ରାସ୍ତା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା

ବୌଦ୍ଧ : ୩୦ ବର୍ଷ ହେଲା ହରଭଙ୍ଗା ବ୍ଲକ୍‌ ହିଜଳ ଗାଁ ରାସ୍ତାରେ ମାଟି ମୁଠାଏ ପଡ଼ି ନାହିଁ। ବଡ଼ ବଡ଼ ଖାଲ ଯୋଗୁଁ ଯାତାୟାତ କରି ହେଉ ନାହିଁ। ପୋଲର କଂକ୍ରିଟ ଭାଙ୍ଗି ମରଣଯନ୍ତା ସାଜିଲାଣି। ଗାଁଠାରୁ ଦୁଇ କିମି ଦୂରରେ ଆମ୍ବୁଲାନ୍ସ ଅଟକି ରହୁଛି। ରୋଗୀଙ୍କୁ ଦୋଳାରେ ବୋହି ନେବା ପରେ ଆମ୍ବୁଲାନ୍ସ ସୁବିଧା ମିଳୁଛି। ଥରେ ଦୁଇ ଥର ନୁହେଁ ସାତ ଥର ସରପଞ୍ଚ ଓ ବିଡିଓଙ୍କ ନିକଟରେ ଅଭିଯୋଗ କରିବା ବୃଥା ହେଲା। ଶେଷରେ ଗାଁର ପୁରୁଷ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ରାସ୍ତା ମରାମତି ନହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ଜିଦ୍‌ ଧରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ୧୫ ଦିନର ମହଲତ ମାଗିବା ପରେ ଧାରଣାରୁ ଉଠିଛନ୍ତି।

ଅଭିଯୋଗ ଅନୁସାରେ, ମହାଲିକପଡ଼ା ପଞ୍ଚାୟତ ହିଜଳ ଗାଁରେ ପ୍ରାୟ ୬୦ ପରିବାର ବସବାସ କରନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ ବେଳେ ଗ୍ରାମବାସୀ ହିଜଳ ପର୍ଯ୍ୟନ୍ତ ସଂପ୍ରସାରଣ କରିବାକୁ ଦାବି କରିଥିଲେ। ହେଲେ ସାତଖଣ୍ଡ ଗାଁ ନିକଟରେ ଏହା ଅଟକି ରହିଲା। କେବଳ ହିଜଳ ନୁହେଁ ଆଗକୁ ଥିବା ଗେଡରିସାହି, ‌‌ତୈଳାସାହି, ସିରିପାଜୁ, ଧୁବାସାହି, ସିମାଗୁଡ଼ା, ନୂଆପଡ଼ା, ଘୁଙ୍ଗୁରିପଡ଼ା ଆଦି ଗ୍ରାମବାସୀ ସମାନ ଦଶା ଭୋଗୁଛନ୍ତି।

ସମ୍ବନ୍ଧିତ ଖବର