ପ୍ରଶାସନ ଶୁଣିଲାନି; ଗ୍ରାମବାସୀ ନଦୀ ଉପରେ କାଠପୋଲ ନିର୍ମାଣ କଲେ

ରାୟଗଡା: ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ଏକ ଆଦିବାସୀ ତଥା ଦୁର୍ଗମ ଅଂଚଳ। ଏହି ବ୍ଲକର ହନୁମନ୍ତପୁର ଗ୍ରାମପଂଚାୟତର ହାକୁଶପଙ୍ଗା ଗ୍ରାମ ଠାରୁ କନ୍ଧମାଳଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତା ମଝିରେ ଗାଡ଼ାନଦୀ ପଡେ। ବର୍ଷାଦିନ ହେଲେ ଏହି ନଦୀ ଉପରେ ଯିବା ଏକ ପ୍ରକାର ବିପଦପୂର୍ଣ୍ଣ ଅଟେ। ଏହି ଗଭୀର ନଦୀ ଉପରେ ଏକ ପୋଲ ନିର୍ମାଣ ନିମନ୍ତେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଜନ ପ୍ରତିନିଧିମାନଙ୍କୁ ଦୀର୍ଘବର୍ଷ ଧରି ଦାବିକରି ଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କେହି ମଧ୍ୟ ଏନେଇ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଆସିଛନ୍ତି।

ହାକୁଶପଙ୍ଗା, ଆଇନକୁପୁଡ଼ା, ନୁଣ୍ଡୁରୁଗୁଡା, କମିଗୁଡା, ସୀତାଗୁଡା, କୁତ୍ତାଗୁଡା ଓ ନିକଟସ୍ତ ଗ୍ରାମବାସୀ ଓ ସରପଞ୍ଚ ନୀଳମାଇ ଦିବାକା, ବୁଡ଼ୁ ବାଲିସରପଞ୍ଚ ଭିମ ଗୋଗେରେଙ୍ଗା ୱାର୍ଡ ମେମ୍ବର ଜିଡୀଙ୍ଗା ଦିବାକା, ନାଇବ ସରପଞ୍ଚ ଧର୍ମେନ୍ଦ୍ର ବଳିଆର, ରଣେଶ୍ୱର ଓବିନୋଦ ଗଗେରେଙ୍ଗା ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଚନ୍ଦ୍ରପୁର ବ୍ଲକର ହାକୁଶପଙ୍ଗା ଗ୍ରାମଠାରୁ କନ୍ଧମାଳ ଜିଲ୍ଲାକୁ ଯିବା ଆସିବା ପାଇଁ ଗ୍ରାମବାସୀଙ୍କ ଉଦ୍ୟମରେ କାଠ ପୋଲନିର୍ମାଣ କରିଥିବାରୁ ସାଧାରଣରେ ଖୁସିର ଲହରି ଖେଳିଯାଇଛି। ସମସ୍ତ ଗ୍ରାମବାସୀ ନିଜ ନିଜ ଉଦ୍ୟମରେ କାଠ ସଂଗ୍ରହ କରି ଏହି ପୋଲ ନିର୍ମାଣ କରିଛନ୍ତି। ଏଥିସହ ନିଜର ଶ୍ରମଦାନ ମଧ୍ୟ କରିଛନ୍ତି। ଜନପ୍ରତିନିଧି ପୋଲ ହେବ ବଲି ପ୍ରତିଶୃତି ଦେଇ ଭରସା ଦେଇଥିଲେ କିନ୍ତୁ ବର୍ଷ ବର୍ଷ ଗଡିଚାଲିଛି କିନ୍ତୁ ଆଜି ପର୍ଯ୍ୟନ୍ତ ପୋଲ ହୋଇପାରିନଥିବାରୁ ସାଧାରଣରେ ଅସଂତୋଷ ବଢିବାରେ ଲାଗିଛି।

ଆଗକୁ ନିର୍ବାଚନ ଆସୁଥିବାରୁ ଗାଁକୁ ମାଳ ମାଳ ଜନପ୍ରତିନିଧିମାନେ ଆସି ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଭୋଟ ହାତେଇବାକୁ ଚେଷ୍ଟା କରିବେ।ତେବେ ଏହି ପୋଲ ଉପରେ ନିର୍ଭର କରୁଥିବା ହନୁମନ୍ତପୁର ପଞ୍ଚାୟତ ସମେତ ଚନ୍ଦ୍ରପୁର ବ୍ଲକର ହଜାର ହଜାର ଲୋକ ଜନପ୍ରତିନିଧିଙ୍କୁ ଗାଁରୁ ତଡିବେ ବୋଲି ଚେତାବନୀ ଦେଇଛନ୍ତି। ସେହିପରି ଗାଁ ଗାଁକୁ ରାସ୍ତା ନିର୍ମାଣ ହେଉଥିବା ନେଇ ରାଜ୍ୟ ସରକାରର ଡିଣ୍ଡିମ ପିଟୁଥିବା ବେଳେ ଏହି ନକ୍ସଲ ପ୍ରବଣ ବ୍ଲକର ଦୁର୍ଗମ ଗ୍ରାମରେ ଥିବା ଗାଡାନଦୀ ଉପରେ ପୋଲ ନିର୍ମାଣ ନହେବେ ସରକାରଙ୍କର ପାରିବା ପଣିଆକୁ ସ୍ପଷ୍ଟ କରୁଛି। ଦୀର୍ଘ ବର୍ଷ ଧରି ଦାବି କରିଆସୁଥିଲେ ମଧ୍ୟ କେହି ନଶୁଣିବା ଲୋକଙ୍କୁ ଆହୁରି ଉଗ୍ର କରିଦେଇଛି। ବର୍ଷାଦିନେ ନଦୀ ବିପଦସଂକୂଳ ଅବସ୍ଥାରେ ନଦୀ ପାର କରୁଥିବା ବେଳେ ବହୁଥର ଛୋଟବଡ ଦୁର୍ଘଟଣା ମଧ୍ୟ ଘଟିଥିବା ଲୋକେ କହନ୍ତି। କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ଏହି ପୋଲ ଲୋକଙ୍କ ବ୍ୟବସାୟୀକ ଏବଂ ଭାଇଚାରାର ପ୍ରତୀକ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର