ଗୁରୁଣ୍ଡିଆ: ବ୍ଲକ୍‌ରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ନାଳ ଉପରେ ପୋଲଟିଏ ପାଇଁ ଗୁହାରିକଲେ; ହେଲେ କେହି ଶୁଣିଲେନି। ଶେଷରେ ଗ୍ରାମବାସୀ ନିଷ୍ପତ୍ତିନେଲେ ଅସ୍ଥାୟୀ ହେଉପଛେ, ନିଜ ସମସ୍ୟାର ନିଜେ ସମାଧାନ କରିବେ। ପ୍ରତିଘରୁ ଶ୍ରମଦାନକରି ନାଳ ଉପରେ ପୋଲଟିଏ ବନାଇବେ। ସେହି ଅନୁସାରେ ଗ୍ରାମବାସୀଙ୍କ ସାମୂହିକ ଶ୍ରମଦାନ ଓ ପଞ୍ଚାୟତ ଅନୁଦାନରେ ନାଳ ଉପରେ କରିଛନ୍ତି ଅସ୍ଥାୟୀପୋଲ। ଏହାଫଳରେ ପୂର୍ତ୍ତବିଭାଗ ମୁଖ୍ୟରାସ୍ତାରେ ସୁବିଧାରେ ​ପହଞ୍ଚିଯାଇ ହେବ। ଏପରି ଉଦ୍ୟମ ଦେଖିବାକୁ ମିଳିଛି ଗୁରୁଣ୍ଡି ବ୍ଲକ୍‌ ଜର୍ଡ଼ା ପଞ୍ଚାୟତର ସାନବୁର୍ଡ଼ା ଗ୍ରାମରେ। ସୂଚନା ଅନୁସାରେ ଗୁରୁଣ୍ଡିଆ-କୁଚିଣ୍ଡା ପୂର୍ତ୍ତବିଭାଗ ରାସ୍ତାର ପ୍ରାୟ ୫ ଶହ ମିଟର ଦୂରରେ ରହିଛି ଫଟାଟାଙ୍ଗର ନାଳ। ଏହିନାଳର ପ୍ରାୟ ୭ ଶହ ମିଟର ଦୂରରେ ରହିଛି ସାନବୁର୍ଡ଼ା ଗାଁ। ଏହି ଗାଁରେ ୫୦ରୁ ଅଧିକ ପରିବାରର ପ୍ରାୟ ୫ ଶହ ଲୋକ ବାସକରନ୍ତି।

Advertisment

ତେବେ ଗାଁ ପାଇଁ ଅଭିଶାପ ପାଲଟିଛି ଫଟାଟାଙ୍ଗର ନାଳ। ଗାଁରୁ ବାହାରକୁ ଯିବାକୁ ହେଲେ ଏହି ନାଳ ପାରହେବାକୁ ପଡ଼ିବ। ଖରାଦିନେ ନାଳରେ ପାଣି କମ୍‌ ରହୁଥିବାରୁ ବିଶେଷ ଅସୁବିଧା ହୁଏନାହିଁ। କିନ୍ତୁ ବର୍ଷାଦିନେ ଗାଁଲୋକେ ଅକଥନୀୟ ଦୁର୍ଦଶା ଭୋଗନ୍ତି। ଗାଁରେ କାହାରି ଦେହ ଖରାପ ହେଲେ ଆମ୍ବୁଲାନ୍‌ସ ଗାଁକୁ ଆସିପାରେନି। ଭତ୍ତା କି ଚାଉଳ ଆଣିବା ପାଇଁ ପଞ୍ଚାୟତକୁ ଯିବାକୁ ହେଲେ ସେହିନାଳ, ଗାଁରୁ ଗୁରୁଣ୍ଡିଆ କି ବାହାରକୁ ଯିବାକୁ ହେଲେ ସେହିନାଳ, ପୁଣି ବ୍ଲକ୍‌ କିଂବା ତହସିଲକୁ ଯିବାକୁ ହେଲେ ସେହିନାଳ ହିଁ ମୁଖ୍ୟ ପ୍ରତିବନ୍ଧକ। ଗାଁଲୋକେ ବ୍ଲକ୍‌ରୁ ଜିଲ୍ଲା ପର୍ଯ୍ୟନ୍ତ ବିଭିନ୍ନ ସମୟରେ ପୋଲଟିଏ ପାଇଁ ଅନୁରୋଧକରି ନିରାଶହେଲେ। ଏପରିକି ରାଜନେତାମାନେ ପ୍ରତିଶ୍ରୁତି ଦେଇ ବି ଭୁଲିଗଲେ। ତେଣୁ ଗାଁଲୋକେ ସାମୂହିକ ଶ୍ରମଦାନ କରି ନାଳ ଉପରେ ପୋଲଟିଏ ତିଆରି କରିବାକୁ ନିଷ୍ପତ୍ତିନେଲେ। ପଞ୍ଚାୟତ ପକ୍ଷରୁ ମଧ୍ୟ ସହାୟତା ଯୋଗାଇ ଦିଆଗଲା। ଫଳରେ ନାଳ ଉପରେ ବିଦ୍ୟୁତ୍‌ଖୁଣ୍ଟ ପକାଇ ଗାଁଲୋକେ ଅସ୍ଥାୟୀ ପୋଲଟିଏ କରିଛନ୍ତି। ତେବେ ଏହି ପୋଲଟି ଖରାଦିନେ ସିନା ଲୋକଙ୍କ ସମସ୍ୟା ଦୂର କରିପାରିବ। ବର୍ଷାଦିନେ ଲୋକେ ପୁଣି ସେହି ପୁରୁଣା ସମସ୍ୟାର ସମ୍ମୁଖୀନ ହେବେ। ବର୍ଷାଦିନ ପୂର୍ବରୁ ​ନାଲ ଉପରେ ପୋଲଟିଏ କରିବାକୁ ଗାଁଲୋକେ ଦାବି କରିଛନ୍ତି।