ଚାରିଛକ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡ଼େଣିଗଡ଼ ପଂଚାୟତ ଅର୍ନ୍ତଗତ କୁଚୁଡ଼ା ଗ୍ରାମରେ ପୋଲ ନିର୍ମାଣ କାମ ଅଧପନ୍ତରିଆ ହୋଇଥିବାରୁ ଗତ ୫ ବର୍ଷ ହେଲା ଗା୍ରମବାସୀ ଯାତାୟାତ ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, କୁଚୁଡ଼ା ଗ୍ରାମରେ ଦୁଇଟି ଆଦିବାସୀ ଏବଂ ହରିଜନ ବସ୍ତିରେ ପାଖାପାଖି ୧୨୦ ପରିବାରରେ ୮ଶହ ଲୋକ ବସବାସ କରୁଛନ୍ତି। ଗ୍ରାମ ଠାରୁ ୧ କିମି ଦୂରରେ ଥିବା ମାଧପୁର-ଖଜୁରୀପଡ଼ା ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା କୁଚୁଡ଼ା ପୋଲ ଛାତ ୨୦୧୩ ବନ୍ୟାରେ ସଂପୂର୍ଣ୍ଣ ଧୋଇ ଯାଇଛି। ଫଳରେ ଗାଁ ଲୋକେ ୫ବର୍ଷ ହେଲା ଯାତାୟାତ ପାଇଁ ବହୁ ଅସୁବିଧା ଭୋଗୁଛନ୍ତି।

Advertisment

ଏନେଇ ଗାଁଲୋକେ ପଂଚାୟତଠାରୁ ଆରମ୍ଭ କରି ବ୍ଲକ କାଯ୍ୟଳୟକୁ ପୋଲ ନିର୍ମାଣ ପାଇଁ ଦୌଡ଼ିବା ପରେ ୨୦୧୫-୧୬ ଆର୍ଥିକ ବର୍ଷରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହାର ନିର୍ମାଣ କାମ ଆରମ୍ଭ କରାଗଲା। ୫ ଲକ୍ଷ ଟଙ୍କା ପୋଲ ନିର୍ମାଣ ପାଇଁ ନିଅଣ୍ଟ ହେବାରୁ କେବଳ ଏହାର ଫାଉଣ୍ଡେସନ ନିର୍ମାଣ କାମ ପରେ ଅଧାପନ୍ତରିଆ ଭାବେ ରହିଯାଇଛି। ହଠାତ୍‌ ନିର୍ମାଣ କାମ ବନ୍ଦ ହୋଇଯିବାରୁ ଲୋକଙ୍କ ବହୁଦିନର ଆଶା ଆଜି ପର୍ଯ୍ୟନ୍ତ ଆଶାରେ ହିଁ ରହି ଯାଇଥିବା ଗାଁର ଲକ୍ଷ୍ମଣ ବେହେରା, କବିରାଜ ବେହେରା, ପଙ୍କଜ ବେହେରା, ହେମନ୍ତ ବେହେରା, ଅଗସ୍ତି ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମବାସୀଙ୍କ ତରଫରୁ ତୁରନ୍ତ ପୋଲ ନିର୍ମାଣ ସଂପୂର୍ଣ୍ଣ କରିବା ସହିତ ସେମାନଙ୍କ ସମସ୍ୟା ତୁରନ୍ତ ସମାଧାନ ପାଇଁ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ରଙ୍କୁ ଲିଖିତ ଭାବେ ଜଣାଇଥିବା କହିଛନ୍ତି। ଏଣୁ ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ଏ ସଂର୍ପକରେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ରଙ୍କୁ ପଚାରିବାରୁ ଗ୍ରାମବାସୀଙ୍କ ଅଭିଯୋଗ ପରେ ତୁରନ୍ତ ପୋଲ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ।