍ୟ ବିଭାଗ ଟିମ୍ ଗୌଡ଼ଲେଲିବାଡ଼ି ଗାଁକୁ ସ୍ବାବ୍ ଟେଷ୍ଟ କରିବାକୁ ଯାଇଥିଲା। ଗାଁରୁ ୨ ଜଣଙ୍କ ସ୍ବାବ ରିପୋର୍ଟ ପଜିଟିଭ୍ ଆସିବା ପରେ ଗାଁ ଲୋକ ତୀବ୍ର ବିରୋଧ କରିବା ସହ ଟିମ୍କୁ ଘଉଡ଼ାଇ ଦେଇଥିଲେ।