ରଣପୁର ବ୍ଲକ୍‌ ଅନ୍ତର୍ଗତ ମୟୂରଝାଲିଆ ଗ୍ରାମବାସୀଙ୍କୁ ଦୀର୍ଘ ୪ ମାସ ହେଲା ମିଳୁନି ରାସନ ସାମଗ୍ରୀ, ବଢ଼ୁଛି ଅସନ୍ତୋଷ

ରଣପୁର : ରଣପୁର ବ୍ଲକ୍‌ ଅନ୍ତର୍ଗତ ମୟୂରଝାଲିଆ ଗ୍ରାମବାସୀଙ୍କୁ ଦୀର୍ଘ ୪ ମାସ ହେଲା ମିଳୁନି ରାସନ ସାମଗ୍ରୀ। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ହିତାଧିକାରୀମାନେ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ କୌଣସି ପ୍ରତିକାର ନହେବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେବେ ଆଜି ହିତାଧିକାରୀମାନେ ରାସନ ସାମଗ୍ରୀ ଆଣିବା ନିମନ୍ତେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। ହେଲେ ସେଠାରେ କାର୍ଯ୍ୟାଳୟ ବନ୍ଦ ଥିବା ଦେଖି ନିରାଶ ହୋଇ ଫେରିଥିବା ଅଭିଯୋଗ ହୋଇଛି। ହିତାଧିକାରୀଙ୍କ ସୂଚନା ମୁତାବକ ମୟୂରଝାଲିଆ ଗ୍ରାମବାସୀ ଦୀର୍ଘ ୪ ମାସ ହେଲା ଖାଉଟି ସାମଗ୍ରୀ ପାଇବାରେ ବଞ୍ଚିତ ହୋଇଥିବାରୁ ଆଜି ରାସନ ସାମଗ୍ରୀ ବଣ୍ଟନ କରାଯିବ ବୋଲି ଗତକାଲି କୁଆଡ଼େ ଗାଁରେ ଡେଙ୍ଗୁରାବାଡ଼ିଆ ହୋଇଥିଲା। ଫଳରେ ଆଜି ବହୁ ସଂଖ୍ୟାରେ ହିତାଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ। ହେଲେ ସେଠାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ କିମ୍ବା ସରପଞ୍ଚ କେହି ଉପସ୍ଥିତ ନଥିଲେ। ଫଳରେ ହିତାଧିକାରୀଙ୍କ ମଧ୍ୟରେ ପ୍ରବଳ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏପରିକି ପଞ୍ଚାୟତ ଆଗରେ ହୋହଲ୍ଲା କରିଥିବା ପରିଲକ୍ଷିତ ହୋଇଥିଲା।

ତେବେ ଏ ସଂପର୍କରେ ସରପଞ୍ଚ ଛବିରାଣୀ ବିଷୋୟୀଙ୍କୁ ଯୋଗାଯୋଗ କରିବାରେ ଡେଙ୍ଗୁରା ବାଡ଼ାଇବା ସଂପର୍କରେ ଅବଗତ ନଥିବା ପ୍ରକାଶ କରିଥିଲେ। ଅପରପକ୍ଷେ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମହେନ୍ଦ୍ର ବାରିକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମୋବାଇଲ ସୁଇଚ୍‌ ଅଫ୍‌ ଥିବାରୁ କୌଣସି ଉତ୍ତର ମିଳିପାରିନାହିଁ। ତେବେ ୨ ଦିନ ଭିତରେ ରାସନ ସାମଗ୍ରୀ ବଣ୍ଟନ କରାନଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ହିତାଧିକାରୀମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର