ଗୁଣ୍ତି କାରଖାନାରେ ତାଲା ପକାଇଲେ ଗ୍ରାମବାସୀ

ବ୍ରହ୍ମବରଦା : ଯାଜପୁର ସଦର ଥାନା ଅନ୍ତର୍ଗତ ଅର୍ଥଙ୍ଗା ପଞ୍ଚାୟତ କ୍ରିପାଳପୁର ଓ କୋଠାସାହି ମଧୢରେ ଥିବା ଏକ ଗୁଣ୍ତି କାରଖାନାରେ ଆଜି ସ୍ଥାନୀୟ ଲୋକେ ତାଲା ପକାଇଛନ୍ତି। ଏହି ଗୁଣ୍ଡି କାରଖାନା ପାଇଁ ସ୍ଥାନୀୟ ଅଞ୍ଚଳରେ ଅସ୍ବାସ୍ଥ୍ୟକର ପରିବେଶ ଓ ‌ବିଭିନ୍ନ ରୋଗ ବ୍ୟାପିବାର ଆଶଙ୍କା ରହିଛି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି।

ପ୍ରକାଶ ଯେ, ତିନିବର୍ଷ ତଳେ ସ୍ଥାନୀୟ କିଛି ଲୋକଙ୍କୁ ଧରାଧରି କରି ଏହାର ମାଲିକ ଏଠାରେ ଗୁଣ୍ତି କାରଖାନା ନିର୍ମାଣ କରିଥିଲେ। ଏବେ ଏହି କାରଖାନାରୁ ବାହାରୁଥିବା ଦୁର୍ଗନ୍ଧ ଓ ଧୂଳିଗୁଣ୍ତରେ ପରିବେଶ ଦୂଷିତ ହୋଇଗଲାଣି। ଲୋକମାନେ ଗନ୍ଧ ଓ ଧୂଳିରେ ଅତିଷ୍ଠ ହୋଇ ପଡ଼ୁଛନ୍ତି। ଏହାଦ୍ବାରା ବିଭିନ୍ନ ରୋଗ ବ୍ୟାପିବା ଆଶଙ୍କା କରି କାରଖାନାକୁ ତୁରନ୍ତ ବନ୍ଦ କରିବାକୁ ସ୍ଥାନୀୟ ଲୋକେ ଅର୍ଥଙ୍ଗା ସରପଞ୍ଚ ସୂର୍ଯ୍ୟମଣି ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏଠାରୁ ନିର୍ଗତ ଗ୍ୟାସରେ କାରଖାନା କଡ଼ ରାସ୍ତାରେ ଯାଉଥିବା ଲୋକମାନେ ଅଣନିଶ୍ବାସୀ ହୋଇପଡ଼ୁଛନ୍ତି। ଏପରିକି କାରଖାନାରୁ ଉଡ଼ୁଥିବା ଧୂଳିଗୁଣ୍ଡରେ ଏହି ରାସ୍ତାରେ ଯାଉଥିବା ସାଇକେଲ ଆରୋହୀ ତଥା ବାଇକ୍‌ ଆରୋହୀଙ୍କ ଆଖି ପୀଡ଼ା ହେଉଛି। ତିନିବର୍ଷ ହେଲା କାରଖାନାର ଉତ୍କଟ ଗନ୍ଧରେ ହଜାରେରୁ ଅଧିକ ଗ୍ରାମବାସୀ ଅତିଷ୍ଠ ହୋଇପଡ଼ିଲେଣି।

ଅନ୍ୟପକ୍ଷରେ ଏହି ବିଷାକ୍ତ ଗ୍ୟାସ୍‌ରେ ଗ୍ରାମର ବୃଦ୍ଧବୃଦ୍ଧା ଓ ଛୋଟ ପିଲାଙ୍କୁ ବିଭିନ୍ନ ରୋଗ ହେବାର ଆଶଙ୍କା ରହୁଛି। କାରଖାନା ଠାରୁ ଶହେ ମିଟର ଦୂରରେ ଥିବା ତିନୋଟି ବିଦ୍ୟାଳୟରେ ୨ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସେହିପରି ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ ୫୦ରୁ ଅଧିକ ଛୋଟ ପିଲା ପାଠ ପଢ଼ୁଛନ୍ତି। ଏପରି ଅଭି‌‌‌ଯୋଗ କରି ଗ୍ରାମର ଅକ୍ଷୟ ଦଳାଇ, ରମାକାନ୍ତ ଦଳାଇ, ଟିକିଲି ଦଳାଇ, କପିଳା ଦଳାଇ, ବିଚିତ୍ର ଦଳାଇ, ବାବୁଲି ଦଳାଇ, ଧନେଶ୍ବର ଦଳାଇ, ବୋଧେଶ୍ବର ଦଳାଇ, ବାବୁଲି ଦଳାଇ, ଚଣ୍ତ ମଲ୍ଲିକ, ପ୍ରଭାକର ମଲ୍ଲିକ, ଶୁକଦେବ ଦଳାଇ, ସୁଶାନ୍ତ ବେହେରା, ପ୍ରଶାନ୍ତ ପାଢ଼ୀ, ଜୀବନ ବେହେରା, ଚିତ୍ତରଞ୍ଜନ ବେହେରା, କାହ୍ନୁ ଚରଣ ରାଉତ, ଅନନ୍ତ ମଲ୍ଲିକ, ବିଦ୍ୟାଧର ଦଳାଇ, ଯୁଧିଷ୍ଠିର ମଲ୍ଲିକ, ସ˚ଜୟ ମଲ୍ଲିକ, ପ୍ରଶାନ୍ତ ବେହରା ପ୍ରମୁଖ ଶତାଧିକ ଗ୍ରାମବାସୀ ପହଞ୍ଚି କାରଖାନାରେ ତାଲା ପକାଇଥିଲେ।

ସମ୍ବନ୍ଧିତ ଖବର