ପଥର କ୍ୱାରି ଖନନକୁ ଗ୍ରାମବାସୀଙ୍କ ବିରୋଧ: ଜାଳିଦେଲେ ଟ୍ରାକ୍ଟର ଓ କମ୍ପ୍ରେସର

କଂଟାବାଞ୍ଜି: ଗାଁ ନିକଟରେ ପଥର କ୍ବାରି ଖନନକୁ ଦୃଢ଼ ବିରୋଧ କରିଛନ୍ତି ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ କନ୍ଦେଇ ପଞ୍ଚାୟତ ଟିକ୍ରାପଡ଼ା ଗ୍ରାମବାସୀ। ଶନିବାର ଗ୍ରାମବାସୀ ମିଳିତ ଭାବ କ୍ବାରିରେ ବ୍ୟବହୃତ ଟ୍ରାକ୍ଟର ଓ କମ୍ପ୍ରେସରକୁ ପୋଡ଼ି ଦେଇଛନ୍ତି।

ପ୍ରକାଶ ଯେ ଟିକ୍ରାପଡ଼ା ଗାଁ ଠାରୁ ମାତ୍ର ୨୦୦ ମିଟର ଦୂରରେ ଉକ୍ତ ପଥର କ୍ୱାରି ରହିଛି। ସେଠାରେ କମ୍ପ୍ରେସର ସାହାଯ୍ୟରେ ପଥର ଖନନ କରାଯାଉଥିଲା। ଏହାକୁ ଗ୍ରାମବାସୀମାନେ ବାରମ୍ବାର ବିରୋଧ କରି ଆସୁଥିଲେ। ହେଲେ କ୍ବାରି ମାଲିକ ଗାଁ ଲୋକଙ୍କ ଅଭିଯୋଗ ନଶୁଣି ଖନନ କାମ ଜାରି ରଖିଥିଲେ। ଫଳରେ ଉତ୍ତ୍ୟକ୍ତ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟର ଓ ‌କମ୍ପ୍ରେସରରେ ନିଆଁ ଲଗାଇ ଦେଇଥିଲେ।

ଗାଁ ନିକଟରେ କେଉଁ ନିୟମ ଆଧାରରେ କ୍ୱାରି ପାଇଁ ଅନୁମତି ଦିଆଯାଇଛି ତାହା ତଦନ୍ତସାପେକ୍ଷ ବୋଲି ଗ୍ରାମବାସୀ ଦାବି କରିଛନପ୍ତି। ଏନେଇ କଂଟାବାଞ୍ଜି ତହସିଲଦାର ସମିର ବେହେରାଙ୍କୁ ପଚାରିବାରୁ ସେ ଏ ସଂପର୍କରେ ଅବଗତ ନାହାନ୍ତି ବୋଲି କହିଥିଲେ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଘଟଣା ସଂପର୍କରେ ଥାନାରେ ଅଭିଯୋଗ ହୋଇ ନଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର