ବାଲେଶ୍ବର : ଫେସ୍‌ବୁକ୍‌ ପ୍ରେମୀଙ୍କୁ ବାହା କରାଇଲେ ଗ୍ରାମବାସୀ

ସୋର : ଫେସ୍‌ବୁକ୍‌ରୁ ପ୍ରେମ ହୋଇଥିଲା। ହେଲେ ‌ପ୍ରେମିକ-ପ୍ରେମିକାରୁ ହଠାତ୍‌ ପତି-ପତ୍ନୀ ହୋଇଯିବେ, ଏକଥା ପ୍ରେମୀଯୁଗଳ କେବେ ଭାବିନଥିଲେ। ଏମିତି ଏକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ମାଣିପୁର ପଞ୍ଚାୟତ ଗୁଲୁଣିଆ ଗ୍ରାମରେ।

ସୂଚନା ଅନୁୁସାରେ‌‌; ଗୁଲୁଣିଆ ଗ୍ରାମର ସୁରେନ୍ଦ୍ର ବେହେରାଙ୍କ ଝିଅ ଦମୟନ୍ତୀ ଏବଂ ଜଡ଼ିଦା ପଞ୍ଚାୟତ ବାବୁପାଟଣା ଗ୍ରାମର ଯୁଧିଷ୍ଠିର ବେହେରାଙ୍କ ପୁଅ ବୈକୁଣ୍ଠଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା। ସେମାନେ ଫେସ୍‌ବୁକ୍‌ରୁ ନିକଟତର ହୋଇଥିଲେ। ତେବେ ଗତକାଲି ଘରେ କେହି ନଥିବା ବେଳେ ଦମୟନ୍ତୀ ପ୍ରେମିକ ବୈକୁଣ୍ଠଙ୍କୁ ଘରକୁ ଡାକିଥିଲେ। ଦୁହେଁ ବସି କଥା ହେଉଥିବା ବେଳେ ଗ୍ରାମର କିଛି ଲୋକ ସେମାନଙ୍କୁ ସଂଦେହ ଦୃଷ୍ଟିରେ ଦେଖିବା ସହ କବାଟ ବନ୍ଦ କରି ଅଟକ ରଖିଥିଲେ। ପରେ ଉଭୟଙ୍କ ଘରଲୋକଙ୍କୁ ଏନେଇ ଖବର ଦିଆଯାଇଥିଲା। ଝିଅଘର ପୁଅ ଓ ଝିଅଙ୍କଠାରୁ ସବୁ କଥା ଶୁଣିଥିଲେ। ଉଭୟ ପରସ୍ପରକୁ ଭଲ ପାଆନ୍ତି ଏବଂ ବିବାହ କରିବାକୁ ଚାହାନ୍ତି ବୋଲି କହିଥିଲେ। ଫଳରେ ଦୁଇ ପରିବାର ପରସ୍ପର ଆଲୋଚନା କରିବା ସହ ବିବାହ ନିଷ୍ପତ୍ତି ନିଆଯାଇଥିଲା। ତେବେ ବିଳମ୍ବିତ ରାତିରେ ଦୁଇଜଣଙ୍କ ବିବାହ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଥିବାବେଳେ ବର ତାଙ୍କର କନିଆକୁ ଧରି ଘରକୁ ଫେରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର