ପୋଖରୀ ପାଣି ପିଉଛନ୍ତି ଗୋପଦା ଗ୍ରାମବାସୀ

ପୋଖରୀ ପାଣି ପିଉଛନ୍ତି ଗୋପଦା ଗ୍ରାମବାସୀ

ପିପିଲି : ରାଜଧାନୀ ଉପକଣ୍ଠ ପିପିଲି ବ୍ଲକ୍‌ ଯଶୁଆପୁର ପଞ୍ଚାୟତ ଗୋପଦା ଗ୍ରାମରେ ଲୋକେ ପୋଖରୀ ପାଣି ପିଉଥିବା ଦେଖିବାକୁ ମିଳିଛି। ଏଠାରେ ସରକାରଙ୍କ ଜଳଜୀବନ ମିସନ ଫେଲ୍‌ ମାରିଥିବା ଜଣାପଡ଼ିଛି। ଗାଁ’ ଲୋକେ ଗ୍ରାମରେ ଥିବା ପୋଖରୀର ପାଣିକୁ ଦୀର୍ଘ ୮୦ ବର୍ଷ ହେବ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି। ବିଶୁଦ୍ଧ ପାନୀୟ ଜଳ ଏମାନଙ୍କ ପାଇଁ ସାତସପନ ପାଲଟିଛି। ଏହି ପୋଖରୀରେ ଗ୍ରାମବାସୀ ସ୍ନାନଶୌଚ ହେଉଥିବା ବେଳେ ଏଠାରେ ଗୋରୁଗାଈଙ୍କୁ ମଧ୍ୟ ଗାଧୋଉଛନ୍ତି। ଅଇଁଠା ବାସନ ମଜାମଜିଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର ପାଇଁ ଗ୍ରାମବାସୀ ଏହି ପୋଖରୀ ଉପରେ ନିର୍ଭର କରୁଛନ୍ତି। ତେବେ ଏହି ପାଣିକୁ ଖାଦ୍ୟ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଉଥିବାରୁ ଅନେକ ସମୟରେ ଝାଡ଼ାବାନ୍ତିଠାରୁ ଆରମ୍ଭ କରି ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି। ବିଶେଷକରି ଶିଶୁମାନେ ନାନା ସଂକ୍ରାମକ ରୋଗର ଶିକାର ହେଉଛନ୍ତି। ଗାଁ’ରେ ଏକ ନଳକୂପ ଥିବା ବେଳେ ଏଥିରୁ ଲୁହାଳିଆ ପାଣି ବାହାରୁଛି।

ଗାଁ’ରେ ପାନୀୟ ଜଳର ଆବଶ୍ୟକତାକୁ ଦେଖି ପ୍ରଶାସନ ପକ୍ଷରୁ ସେଠାରେ ସୌରଚାଳିତ ନଳକୂପର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ୨୦୧୯ ଫନି ବାତ୍ୟା ପରଠାରୁ ଏହା ଖରାପ ହୋଇଯାଇଛି। ପ୍ରଶାସନ ପକ୍ଷରୁ ଗ୍ରାମର ପାଣି ପରୀକ୍ଷା କରାଯାଇଥିଲା। ସେଥିରେ ୦.୩ ଲୌହ, ନାଇଟ୍ରେଟ୍‌ ୨୫.୦, ଫ୍ଲୋରାଇଡ୍‌ ୧.୦, ଆମୋନିଆ ୦.୫, ଟିଡିଏସ୍‌ ୫୬୦ ଓ ହାର୍ଡନେସ୍‌ ୧୪୦ ରହିଥିବା ବେଳେ ପାଣିର ମାନ ପିଏଚ୍‌ ୭ ବୋଲି ଜଣାପଡ଼ିଛି। ଗ୍ରାମର ୨୦ଟି ପରିବାରରେ ୧୧୨ ଜଣ ବସବାସ କରନ୍ତି। କିଛିଦିନ ହେବ ଅର୍ଜୁନସିଂହପୁରଠାରୁ ଗ୍ରାମର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏହା ପିଇବା ଅନୁପଯୁକ୍ତ ବୋଲି ଗ୍ରାମବାସୀ କହିଛନ୍ତି। ପାଣି ଲୁହାଳିଆ ଲାଗୁଛି ଓ ଭାତ ନଷ୍ଟ ହୋଇଯାଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଭୂତଳ ଜଳ ଉତ୍ତୋଳନ କରି ପାଣିକୁ ବିଶୋଧନ କରାଯାଇ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe