କଲମପୁର : କଲମପୁର ବ୍ଲକ କୋଟାଗାଁ ପଞ୍ଚାୟତ ଖଣ୍ଡିଡ଼ଙ୍ଗରିଗୁଡ଼ାର ନିଲାମ ହୋଇଥିବା ହାତୀ ନଦୀ ବାଲିଘାଟ ଦୀର୍ଘ ଦିନରୁ ମଞ୍ଜୁରି ହୋଇ ବି ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ଆଜି ଯାଏ କାର୍ଯ୍ୟକାରୀ ହେଉନାହିଁ। ନିଲାମ ହେବା ପରେ ଗ୍ରାମବାସୀ ତହସିଲଦାରଙ୍କୁ ନିଲାମ ଖାରଜ କରିବାକୁ ଅନୁରୋଧ କରିଥିଲେ। ଗ୍ରାମବାସୀ ତାଙ୍କ ଅଭିଯୋଗରେ ହାତୀ ନଦୀ କୂଳରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର କୋଠା, ବିଦ୍ୟାଳୟ କୋଠା ସମେତ ପାନୀୟ ଜଳ ପ୍ରକଳ୍ପ, ଖେଳ ପଡ଼ିଆ ଆଦି ପ୍ରଭାବିତ ହେବ। ଏହାସହ ନଦୀ କୂଳରେ ଥିବା ୭୦ ଆଦିବାସୀ ପରିବାର ନିଜ ନିଜ ଭିଟା ମାଟି ହରାଇବାର ଆଶଙ୍କା କରି ଗ୍ରାମବାସୀ ବାଲି ଉତ୍ତୋଳନ ପାଇଁ ବାରଣ କରୁଛନ୍ତି।
ଅନ୍ୟପକ୍ଷରେ ନିଲାମଧାରୀ ନିଲାମ ନେବାର ଦୀର୍ଘ ଦିନ ବିତି ସାରିଥିଲେ ମଧ୍ୟ ବାଲି ଉତ୍ତୋଳନ କରିବାରୁ ବଞ୍ଚିତ ହୋଇଛନ୍ତି। ଏନେଇ ସେ ବାରମ୍ବାର ତହସିଲଦାରଙ୍କୁ ଜଣାଇବା ପରେ ସୋମବାର କଲମପୁର ତହସିଲଦାର ରୁଦ୍ରମୋହନ ନାୟକ, ମଣ୍ଡଳ ରାଜସ୍ୱ ନିରୀକ୍ଷକ, ରାଜସ୍ୱ ପରିଦର୍ଶକ, ତହସିଲ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ପ୍ରମୁଖ ଖଣ୍ଡିଡ଼ଙ୍ଗରୀଗୁଡ଼ା ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏହା ସହ ବାଲି ଖାଦାନ ପରିଦର୍ଶନ କରିଥିଲେ। ପ୍ରଭାବିତ ହେବାର ଆଶଙ୍କା ଥିବା ସରକାରୀ ପ୍ରକଳ୍ପ ପରିଦର୍ଶନ କରିଥିଲେ। ସବୁ ଦିଗରୁ ନିରୀକ୍ଷଣ କରିବା ପରେ ଗ୍ରାମବାସୀଙ୍କ ସହ ତହସିଲଦାର ଆଲୋଚନା କରିଥିଲେ। ହେଲେ ଗ୍ରାମବାସୀ କୌଣସି ମତେ ସେଠାରୁ ବାଲି ଉଠାଇ ଦେବୁ ନାହିଁ ବୋଲି ଜିଦ୍ ଧରିଥିବାରୁ ତହସିଲଦାର ବାଧ୍ୟ ହୋଇ ଫେରି ଯାଇଥିଲେ।