ଧୂଳିଧୂଆଁରେ ଅତିଷ୍ଠ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ଗୁଆଲି : ଧୂଳିଧୂଆଁରେ ଅତିଷ୍ଠ ଶତାଧିକ ଗ୍ରାମବାସୀ ଯୋଡ଼ା ବ୍ଲକ ଅନ୍ତର୍ଗତ ଲୋଇଡାପଦା ଠାରେ ଥିବା ଏକ କାରଖାନା ସମ୍ମୁଖରେ ୫୨୦ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଏ ନେଇ ଖଣି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଥିଲା।

ପ୍ରାପ୍ତ ସୂଚନା ଅନୁଯାୟୀ, ଖଣି ଖାଦାନରେ ଭରା ଏହି ଅଂଚଳରୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ବ ପାଉଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ସମସ୍ୟା ପ୍ରତି ସଂପୃକ୍ତ କମ୍ପାନିମାନେ ସଂପୂର୍ଣ୍ଣ ଆଖି ବୁଜି ଦେଇଛନ୍ତି। ଏହି ରାଜପଥ ଦେଇ ଦୈନିକ ହଜାର ହଜାର ଟ୍ରକ, ହାଇୱା ଖଣିଜ ବୋଝେଇ କରି କରି ଯାଉଛନ୍ତି। ମାତ୍ର ଉକ୍ତ ରାଜପଥରେ ଗାଡି ଅହରହ ଯାତାୟାତ କରି ପ୍ରବଳ ମାତ୍ରାରେ ଧୂଳି ଉଡୁଛି। ରାସ୍ତାରେ ଠିକ ଭାବେ ପାଣି ସିଞ୍ଚନ କରାଯାଉ ନାହିଁ। ଏ ନେଇ ବାରମ୍ବାର ସଂପୃକ୍ତ କମ୍ପାନି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆର୍କଷଣ କରାଯାଇଥିଲେ ହେଁ କୌଣସି ସୁଫଳ ମିଳିପାରି ନାହିଁ। ଫଳରେ ଧୂଳିଧୁଆଁରେ ଅତିଷ୍ଠ ଗ୍ରାମବାସୀ ଆଜି ୫୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ।

ଖବରପାଇ ରୁଗୁଡି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉପସ୍ଥିତ ଲୋକଙ୍କୁ ବୁଝାସୁଝା କରିଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଲୋକେ ରାସ୍ତାରୁ ହଟିବେ ନାହିଁ ବୋଲି ଜିଦ୍ ଧରିଥିଲେ। ପରେ ଓଏମସି ଖଣି, ଶ୍ରୀମେଟାଲିକ୍ସ ପ୍ରାଇଭେଟ ଲିମିଟେଡ, ଏନକେ ଭୁଜାନି ପ୍ଲାନ୍ଟ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ନିୟମିତ ପାଣି ସିଞ୍ଚନ ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।

ସମ୍ବନ୍ଧିତ ଖବର