ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ପୁଲିସ ଇନଫର୍ମର ସଂଦେହରେ ଜଣେ ଗ୍ରାମବାସୀକୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଛତିଶଗଡ଼ ସରକାରଙ୍କ ତରଫରୁ ଲଗାତାର ନକ୍ସଲ ଦମନ ଅଭିଯାନରେ ଚଢ଼ାଉ କରାଯାଇ ନକ୍ସଲଙ୍କୁ ମରାଯାଉଥିବା ଯୋଗୁଁ ନକ୍ସଲ ଏବେ ଘାଇଲା ବାଘ ଭଳି ହୋଇଛନ୍ତି। ସେମାନଙ୍କର ସମସ୍ତ ଠିକଣା ପୁଲିସକୁ ମିଳୁଛି।
ତେବେ ନକ୍ସଲଙ୍କ ଗୁପ୍ତ ଠିକଣା କିପରି ପୁଲିସ ପାଉଛି ବୋଲି ନକ୍ସଲ ଏବେ ଗ୍ରାମବାସୀଙ୍କୁ ଟାର୍ଗେଟ କରୁଛନ୍ତି। ଗତ କିଛି ଦିନ ତଳେ ନାରାୟଣପୁର ଜିଲ୍ଲାରେ ୫ ଜଣ ନକ୍ସଲଙ୍କୁ ପୁଲିସ ମାରିଥିଲା। ଏଥିରେ ନକ୍ସଲ ଉତ୍ତେଜିତ ହୋଇ ପୁଲିସ ଇନଫର୍ମରକୁ ଖୋଜୁଥିଲେ। ଆବୁଝମାଡ ଅଂଚଳର ଧୁଲଧୁଲି ଅଂଚଳର ଚେତୁରାମ ମାଣ୍ଡବୀ ନାମକ ଜଣେ ଗ୍ରାମବାସୀକୁ ନକ୍ସଲ ହତ୍ୟା କରି ଏହି ଅଂଚଳରେ ଆତଙ୍କ ଖେଳାଇଛନ୍ତି।
ଗତକାଲି ରାତିରେ ବହୁ ସଂଖ୍ୟାରେ ନକ୍ସଲ ଗାଁରେ ପହଞ୍ଚି ଚେତୁରାମଙ୍କୁ ଘରୁ ଉଠାଇ ନେଇ ଜଂଗଲରେ ନିସ୍ତୁକ ମାଡ ମାରିବା ସହ ହତ୍ୟା କରିଥିଲେ।ପ୍ରକାଶ ଥାଉକି ଗତ ଜୁନ ୭ ତାରିଖରେ ପୁଲିସ ୬ ଜଣ ନକ୍ସଲକୁ ମାରିଥିଲା। ତେଣୁ ଏହି ଅଂଚଳରେ ନକ୍ସଲ ପହଞ୍ଚି ଲୋକଙ୍କୁ ଭୟଭିତ କରାଇବା ପାଇଁ ଜଣକୁ ହତ୍ୟା କରିଥିବା କୁହାଯାଉଛି।ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୁରକ୍ଷାକର୍ମୀ ମଧ୍ୟ ଜଂଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଛନ୍ତି।