ସ୍ୱାଭିମାନ ଅଞ୍ଚଳରେ ସରୁନି ଦୁଃଖ: ଚାଉଳ ପାଇଁ ଯିବାକୁ ପଡ଼ୁଛି ୧୮ କିମି

ଚିତ୍ରକୋଣ୍ଡା : ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସ୍ବାଭିମାନ ଅଞ୍ଚଳକୁ ଦୂରତା କମିଛି। ଜଳପଥରେ ବିପଜ୍ଜନକ ଯାତ୍ରାରୁ ଲୋକେ ତ୍ରାହି ପାଇଛନ୍ତି। ବହୁ ଗାଁକୁ ପକ୍କା ରାସ୍ତା ନିର୍ମାଣ ହୋଇଛି। ଏହା ଫଳରେ ଯାତାୟାତ ପୂର୍ବାପେକ୍ଷା ସୁଗମ ହୋଇଥିଲେ ବି ସ୍ଥାନୀୟ ଲୋକେ ଏବେ ବି ଚାଉଳ ପାଇଁ ୧୮କିମି ବାଟ ଯାଉଛନ୍ତି। ଧୂଳିପୁଟ ପଞ୍ଚାୟତର ଅନେକ ଗାଁରେ ଏହିଭଳି ଦୃଶ୍ୟ ଦେଖିବାକୁ ମଳିଛି।

ପଡ଼ୋଶୀ ରାଜ୍ୟ ଆନ୍ଧ୍ର ସୀମାକୁ ଲାଗି ରହିଛି ଏହି ଦୁର୍ଗମ ପଞ୍ଚାୟତ। ଛୋଟବଡ଼ ମୋଟ ୨୫ ଖଣ୍ଡ ଗାଁ ଏହି ପଞ୍ଚାୟତ ଅଧୀନରେ ରହିଛି। ୪ ହଜାରରୁ ଊର୍ଦ୍ଧ୍ବ ଲୋକ ଏଠାରେ ବସବାସ କରୁଛନ୍ତି। କିନ୍ତୁ ଏବେ ବି ଏଠାକାର ଲୋକଙ୍କୁ ଚାଉଳ ପାଇଁ ବଡ଼ପଡ଼ାର ହାଟଗୁଡ଼ା ପର୍ଯ୍ୟନ୍ତ ଆସିବାକୁ ପଡ଼ୁଛି। ପ୍ରାୟ ୧୮ କିଲୋମିଟର ଦୂରରେ ଥିବା ଏହି ବଣ୍ଟନ ସ୍ଥଳକୁ ଲୋକେ ଚାଲି ଚାଲି କିମ୍ବା ଘୋଡ଼ା ଦ୍ବାରା ଆସୁଛନ୍ତି।

ଆଜି ହାଟଗୁଡ଼ାକୁ କିଛି ଲୋକ ଚାଉଳ ନେବାକୁ ଆସିଥିଲେ। ପ୍ରତି ମାସରେ ସେମାନେ କି ଭଳି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ତାହା ପ୍ରକାଶ କରିଥିଲେ। ଧୂଳିପୁଟ ଠାରୁ ବଡ଼ପଡା ବହୁ ଦୂରରେ ରହିଥିବା ବେଳେ ୩୫ କିଲୋ ଚାଉଳକୁ ପରିବହନ ନିମନ୍ତେ ଅଟୋ ଖର୍ଚ୍ଚ ୧୫୦ ଟଙ୍କା ଦେବାକୁ ପଡ଼ୁଛି ବୋଲି ଜଣେ ହିତାଧିକାରୀ କହିଥିଲେ। ଏହି ଡରରେ କିଛି ବୃଦ୍ଧବୃଦ୍ଧା ଆଦୌ ଚାଉଳ ନେଉ ନଥିବା ବି ହିତାଧିକାରୀମାନେ ଅଭିଯୋଗ କରିଛନ୍ତି।

ସରକାର ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟରେ ସଂପୃକ୍ତ ପଞ୍ଚାୟତର ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏଠାରେ କାହିଁକି ବ୍ୟତିକ୍ରମ ହେଉଛି ତାକୁ ନେଇ ପ୍ରଶ୍ନ ଉଠିଛି। ଧୂଳିପୁଟ ପଞ୍ଚାୟତ ନିମନ୍ତେ ନିୟୋଜିତ ସେଲସ୍‌ମ୍ୟାନଙ୍କ କହିବା ଅନୁଯାୟୀ ବର୍ଷା ଯୋଗୁ ଧୂଳିପୁଟ ପଞ୍ଚାୟତକୁ ଗାଡ଼ି ଯାଇପାରୁନି। ସେହିପରି ଗାଡ଼ି ଭଡ଼ା କଲେ ଅଧିକ ଟଙ୍କା କହୁଛନ୍ତି। ଯାହାଫଳରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ବାଧ୍ୟ ହୋଇଥିବା କହିଥିଲେ। ଯାହା ବି ହେଉ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ହିତାଧିକାରୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର