ତୈଳଖଣି ସନ୍ଧାନରେ ଖନନ : ବିସ୍ଫୋରଣକୁ ବିରୋଧ କଲେ ଗ୍ରାମବାସୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପର ନିକଟ ଘାଘରା ଗ୍ରାମରେ ବିରୂପା ନଦୀ ପାର୍ଶ୍ୱରେ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ନିଗମ ପକ୍ଷରୁ ତୈଳ ଉତ୍ତୋଳନ ପାଇଁ ତୈଳ ସନ୍ଧାନ କାମର ସର୍ଭେ ଆରମ୍ଭ ହୋଇଛି । ତେବେ ଏହାକୁ ସ୍ଥାନୀୟ ଲୋକ ବିରୋଧ କରିବା ଫଳରେ ଉତ୍ତେଜନା ପ୍ରକାଶ ପାଇଛି। ସେଠାକୁ ଯାଇଥିବା ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ନିଗମର ଜଣେ ଅଧିକାରୀଙ୍କୁ ଲୋକେ ଅଟକ ରଖିଥିଲେ । ବିଭାଗୀୟ ଅଧିକାରୀ ପହଞ୍ଚିି କ୍ଷତିପୂରଣ ପ୍ରଦାନ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

ଏହି ଗ୍ରାମରେ ଗତକାଲି ରାତିରେ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ନିଗମ ଉତ୍ତୋଳନ ପାଇଁ ବିଜେଏସ୍‌ ନାମକ ଏକ ଠିକା ସଂସ୍ଥା ସେଠାରେ ପହଞ୍ଚିଥିଲା। ତେବେ ତୈଳ ଉତ୍ତୋଳନ ପୂର୍ବରୁ ଗ୍ରାମବାସୀଙ୍କୁ ସୂଚନା ଦିଆଯିବା ଓ ଜନଶୁଣାଣି ବାଧ୍ୟତାମୂଳକ ଥିଲେ ହେଁ ସେମାନେ ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରି ରାତିଅଧିଆ ନଦୀ କୂଳରେ ବୋରିଂ କରିବା ସହ ବିଦ୍ୟୁତ୍‌ ସଂଯୋଗ କରି ବ୍ଲାଷ୍ଟିଂ କରୁଥିଲେ । ଏହା ଜଣାପଡ଼ିବା ପରେ ସ୍ଥାନୀୟ ଲୋକ ପ୍ରତିବାଦ କରିଥିଲେ ।

ସକାଳେ ଗ୍ରାମବାସୀ ପଚାରିବାରୁ ଜନୈକ ଅଧିକାରୀ ତୈଳ ଉତ୍ତୋଳନ ପାଇଁ ବ୍ଲାଷ୍ଟିଂ କରି ପରୀକ୍ଷାନିରୀକ୍ଷା କରାଯାଉଛି ବୋଲି ସଫେଇ ଦେଇଥିଲେ। ତେବେ ଏହି କାର୍ଯ୍ୟ ପାଇଁ ଆଖ ପାଖ ଜମିର ବ୍ୟାପକ ପସଲ ନଷ୍ଟ ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ବ୍ୟାପକ ଧନଜୀବନହାନୀ ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହେବାରୁ ବିରୋଧ କରାଯାଉଛି ବୋଲି କହିଥିଲେ । ଶତାଧିକ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି କାମ ବନ୍ଦ କରିବା ସହ କର୍ମଚାରୀଙ୍କୁ କାମ ନ କରିବାକୁ ତାଗିଦ୍‌ କରିଥିଲେ ।

ସମ୍ବନ୍ଧିତ ଖବର