ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ଛିଲିପା ଗାଁକୁ ନିୟମିତ ପାନୀୟଜଳ ଯୋଗାଣ ଦାବିରେ ଶନିବାର ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ ଘେରିବା ସହିତ ସରପଞ୍ଚ ଓ ସହକାରୀ ଯନ୍ତ୍ରୀଙ୍କୁ ଅଟକ ରଖିଥିଲେ। ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଗ୍ରାମବାସୀ ଆନ୍ଦୋଳନରୁ ଓହରିଥିଲେ।
ସୂଚନା ଅନୁସାରେ, ତେଲନଦୀ କୂଳରେ ଥିବା ଛିଲିପା ଗ୍ରାମକୁ ତେଲନଦୀରୁ ବସୁଧା ଯୋଜନାରେ ଜଳଯୋଗାଣ ବ୍ୟବସ୍ଥା ରହିଛି। ଗତ କିଛିଦିନ ହେଲା ବୈଷୟିକ ତ୍ରୁଟି ଯୋଗୁଁ ଜଳଯୋଗାଣ ବନ୍ଦ ରହିଛି। ବିଭାଗୀୟ ଅଧିକାରୀଙ୍କ ସମେତ ଉପଜିଲ୍ଲାପାଳଙ୍କୁ ମଧ୍ୟ ଗ୍ରାମବାସୀ ଏ ସମ୍ପର୍କରେ ଅବଗତ କରାଇଥିଲେ। ଅଭିଯୋଗ ହେବା ସତ୍ତ୍ବେ ଏହା ସୁଧାର ନହେବାରୁ ଶନିବାର ଗ୍ରାମର କ୍ଷୀରାବ୍ଦୀ ସା, ପୂର୍ବ ଜିଲ୍ଲା ପରିଷଦ ସଭ୍ୟା ସୁକାନ୍ତି ସା, ଉତ୍ସବ ସା, ଅଜୟ ସା, ପଟଯୋଷୀ ପଟେଲ, ପବିତ୍ର ପଟେଲ, ଚନ୍ଦନ ପଟେଲ, ସୁଦର୍ଶନ ପଟେଲ, ନୂପୁର ସେଠୀ, ପାନ ମାଝୀ, ଭାଗ୍ୟଶ୍ରୀ ପ୍ରଧାନୀ, ସବିତା ମାଝୀ, ରେଣୁକା ମାଝୀଙ୍କ ସହ ଅନେକ ମହିଳା ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ। ଖବର ପାଇ ଗ୍ରାମ୍ୟ ଜଳଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ବିକେଟ ମାଝୀ ପଞ୍ଚାୟତକୁ ଯାଇ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ସ୍ଥାୟୀ ସମାଧାନ କରିବା ଦାବିକରି ଗ୍ରାମବାସୀ ଉଭୟ ସରପଞ୍ଚ ବିଭୁଦତ୍ତ ପ୍ରଧାନୀ ଓ ସହକାରୀ ଯନ୍ତ୍ରୀଙ୍କୁ କାର୍ଯ୍ୟାଳୟ ଭିତରେ ଅଟକ ରଖି ଧାରଣାରେ ବସିଥିଲେ। ଖବର ପାଇ ମାଜିଷ୍ଟ୍ରେଟ ଦାୟିତ୍ୱରେ ଅତିରିକ୍ତ ତହସିଲଦାର ଅଜିତ ମହନ୍ତ, ପୁଲିସ ଅଧିକାରୀ ସନ୍ତୋଷ ସେଠୀ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ପରେ ଗ୍ରାମ୍ୟ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଥିଲା। ତ୍ରୁଟିକୁ ତୁରନ୍ତ ମରାମତି କରାଯିବା ସହ ଆସନ୍ତା ୧୫ ଦିନ ମଧ୍ୟରେ ଧର୍ମଗଡ଼ ସହରକୁ ଜଳଯୋଗାଣ କରାଯାଉଥିବା ପୁରୁଣା ଇନ୍ଟେକ୍ ୱେଲରୁ ଛିଲିପା ଗ୍ରାମକୁ ଜଳଯୋଗାଣ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।