ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଗୋତିସାହି ପଞ୍ଚାୟତ କଲ୍ୟାଣପୁର ଗ୍ରାମରେ କିଡ୍‌ନି ରୋଗ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଷାକ୍ତ ପାଣି ପିଇ ୩୦ରୁ ଊର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ୫ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ମୃତ୍ୟୁ ହୋଇସାରିଛି। ଏପଟେ ପଞ୍ଚାୟତ ପରିଷ୍କାର ଓ ସବୁଜ କ୍ଷେତ୍ରରେ ଜିଲ୍ଲାରେ ପୁରସ୍କାର ରାଶି ହାସଲ କରିଥିବା ଜଣାପଡ଼ିଛି।

Advertisment

ସୂଚନା ଥାଉକି, ଗୋତିସାହି, ସୋଲପଟା ପଞ୍ଚାୟତରେ ବିଶୁଦ୍ଧ ପାନୀୟ ଜଳକୁ ନେଇ ଅଞ୍ଚଳବାସୀ ଚିନ୍ତା ପ୍ରକଟ କରିଛନ୍ତି। ଗୋତିସାହି ଗ୍ରାମରେ ପାନୀୟ ଜଳ ଯୋଗାଣ ପାଇଁ ଦୁଇଟି ପ୍ରକଳ୍ପରୁ ଫ୍ଲୋରାଇଡ୍‌ମିଶା ପାଣି ଆସୁଥିବା ଲୋକେ କହିଛନ୍ତି। ଏକ ପାତ୍ରରେ ପାଣି ନେଇ ରଖିବାର କିଛି ସମୟ ପରେ ତାହା ଧଳା ରଙ୍ଗର ଚୂନ ପରି ଦେଖାଯାଇଥାଏ ଏବଂ ଏକ ସର ପଡ଼ୁଥିବା ଗ୍ରାମର ମହିଳାମାନେ କହିଛନ୍ତି।

publive-image

ଗ୍ରାମବାସୀ ବ୍ଲକ୍ ଓ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା କହିଛନ୍ତି। ଏହି ପାଣି ବ୍ୟବହାର କରି ଗାଁର ବିନୋଦ ବିହାରୀ ପ୍ରଧାନଙ୍କ ଦୁଇଟି କିଡ୍‌ନି ନଷ୍ଟ ହୋଇଥିବା ବେଳେ ଚନ୍ଦ୍ରମଣି ସ୍ବାଇଁ, ବଳରାମ ମହାନ୍ତି, କାଳିଆ ସ୍ବାଇଁ, ଚୈତନ ବେହେରା, ମହେଶ୍ବର ପ୍ରଧାନ ଆଦି ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। କାହାର ଗୋଟିଏ ତ ଆଉ କାହାର ଦୁଇଟିଯାକ କିଡ୍‌ନି ଖରାପ ହୋଇଛି। ଚିକିତ୍ସା ପାଇଁ କଟକ, ଭୁବନେଶ୍ବର ଧାଇଁ ଧାଇଁ ନୟାନ୍ତ ହେବା ପରେ ଏବେ ନିଜ ଭାଗ୍ୟକୁ ଆଦରି କିଛି ବ୍ୟକ୍ତି ଘରେ ପଡ଼ିଛନ୍ତି। ବର୍ଷ ବର୍ଷ ଧରି ଔଷଧ ଖାଇବା, କଟକ, ଭୁବନେଶ୍ବର କିମ୍ବା ରାଜ୍ୟ ବାହାରକୁ ଚିକିତ୍ସିତ ପାଇଁ ଯାଇ ରୋଗୀମାନେ ଘରର ସମସ୍ତ ଧନସମ୍ପତ୍ତି ବିକ୍ରି କରିସାରିଲେଣି କିନ୍ତୁ ରୋଗରେ ଟିକେ ବି ସୁଧାର ଆସୁନଥିବା କହିଛନ୍ତି। ନୟାଗଡ଼ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ ଡାଏଲିସିସ୍‌ କରିବାକୁ ସୁବିଧା ଥିଲେ ମଧ୍ୟ ତାହା ରୋଗୀଙ୍କ କାମରେ ଲାଗୁନଥିବା ଅଭିଯୋଗ ହୋଇଛି। ପ୍ରତି ସପ୍ତାହରେ ରୋଗୀ ଡାଏଲିସିସ୍‌ କରିବା ଜରୁରୀ ହୋଇପଡ଼ିଛି।

କେବଳ କଲ୍ୟାଣପୁର ଗ୍ରାମରେ ଯେ କିଡ୍‌ନି ରୋଗ ସୀମିତ ଅଛି ତାହା ନୁହଁ ଜାମୁଝୋଲା, ଗୋତିସାହି, ସୋଲପଟା, ମାଛିପଡ଼ା ଆଦି ଗ୍ରାମରେ କିଡ୍‌ନି ରୋଗ କାୟା ବିସ୍ତାର କରିସାରିଲାଣି। ଏପଟେ ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ କରାଯାଉଛି କିନ୍ତୁ ତାହା ସରକାରଙ୍କ କାଗଜକଲମରେ ବୋଲି କୁହାଯାଉଛି। ବର୍ଷ ବର୍ଷ ଧରି ଲୋକେ କିଡ୍‌ନି ରୋଗରେ ଶଢ଼ୁଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଓ ପାନୀୟ ଜଳ ଯୋଗାଣ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଥିବା ଜଣାପଡ଼ିଛି। ଫଳରେ ବିଷାକ୍ତ ପାଣି ବ୍ୟବହାର କରି ଲୋକମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏଥିପାଇଁ ପ୍ରଶାସନ ଏକମାତ୍ର ଦାୟୀ ବୋଲି କହିଛନ୍ତି। ଏପଟେ ଗୋତିସାହି ପଞ୍ଚାୟତ ପରିଷ୍କାର କ୍ଷେତ୍ରରେ ଜିଲ୍ଲାରେ ପୁରସ୍କୃତ ହୋଇଛି। ପଞ୍ଚାୟତ ପକ୍ଷରୁ ଲୋକଙ୍କ ପାଇଁ ନିକଟସ୍ଥ ଗ୍ରାମରୁ ପାଣିର ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।