ନୂଆପଡ଼ା: ନୂଆପଡ଼ାଜିଲ୍ଲା କୋମନା ବ୍ଲକ୍ ତରବୋଡ଼ ପଞ୍ଚାୟତର ଗୋହିରାପଦର, ଧରମପୁର ଓ ତରବୋଡ଼ ଗ୍ରାମବାସୀ ନିଶାମୁକ୍ତ ଗାଁ ଗଠନ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଗାଁରେ ନିଶାଦ୍ରବ୍ୟ ବିକ୍ରି କଲେ ୫୧ ହଜାର ଟଙ୍କା ଜରିମାନା ସହ ଗାଁରୁ ୨୦ ବର୍ଷ ବାସନ୍ଦ କରାଯିବ। ନିଶାଦ୍ରବ୍ୟ ବିକ୍ରି କରୁଥିବା ବ୍ୟକ୍ତିଙ୍କ ବାବଦରେ ସୂଚନା ଦେଲେ ୧୦ ହଜାର ଟଙ୍କା ପୁରସ୍କାର ଦିଆଯିବ, ନିଶାସେବନ କରି ଗାଁରେ କଳିଝଗଡ଼ା କଲେ ଦୋଷୀଙ୍କଠାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ଗାଁର ବିଭିନ୍ନ କାନ୍ଥବାଡ଼ରେ ପୋଷ୍ଟର ଲଗାଯାଇଛି।
ସୂଚନା ଅନୁସାରେ, ତରବୋଡ଼ ପଞ୍ଚାୟତ ଅଞ୍ଚଳରେ ଚୋରା ମଦ, ଗଞ୍ଜେଇ, ସହ ନିଶା ଔଷଧ ଅନାୟାସରେ ମିଳିଯାଉଛି। ସହଜରେ ନିଶା ଉପଲବ୍ଧ ହେଉଥିବାରୁ ଯୁବଗୋଷ୍ଠୀ ବିପଥଗାମୀ ହେଉଛନ୍ତି। ଅନେକ ସମୟରେ ପରିବାରଗୁଡ଼ିକରେ ବିଶୃଙ୍ଖଳା ସୃଷ୍ଟି ହେଉଛି। ଘରର ରୋଜଗାରକ୍ଷମ ବ୍ୟକ୍ତି ରୋଜଗାର ଅର୍ଥକୁ ନିଶା ସେବନରେ ଉଡ଼ାଉଥିବାରୁ ଅନେକ ପରିବାର ଆର୍ଥିକ ସଙ୍କଟରେ ଗତି କରୁଛନ୍ତି। ନିଶା ସେବନ ଯୋଗୁଁ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଧନଜୀବନ ହାନି ହେଉଛି। ଗୋହିରାପଦର ଗାଁରେ ବି ଏହି ସମସ୍ୟା ରହିଛି। ତେଣୁ ଏକ ସୁସ୍ଥ ସମାଜ ଓ ଗାଁ ଗଠନ ଉଦ୍ଦେଶ୍ୟରେ ଗୋହିରାପଦର ଗାଁରେ ଏକ ବୈଠକ ହୋଇଥିଲା।
ତହସିଲ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୋହିରାପଦର ସମେତ ଧରମପୁର ଓ ତରବୋଡ଼ର ଲୋକେ ଉପସ୍ଥିତ ଥିଲେ। ଗାଁରେ ନିଶା କାରବାର ବନ୍ଦ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଗ୍ରାମବାସୀଙ୍କ ଏହି ନିଷ୍ପତ୍ତିକୁ ଜିଲ୍ଲାପାଳ ମଧୁସୂଦନ ଦାଶ ସ୍ୱାଗତ କରିଛନ୍ତି। ଗ୍ରାମର ଭୋଲା କାଣ୍ଡ, ଜଗଦୀଶ ସାହୁ, ଯୁଗଳ ସାହୁ, ତ୍ରିଲୋଚନ କାଣ୍ଡ, ଅର୍ଜୁନ ଜଗତ, ପ୍ରସନ୍ନ କାଣ୍ଡ, କର୍ଣ୍ଣ ଶବର, ତପନ ତେଜୁ, ପ୍ରମୋଦ ନିଆଲ, ତେଜରାମ ବାଗ, ରଞ୍ଜିତ ବାଗ, କାର୍ତ୍ତିକ ଖର୍ସେଲ, ରୁପା ଶବର, ରାମ ପ୍ରସାଦ ଶବର, ବୁଧୁ ମାଝୀ, ଗୋପାଳ କେତକୀ, ଭଗତ ଖର୍ସେଲ, ଅଶୋକ ପ୍ରଧାନଙ୍କ ସହ ଗ୍ରାମବାସୀ ବୈଠକରେ ଉପସ୍ଥିତ ଥିଲେ।