ଅନୁଗୁଳ: ପ୍ରଶାସନ ସହଯୋଗରେ ଜମି ମାଲିକଙ୍କ ଦାବିକୁ ଅଣଦେଖା କରି ଗେଲ ଇଣ୍ଡିଆ ଗ୍ୟାସପାଇପ ଲାଇନ ଜବରଦସ୍ତ କାର୍ଯ୍ୟ ବିରୋଧରେ ଆଜି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଛେଣ୍ଡିପଦା ଗ୍ରାମବାସୀ ଧାରଣାରେ ବସିଛନ୍ତି। ସୂଚନାଯୋଗ୍ୟ ଅଞ୍ଚଳରେ କୋଇଲାଖଣି ହେବାକୁ ଥିବାରୁ ଜମି ମୂଲ୍ୟ ବୃଦ୍ଧି ପାଇଛି। ଖଣି ନିୟମରେ ସରକାରୀ ଦରରେ ମିଳୁଥିବା ଜମି ଦରକୁ ଲୋକ ଚାହୁଁଛନ୍ତି। ମାତ୍ର ଗେଲ କମ୍ପାନି ଲୋକଙ୍କ ଦାବିକୁ ଅଣଦେଖା କରି ଆସୁଛି।

Advertisment

ଗତକାଲି ମାତ୍ରାଧିକ ପୋଲିସ ଫୋର୍ସ ନେଇ ବାହାଳସାହି, ମାଝିସାହିରେ ଜବରଦସ୍ତ ଜର୍ଯ୍ୟ କରିଥିଲେ। ଲୋକଙ୍କ ଦାବିକୁ ଗୁରୁତ୍ୱ ନଦେଇ କମ୍ପାନୀ ପାଇଁ ପ୍ରଶାସନର ମାତ୍ରାଧିକ ଅନୁକମ୍ପା ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ପରବର୍ତ୍ତୀ ସମୟରେ ଗତକାଲି ଛେଣ୍ଡିପଦା ଗ୍ରାମର ଜମି ମାଲିକଙ୍କ ଅଜ୍ଞାତରେ ଯୁଦ୍ଧକାଳୀନ ଭିତ୍ତିରେ ସ୍ୱଳ୍ପ ସମୟ ମଧ୍ୟରେ ଜମିର ସୀମା ହୁଡା ଭାଙ୍ଗି ଜବରଦସ୍ତ କାର୍ଯ୍ୟ କରିବା ଆରମ୍ଭ କରିଛି।
ସୂଚନାଯୋଗ୍ୟ ଆଗାମୀ କୋଇଲାଖଣି ପାଇଁ ଜମି ଅଧିଗ୍ରହଣ ସମୟରେ ଜମିହରା ଲୋକ ବହୁ ପରିମାଣରେ କ୍ଷତିଗ୍ରସ୍ତ ହେବେ। ନିଯୁକ୍ତି, ଥଇଥାନ ଓ କମଜମିଦର ଯୋଗୁଁ ଅଞ୍ଚଳରେ ଗେଲଇଣ୍ଡିଆ ଗ୍ୟାସ ପାଇପଲାଇନ କାର୍ଯ୍ୟକୁ ନେଇ ଉତ୍ତେଜନା ଦେଖାଦେଇଛି। ଆଜି ଛେଣ୍ଡିପଦା ଗ୍ରାମ ସଭାପତି ଗୋବର୍ଦ୍ଧନ ନାୟକଙ୍କ ନେତୃତ୍ୱରେ ହଜାର ହଜାର ଗ୍ରାମବାସୀ ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଦାବିକୁ ସମର୍ଥନ ଜଣାଇ ପଡ଼ୋଶୀ ଗ୍ରାମର ଗ୍ରାମବାସୀ ଧାରଣାକୁ ସହଯୋଗ କରିଛନ୍ତି। ପୂର୍ବରୁ ଆଦାନୀ କମ୍ପାନି କୋଇଲାଖଣି ଜମି ଅଧିଗ୍ରହଣକୁ ବିରୋଧ କରି ଅଞ୍ଚଳ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିବା ବେଳେ ପୂର୍ବଭଳି ଉତ୍ତେଜନା ଦେଖାଦେଇଛି।