ବୁଲୁଛି ଡ୍ରୋନ୍‌ କ୍ୟାମେରା: ରାତିରେ ଜଗୁଛନ୍ତି ଆତଙ୍କିତ ଗ୍ରାମବାସୀ

ସଇନ୍ତଳା: ସଇନ୍ତଳା ବ୍ଲକ୍‌ ଭଦ୍ରା, ଡୁଙ୍ଗୁରିପାଲି ଓ ଘୁନସର ପଞ୍ଚାୟତର କିଛି ଗ୍ରାମରେ ଗତ କିଛିଦିନ ହେଲା ବିଳମ୍ବିତ ରାତିରେ ଡ୍ରୋନ କ୍ୟାମେରା ବୁଲୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହାକୁ ନେଇ ଗ୍ରାମବାସୀଙ୍କ ମନରେ ଭୟର ବାତାବରଣ ଦେଖାଦେଇଛି। ରାତିରେ ଗ୍ରାମର ଯୁବକମାନେ ପାଳି କରି ଗ୍ରାମକୁ ପହରା ଦେଉଛନ୍ତି।
ଗ୍ରାମବାସୀଙ୍କ ସୂଚନା ଅନୁସାରେ, ଗତ କିଛିଦିନ ତଳେ ଭଦ୍ରା ଗ୍ରାମ ସିଲେଟପଡ଼ା, ଡୁଙ୍ଗୁରିପାଲି ପଞ୍ଚାୟତର ତେଣ୍ତଲିପାଲି, ଘୁନସର ପଞ୍ଚାୟତର କନ୍ଧଉଲବା ଓ ବାବୁଉଲବା ଗ୍ରାମରେ ରାତି ୧୧ଟା ପରେ ଏକ ଡ୍ରୋନ୍‌ କ୍ୟାମେରା ବୁଲୁଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ।

ସେହିପରି ଗତ ଦୁଇଦିନ ତଳେ ସିଲେଟ ପଡ଼ା ଗ୍ରାମକୁ କିଛି ଦୁର୍ବୃତ୍ତ ଯାଇ ଜଣେ ଗ୍ରାମବାସୀଙ୍କ ଘର କବାଟ ବାଡ଼େଇଥିଲେ। ଶବ୍ଦ ଶୁଣି ଘର ମାଲିକ ସିସିଟିଭି ଫୁଟେଜରୁ କିଛି ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି କବାଟ ବାଡ଼ଉଥିବା ଦେଖିପାରି ପହରା ଦେଉଥିବା ଯୁବକମାନଙ୍କୁ ଫୋନ୍‌ କରି ଏ ବିଷୟରେ କହିଥିଲେ। ଯୁବକମାନେ ପହଞ୍ଚିଯିବାରୁ ସେମାନେ ନିକଟରେ ଥିବା ଏକ ମକା କିଆରିକୁ ପଶି ଯାଇ ପଳାଇ ଯାଇଥିଲେ। ଗତ ୧୭ ତାରିଖ ବିଳମ୍ବିତ ରାତିରେ ଘୁନସର ପଞ୍ଚାୟତର ବାବୁଉଲବା, କନ୍ଧଉଲବା, ନରାବାହାଲି ଦେଇ ଏକ ଡ୍ରୋନ କ୍ୟାମେରା ଆମ୍ବପାଲି ପର୍ଯ୍ୟନ୍ତ ଯାଇଥିବା ଦେଖିବାକୁ ମିଳିଥିଲା।

ଡ୍ରୋନ୍ କ୍ୟାମେରା କିଏ ଓ କେଉଁ ଉଦ୍ଦେଶ୍ୟରେ ଉଡ଼ାଉଛି ତାକୁ ନେଇ ସାଧାରଣରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏ ବିଷୟରେ ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ରନାଥ ଶତପଥୀଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରାଯିବା ସହ ଅତିଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ସଇନ୍ତଳା ଅଞ୍ଚଳରେ ଗତ କିଛିମାସ ହେଲା ହିନ୍ଦୀ ଓ ବଙ୍ଗାଳି ଭାଷା କହୁଥିବା ବହୁ ବ୍ୟକ୍ତି ଆସି ରହୁଛନ୍ତି। ସେମାନେ ଗ୍ରାମକୁ ଗ୍ରାମ ବୁଲି ବିଭିନ୍ନ ସାମଗ୍ରୀ ବିକ୍ରୟ ମଧ୍ୟ କରୁଛନ୍ତି। କିନ୍ତୁ ସେମାନେ କେଉଁ ଅଞ୍ଚଳର ଏବଂ ରାତି ସମୟରେ କେଉଁଠି ରହୁଛନ୍ତି ତାର ତଦନ୍ତ କରାଯିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର