ସୁଧୁରୁଛି ବନ୍ୟା ପରିସ୍ଥିତି : ପଟେରୁରେ ପହଞ୍ଚିନି ରିଲିଫ ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ଧିରେ ଧିରେ ସୁଧୁରିବାକୁ ଲାଗିଲାଣି। କିନ୍ତୁ ପାଣି କମିଥିଲେ ବି ଲୋକଙ୍କ ଦୁର୍ଦଶା ବଢ଼ି ଯାଇଛି। ବନ୍ୟା ପାଣିରେ କାହାର ଘର ଭାଙ୍ଗି ଯାଇଛି ତା’ କାହାର ଗାଈଗୋରୁଙ୍କୁ ଭସାଇ ନେଇଛି। ଘରେ ଥିବା ଆସବାବପତ୍ର ସହ ଖାଦ୍ୟ ସାମଗ୍ରୀ ବି ନଷ୍ଟ କରିଦେଇଛି ଶୁକ୍ରବାର ରାତିର ପ୍ରବଳ ବର୍ଷା। ପ୍ରାୟ ୨୪ଘଣ୍ଟା ଧରି ଆଶ୍ରୟ ସ୍ଥଳୀରେ ରହିବା ପରେ ଆଜି ସକାଳେ କିଛି ଲୋକ ନିଜ ନିଜ ଘରକୁ ଅବସ୍ଥା ଦେଖିବାକୁ ଫେରିଥିଲେ। କିନ୍ତୁ ଏହି ବନ୍ୟା ସେମାନଙ୍କୁ ସର୍ବସ୍ୱାନ୍ତ କରି ଦେଇଥିବାରୁ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପଟେ ପ୍ରଶାସନ ବନ୍ୟା ଅଂଚଳରେ ପହଞ୍ଚି ନଥିବାରୁ ପୋଟେରୁ ଠାରେ ମାଲକାନଗିରି-କାଲିମେଳା ରାସ୍ତାକୁ ଲୋକେ ଅବରୋଧ କରିଥିଲେ। ସେହିପରି ୫ ହଜାର ଲୋକଙ୍କୁ ଥଇଥାନ କରାଯିବା ସହ ସେମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି ବୋଲି ଜିଲ୍ଲାପାଳ ମନିଷ ଅଗ୍ରୱାଲ ପ୍ରକାଶ କରିଛନ୍ତି। ବର୍ଷା ପ୍ରଭାବରେ ୨ହଜାରରୁ ଊର୍ଦ୍ଧ୍ୱ ଲୋକ ବାସହରା ହୋଇଥିବା ସୂଚନା ମିଳିଛି।

ବନ୍ୟା ପରର ଦୃଶ୍ୟ ଆଜି ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ଆଶ୍ରୟ ସ୍ଥଳରୁ ଲୋକେ ଗାଁରେ ପହଞ୍ଚି ଭାସି ଯାଇଥିବା ଆସବାବପତ୍ର ସାଉଁଟିବାରେ ଲାଗିଥିଲେ। ବିଛାଡ଼ି ହୋଇ ପଡ଼ିଥିବା ଜିନିଷକୁ କେହି ବୋହି ଆଣୁଥିବା ବେଳେ କେହି ଭଙ୍ଗା ଘର ମରାମତିରେ ଲାଗି ପଡ଼ିଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ବର୍ଷା ପ୍ରକୋପ ବଢ଼ିଥିଲା। ସେହି ସମୟରେ ଲୋକେ ଶୋଇଥିଲେ। ହଠାତ୍‌ ପାଣି ଘରେ ପଶିଯିବାରୁ ଜୀବନ ବିକଳରେ ଲୋକେ ଘରୁ ବାହାରି ଉଚ୍ଚ ସ୍ଥାନକୁ ଚାଲି ଯାଇଥିଲେ। ଜିନିଷପତ୍ର ନେବାକୁ ବି ସମୟ ପାଇ ନଥିଲେ। ପାଣି କମିବା ପରେ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି। ମାଲକାନଗିରି, କାଲିମେଳା, କୋରୁକୋଣ୍ଡା, ପଡିଆ ବ୍ଲକର ନଦୀକୂଳ ଗାଁରେ ସର୍ବାଧିକ କ୍ଷୟକ୍ଷତି ହୋଇଛି। ଏପରିକି କିଛି ଗାଁରେ ଆଜି ବି ପାଣିରେ ବୁଡ଼ି ରହିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର