ସମ୍ବାଦ ପ୍ରଭାବ: ତୁର୍କାବାସୀଙ୍କୁ ମିଳିଲା ଟିକା, ୧୦୦ ବର୍ଷ ହେବ ଟିକା ନେଇନଥିଲେ

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ତୁର୍କା ଗାଁ ବସିବା ଇତିମଧ୍ୟରେ ଶହେବର୍ଷ ଟପିସାରିଥିଲାଣି। ତଥାପି ଆଜି ଯାଏ ଗାଁର କେହି ପ୍ରତିଷେଧକ ଟିକା ପାଇ ନଥିଲେ। ଏ ସଂପର୍କରେ ଶୁକ୍ରବାର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଗାଁରେ ପହଞ୍ଚି ଗ୍ରାମବାସୀଙ୍କୁ କୋଭିଡ ଟିକା ଦେଇଛନ୍ତି। ସେହିପରି ଆସନ୍ତା ମାସ ପହିଲାରୁ ଅନ୍ୟ ଟିକାଦାନ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର କୁଟିଆ କନ୍ଧଙ୍କ ଗାଁ ତୁର୍କା। ଗାଁରେ ରହୁଛନ୍ତି ୩୦ଟି କୁଟିଆ କନ୍ଧ ପରିବାର। ପଞ୍ଚାୟତ ମୁଖ୍ୟାଳୟ ଠାରୁ ୧୬ କିମି ଦୂରରେ ରହିଛି ଏହି ଗାଁ। ସରକାରଙ୍କର ସବୁ ଯୋଜନା ଏଠି ବାଟବଣା। ସ୍ୱାସ୍ଥ୍ୟ ବିଭାଗର ଖାମଖିଆଲି ଯୋଗୁଁ ଗାଁର କୌଣସି ଗର୍ଭବତୀ କିମ୍ବା ଛୋଟ ଶିଶୁଙ୍କୁ ପୋଲିଓ ବୁନ୍ଦା ମିଳୁ ନାହିଁ କି କୌଣସି ଟିକା ଦିଆଯାଉ ନାହିଁ। ବର୍ତ୍ତମାନ ମଧ୍ୟ ୧୫ରୁ ଅଧିକ ଶିଶୁ ପୋଲିଓ, ହେପାଟାଇଟିସ୍‌ ଓ ଅନ୍ୟାନ୍ୟ ଟିକାରୁ ବଞ୍ଚିତ ହୋଇଛନ୍ତି। କିଛି ମହିଳାଙ୍କୁ ମମତା ଯୋଜନାରେ କାର୍ଡ ମିଳିଥିଲେ ବି ସେଥିରେ କାହାରି ନାମ ଲେଖା ଯାଇନାହିଁ। ସେହିପରି ଗାଁର କୌଣସି ଲୋକଙ୍କୁ କୋଭିଡ ଟିକା ଦେବା ପାଇଁ ଏଯାଏ ଉଦ୍ୟମ କରାଯାଇ ନଥିଲା। ସେମାନେ ମଧ୍ୟ କୋଭିଡ ଟିକା ବିଷୟରେ କିଛି ଜାଣି ନଥିବା ‘ସମ୍ବାଦ’କୁ କହିଥିଲେ। ଏ ସଂପର୍କରେ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଭବାନୀ ଶଙ୍କର ଲେଙ୍କାଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବାସ୍ଥ୍ୟ ଟିମ୍‌ ତୁର୍କା ଗାଁକୁ ଯାଇ କୋଭିଡ ଟିକା ଦେଇଛନ୍ତି।

ସମ୍ବନ୍ଧିତ ଖବର