ବୌଦ୍ଧ : ଆସନ୍ତା ୨ ତାରିଖ ବୌଦ୍ଧ ଜିଲ୍ଲା ସ୍ବନକ୍ଷତ୍ର ଦିବସ ପାଳିତ ହେବ। ଏହି ଅବସରରେ ଜିଲ୍ଲା ସଂଗ୍ରହାଳୟର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଲୋକାର୍ପଣର ଅବ୍ୟବହିତ ପୂର୍ବରୁ ବିଭିନ୍ନ ବର୍ଗଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆବିଷ୍କୃତ ପୁରାତନ ମୂର୍ତ୍ତି ସ୍ଥାନୀୟ ଲୋକେ ସଂଗ୍ରହାଳୟକୁ ହନ୍ତାନ୍ତର କରିଛନ୍ତି। ଗୁରୁବାର ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା, ରାମଗଡ଼ ସରପଞ୍ଚଙ୍କ ସହ ପ୍ରଗଳପୁର ଓ ଶ୍ୟାମସୁନ୍ଦରପୁର ଗାଁ ଲୋକେ କିଛି ପୁରାତନ କୀର୍ତ୍ତିରାଜି ବିଧାୟକ ପ୍ରଦୀପ ଅମାତଙ୍କ ଉପସ୍ଥିତିରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଲଲାଟେନ୍ଦୁ ମିଶ୍ରଙ୍କୁ ପ୍ରଦାନ କରିଛନ୍ତି। ପ୍ରଗଳପୁର ଗ୍ର୍ରାମବାସୀ ବୁଦ୍ଧ ମୂର୍ତ୍ତି ଏବଂ ଶ୍ୟମସୁନ୍ଦରପୁର ଗାଁ ଲୋକେ ଐତିହାସିକ ପଥର ଓ ଇଟା ପ୍ରଦାନ କରିଛନ୍ତି। ଉଭୟ ଗ୍ରାମବାସୀ ଏକ ରାଲିରେ ଆସି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। କାର୍ଯ୍ୟକ୍ରମରେ ଉଭୟ ଗ୍ରାମର ନରସିଂହ ସେଠୀ, ସନ୍ତୋଷ ସାହୁ, ନୀଳକଣ୍ଠ ବେହେରା, ବାସୁଦେବ ପ୍ରଧାନ, ସୁଜିତ କର୍ଣ୍ଣ, ହମିଦ ଦନ୍ତା, ଟୁକୁନ କର୍ଣ୍ଣ, ଅରବିନ୍ଦ ମହାକୁଡ଼, ଖଗେଶ୍ବର ପ୍ରଧାନ, ତରଣୀସେନ ମାହାର, ବିରୁପାକ୍ଷ ଭୁକ୍ତା, ଅନନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Advertisment

ଅଜାଙ୍କ ଜାତୀୟ ପୁରସ୍କାର ହସ୍ତାନ୍ତର କଲେ ନାତି
ଦିନ ଥିଲା ବୌଦ୍ଧର ମହମ୍ମଦ ଫୁଟ୍‌ୱେର ସାରା ଦେଶରେ ସୁନାମ ଅର୍ଜନ କରିଥିଲା। ସେହି ସମୟରେ ଏନ୍‌ସିସି, ସେନା ବାହିନୀ ପାଇଁ ଏଠାରେ ଜୋତା ତିଆରି ହେଉଥିଲା। ଉତ୍କୃଷ୍ଟ ମାନର ଜୋତା ନିର୍ମାଣ ପାଇଁ ୧୯୮୬ରେ ମହମ୍ମଦ ଫୁଟ୍‌ୱେରର ମାଲିକ ସ୍ବର୍ଗତ ଶେଖ ସଲିମଙ୍କୁ ତତ୍କାଳୀନ ରାଷ୍ଟ୍ରପତି ଜାତୀୟ ପୁରସ୍କାର ପ୍ରଦାନ କରିଥିଲେ। ଏହି ପୁରସ୍କାର ସହ ଜୋତା ତିଆରିରେ ବ୍ୟବହାର ହେଉଥିବା ସିଲେଇ ମେସିନକୁ ତାଙ୍କ ନାତି ଗୁଲାମ ରସୁଲ ଖାନ ଜିଲ୍ଲାପାଳ ଓ ବିଧାୟକଙ୍କୁ ଜିଲ୍ଲା ସଂଗ୍ରହାଳୟ ଉଦ୍ଦେଶ୍ୟରେ ହସ୍ତାନ୍ତର କରିଛନ୍ତି।