ସୌରଶକ୍ତି ପ୍ରକଳ୍ପ ଜମିକୁ ନେଇ ଗ୍ରାମବାସୀଙ୍କ ବିରୋଧ

ତହସିଲ ଅଫିସ ଘେରିଲେ, ଅଧିକାରୀଙ୍କ କୁଶପୁତ୍ତଳିକା ପୋଡ଼ିଲେ

ସଇନ୍ତଳା: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍‌ ଡୁଙ୍ଗରିପାଲି, ଭଦ୍ରା, ଘୁନସର କଁସର ଆଦି ପଂଚାୟତ ଅଧୀନରେ ଥିବା ଗୋଚର ଜମିକୁ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ କମ୍ପାନି ହାତକୁ ଟେକି ଦିଆଯାଉଛି। ଏହାକୁ ବିରୋଧ କଲେ ମଧ୍ୟ ପ୍ରଶାସନ ଶୁଣୁ ନଥିବା ଅଭିଯୋଗ କରି ଶୁକ୍ରବାର ସଂପୃକ୍ତ ଗ୍ରାମବାସୀ ସଇନ୍ତଳା ତହସିଲ ଅଫିସ ଘେରାଉ କରିଥିଲେ। ଏହା ସହିତ ସଂପୃକ୍ତ ପ୍ରାଶାସନିକ ଅଧିକାରୀମାନଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ, ଘୁନସର ଓ କଁସର ପଞ୍ଚାୟତର ୧୩୯ ଏକର ଗୋଚର ଓ ଗ୍ରାମ୍ୟ ଜଙ୍ଗଲ ଜମି ଉପରେ ୨୦୨୦ ମସିହାରେ ଆଦିତ୍ୟ ବିର୍ଲା କଂପାନି ତରଫରୁ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରାଯାଇଛି। ଉକ୍ତ ଜମିକୁ ପତିତ କିସମ ଦର୍ଶାଇ ତତ୍କାଳୀନ ତହସିଲଦାର ସୁମନ କିଶୋର ଡୁଙ୍ଗ ଡୁଙ୍ଗଙ୍କ ସମୟରେ ମାତ୍ର ୧ କୋଟି ୫୫ ଲକ୍ଷ ୩୫ ହଜାର ଟଙ୍କାରେ ୯୯ ବର୍ଷ ଲାଗି ବ୍ୟବସାୟିକ କାର୍ଯ୍ୟକଳାପ ପାଇଁ ଲିଜ୍‌ ଦିଆଯାଇଛି। ଏଥିପାଇଁ ପ୍ରଶାସନ ତରଫରୁ କୌଣସି ଗ୍ରାମସଭା କରାଯାଇନଥିବା ଅଭିଯୋଗ ହେଉଛି। ବହୁ ଦିନରୁ ଶ୍ରୀ ଡୁଙ୍ଗଡୁଙ୍ଗଙ୍କ ବଦଳି ହୋଇସାରିଥିଲେ ମଧ୍ୟ ସଂପୃକ୍ତ ଜମିର ହସ୍ତାନ୍ତର ସଂପର୍କିତ କାଗଜ ପତ୍ର କିଂବା ରେକର୍ଡ ବର୍ତ୍ତମାନର ତହସିଲଦାର ଯୋଗେଶ୍ୱର ଭୋଇଙ୍କୁ ଦିଆଯାଇନଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣା ପଡ଼ିଛି। ଏହାକୁ ନେଇ ଜନସାଧାରଣରେ ସଂଦେହ ପ୍ରକାଶ ପାଉଛି। ଅନୁରୂପ ଭାବେ ବର୍ତ୍ତମାନ ଡୁଙ୍ଗରିପାଲି ପଞ୍ଚାୟତର ୮୬ ଏକର ଗୋଚର ଜମି ଉପରେ ସଂପୃକ୍ତ କଂପାନି ସୌରଶକ୍ତି ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା କରୁଥିବା ଜାଣିପାରି ଉକ୍ତ ଗୋଚର ଜମିରେ ନିର୍ଭର କରୁଥିବା ଗ୍ରାମବାସୀ ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ଗତ ୨୫ ତାରିଖ ଦିନ କଂପାନିର କିଛି ଅଧିକାରୀ ଗୁଣ୍ଡା ଶ୍ରେଣୀର ଲୋକମାନଙ୍କୁ ଧରି ଡୁଙ୍ଗରିପାଲି ଅଂଚଳର ଗୋଚର ଜମି ଉପରେ ଜେସିବି ଲଗାଇ ସର୍ଭେ କାମ ଆରମ୍ଭ କରିବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ କିଛି ଅଧିକାରୀଙ୍କୁ ଅଟକ ରଖି ସୌରଶକ୍ତି ପ୍ରକଳ୍ପ ପ୍ରତିଷ୍ଠାକୁ ବିରୋଧ କରିଥିଲେ। ଏହାପରେ ମଧ୍ୟ କଂପାନି ଉକ୍ତ ଜମି ହାତେଇବା ପାଇଁ ଆବଶ୍ୟକ କାଗଜ ପତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଂଚାଇ ଦେଇଥିବା ଜାଣିବା ପରେ ଶୁକ୍ରାବର ସମାଜସେବୀ ରାଜୁ ନାଏକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁ, ଯୁବନେତା ଗଜପତି ସାହୁ, ଚାଷୀନେତା ଉତ୍ତମ ପଟେଲଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ବିରାଟ ଶୋଭାଯାତ୍ରାରେ ଆସି ତହସିଲ ଅଫିସ ଘେରିଥିଲେ। ପାଂଚଘଣ୍ଟା ଧରି ଧାରଣା ଦେବା ସହିତ ପୂର୍ବତନ ତହସିଲଦାର ଶ୍ରୀ ଡୁଙ୍ଗଡୁଙ୍ଗ, ଜିଲ୍ଲାପାଳ, ଇଡକୋ ଅଧ୍ୟକ୍ଷଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ପରେ ବର୍ତ୍ତମାନର ତହସିଲଦାର ଶ୍ରୀ ଭୋଇଙ୍କ ଜରିଆରେ ୭ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଥିଲେ। ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଶ୍ରୀ ନାଏକ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର