ଏନ୍‌ଏଲସି ଗଛକଟାକୁ ବିରୋଧ: ପୁଲିସ୍‌ର ହସ୍ତକ୍ଷେପ ପରେ କାମ ବନ୍ଦ

ରେଙ୍ଗାଲି/ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନା ଅନ୍ତର୍ଗତ ତଲାବିରା ୨ ଓ ୩ ଖଣି ଖନନ ପାଇଁ ଶନିବାର ଏନ୍‌ଏଲସି କଂପାନି ପକ୍ଷରୁ ଜଙ୍ଗଲ ଜମିରୁ ଗଛ କଟା ବେଳେ ବୁଧିଆପାଲି, ତଲାବିରା, ଖିଣ୍ଡା ଗ୍ରାମବାସୀ ବିରୋଧ କରିଛନ୍ତି। ଗତ ୧୭ ତାରିଖ‌ରେ ଗ୍ରାମବାସୀ, କମ୍ପାନି କର୍ତ୍ତୃପକ୍ଷ ଓ ପ୍ରଶାସନ ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ବୈଠକ ବିଫଳ ହେବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଥିଲା। ଆଜି କମ୍ପାନି ଓ ଓଏସ୍‌ଡିଏଫ କର୍ମଚାରୀ ଗଛ କାଟିବାକୁ ଘଟଣାସ୍ଥଳରେ ପହଞ୍ଚିବା ପରେ ଚାପା ଉତ୍ତେଜନା ଦେଖା‌ଦେଇଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ୩ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ଓ ଗୋଟିଏ ପ୍ଲାଟୁନ୍‌ କମାଣ୍ଡାଣ୍ଟଙ୍କୁ ମୁତୟନ କରାଯାଇଥିଲା। ସମସ୍ତ ଦାବି ପୂରଣ ନହେବା ଯାଏଁ ଏବଂ ବିସ୍ଥାପିତଙ୍କୁ ଉଚିତ୍‌ କ୍ଷତିପୂରଣ ନମିଳିବା ଯାଏଁ ଗଛ କାଟିବାକୁ ଦିଆଯିବନି ବୋଲି ଗ୍ରାମବାସୀମାନେ ଜିଦ୍‌ ଧରିଥିଲେ। ଖବର ପାଇ ଅତିରିକ୍ତ ଏସ୍‌ପି ପି.କେ.ମହାପାତ୍ର, ସଦର ଏସ୍‌ଡିପିଓ ଭବାନୀ ଶଙ୍କର ଉଦ୍‌ଗାତା, ରେଙ୍ଗାଲି, ଠେଲକୋଲୋଇ ଓ କତରବଗା ଥାନା ଅଧିକାରୀ, ରେଙ୍ଗାଲି ତହସିଲଦାର ଓ କମ୍ପାନି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଖଣି ଖନନ ପାଇଁ ରାଜ୍ୟ ସରକାର ଏବଂ ଜଙ୍ଗଲ କାଟିବାକୁ ବନ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିବାରୁ ବିସ୍ଥାପିତ ହେଉଥିବା ଲୋକେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇ ସମାଧାନର ରାସ୍ତା ବାହାର କରିବାକୁ ସେମାନେ ପରାମର୍ଶ ଦେଇଥିଲେ। ମାତ୍ର ଗାଁ ଲୋକମାନେ ଜିଦ୍‌ରେ ରହିଥିଲେ ଓ ଗଛକଟା ବନ୍ଦ କରାଯିବା ପରେ ଯାଇ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଉଲ୍ଲେଖ‌‌ଯୋଗ୍ୟ, ୨୦୧୬ ଅକ୍ଟୋବର ୫ ତାରିଖରେ କେନ୍ଦ୍ର କୋଇଲା ମନ୍ତ୍ରାଳୟ ଏନ୍‌ଏଲସି ଇଣ୍ଡିଆ ଲିମିଟେଡକୁ ତଲାବିରା ୨ ଓ ୩ ଖଣି ଆବଣ୍ଟନ କରିଥିଲା। ଏହି ପ୍ରକଳ୍ପ ପାଇଁ ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାର ଖିଣ୍ଡା, ତଲାବିରା, ପତ୍ରାପାଲି, ମଢ଼ଲଦା, ରାମପୁର ଆଦି ‌େମୗଜାର ମୋଟ ୪୭୨୯ ଏକର ଜମି ଅଧିଗ୍ରହଣ ମଧ୍ୟ ସରିଛି। ଏଥିରେ ଥିବା ୧୧୧୬ ଏକର ଜଙ୍ଗଲ ଜମିରେ ଖଣି ଖନନ ପାଇଁ ୨୦୧୮ ଜୁଲାଇ ୩ ଓ ୨୦୧୯ ମାର୍ଚ୍ଚ ୨୮ ତାରିଖ‌ରେ ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ଅନୁମତି ମଧ୍ୟ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର