ଜୟପୁର:ଗତ ବର୍ଷ ନିର୍ମାଣ ହୋଇଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ଏହାର ପୁନଃରୁଦ୍ଧାର ଓପ୍ରଶସ୍ତିକରଣ ଦାବି କରି ଜୟପୁର ବ୍ଲକ ଅନ୍ତର୍ଗତ ଗଡପଦର ପଞ୍ଚୟାତର ଦୁର୍ଗମ ଗାଁ ଟିଙ୍ଗାସିଲ, ବାଇଗଣପଦର, କେନ୍ଦୁଗୁଡା, ସାଙ୍ଗାବାଡ଼ି ଗ୍ରାମବାସୀ ଆଜି ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ସୁଚନା ଅନୁଯାୟୀ, ଗତ ୨ବର୍ଷ ତଳେ ଜୟପୁର ବ୍ଲକର ଗଡପଦର ପଞ୍ଚୟାତର ଦୁର୍ଗମ ଗାଁ ଟିଙ୍ଗାସିଲ, ବାଇଗଣପଦର, କେନ୍ଦୁଗୁଡା, ସାଙ୍ଗାବାଡ଼ି ଗାଁକୁ ରାସ୍ତା ନଥିଲା। ଏହି ଗାଁକୁ ଏମଜିନରେଗା ଯୋଜନାରେ ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରାଯାଇଥିଲା। ତେବେ ଲାଗି ରହିଥିବା ବର୍ଷା ଏବଂ ପାହାଡ ଉପରେ ରାସ୍ତା ଥିବାରୁ ଧୋଇ ହୋଇ ନଷ୍ଟ ହୋଇଯାଇଛି। ଏବେ ରାସ୍ତାରେ ବଡ ବଡ ଗର୍ତ୍ତ ହୋଇଛି । ଏହି ୪ଟି ଗାଁରେ ପ୍ରାୟ ୧୨ ଶହ ଲୋକ ବସବାସ କରୁଛନ୍ତି । ଏହି ମାଟି ରାସ୍ତା ଖରାପ ହୋଇଥିବା ଯୋଗୁଁ ଗଡପଦର ପଞ୍ଚାୟତ ଓ ବ୍ଲକକୁ ଯିବା ଆସିବା ବହୁତ ଅସୁବିଧା ହେଉଛି । ରାସ୍ତା ଖାଲ ଖାମା ଥିବାରୁ ଗାଡି ମଟର ୟାତାୟତ ବେଳେ ଅନେକ ଛୋଟ ବଡ ଦୁର୍ଘଟଣା ଘଟୁଛି । ଗ୍ରାମରେ କାହାର ଦେହ ଅସୁସ୍ଥ ହେଲେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁକୁ ୧୦୮ ଆମ୍ବୁଲାନସ୍ ଯାଇ ପାରୁନି। ଗର୍ଭବତୀ ମହିଳାଙ୍କୁ ପ୍ରସବ ପାଇଁ ଦୋଳା କରି ତଳକୁ ଅଣାଯାଇ ୧୦୮ରେ ଡାକ୍ତରଖାନାକୁ ନିଆଯାଉଛି। ଗାଁର କିଛି ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସଯୋଜନାରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ମଞ୍ଜୁର ହୋଇଛି । କିନ୍ତୁ ଘର ନିର୍ମାଣ ପାଇ ରାସ୍ତା ଖରାପ ଯୋଗୁଁ ନିର୍ମାଣ ସାମଗ୍ରୀ ଯଥା ଇଟା, ବାଲି, ସିମେଣ୍ଟ, ଲୁହା ଛଡ ଆଦି ଗାଁ ପର୍ଯ୍ୟନ୍ତ ଯାଇପାରୁ ନାହିଁ । ଫଳରେ ଆବାସ ଯୋଜନାରେ ଘର ନିର୍ମାଣ ହୋଇ ପାରୁ ନାହିଁ । ବ୍ଲକପ୍ରଶାସନ ତୁରନ୍ତ ରାସ୍ତାର ପୁନଃରୁଦ୍ଧାର କରି ପ୍ରଶସ୍ତିକରଣ କରିବା ପାଇଁ ଦାବି କରି ବିଡିଓଙ୍କ ଉଦେଶ୍ୟରେ କମଳୁ ପରଜା, ନରସିଂହ ପରଜା, ଜିରୁ ମୁଦୁଲି ଙ୍କ ସହ ଗ୍ରାମବାସୀ ମାନେ ଭାଗ ନେଇଥିଲେ।