ମନରେଗାରେ ରାତିଅଧିଆ ମେସିନ କାମକୁ ଗ୍ରାମବାସୀଙ୍କ ବିରୋଧ

ଜେସିବି ମେସିନ ପିଟି ଭାଙ୍ଗିଦେଲେ, ୨ ମାସରେ ୩ ଥର ଗୋଷ୍ଠୀବିବାଦ

କାଳିଆପାଣି : ପ୍ରଶାସନିକ ସ୍ଥାଣୁତା ପାଇଁ ଗାଁ ଗାଁ ମଧ୍ୟରେ ରହିଥିବା ବିବାଦ ତୁଟିଲାନି କି ସମାଧାନର ବାଟ ଫିଟିଲାନି। ବିବାଦୀୟ ସରକାରୀ ଜମିରେ ମନରେଗା ନାଁରେ ରାତିଅଧିଆ ମେସିନରେ ରାସ୍ତାକାମ ଜାରି ରହିଥିବା ଯୋଗୁଁ ପୁଣିଥରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସଂଘବଦ୍ଧ ଗ୍ରାମବାସୀ ରାତି ୧୨ଟାରେ କାର୍ଯ୍ୟସ୍ଥଳରେ ପହଞ୍ଚି ଏଠାରେ ନିୟୋଜିତ ଏକ ଜେସିବି ମେସିନକୁ ପିଟି ଭାଙ୍ଗି ଦେଇଛନ୍ତି। ଘଟଣାକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ବିବାଦ ଲାଗି ରହିଛି। ଜେସିବି ମେସିନ ମାଲିକ ଓ ଗ୍ରାମବାସୀଙ୍କ ପକ୍ଷରୁ ପରସ୍ପରଙ୍କ ବିରୋଧରେ ଥାନାରେ ୨ଟି ଅଭିଯୋଗ ପତ୍ର ଦାଖଲ ହୋଇଛି।‌ ପୁଲିସ୍ ଆଜି ଉଭୟପକ୍ଷକୁ ଡକାଇ ଏହାର ସମାଧାନ ଉଦ୍ୟମ ଜାରିରଖିଛି।

ସୁକିନ୍ଦା ତହସିଲ କାଙ୍କଡ଼ପାଳ ପଞ୍ଚାୟତ ଗିରିଙ୍ଗାମାଳି ରାଜସ୍ବ ମୌଜାର ଏକ ସରକାରୀ ଜମିରେ ମନରେଗା ଯୋଜନାରେ ରାସ୍ତାକାମକୁ ନେଇ ଗତ ଫେବ୍ରୁଆରି ମାସ ୧୮ ତାରିଖ ଓ ୨୩ ତାରିଖ ଦୁଇଦୁଇ ଥର ଗୋଷ୍ଠୀ ବିବାଦ ଉପୁଜିଥିଲା। ସେତେବେଳେ ଉଭୟପକ୍ଷ ମଧ୍ୟରେ ଆପୋସ ସମାଧାନ କରାଯାଇ ନିର୍ମାଣାଧୀନ ରାସ୍ତାକାମକୁ ଶେଷ କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଗତକାଲି ବିଳମ୍ବିତ ରାତି ଉକ୍ତ ପଡ଼ିଆରେ ଜେସିବି ମେସିନ ଚାଲୁଥିବା ନେଇ ଜଣାପଡ଼ିବା ପରେ ସଂଘବଦ୍ଧ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଜେସିବି ଭଙ୍ଗାରୁଜା କରିଥିଲେ।

ସୂଚନାଯୋଗ୍ୟ ଯେ, ଗାଁ ସୀମାନ୍ତ କାଦୁଅବନ୍ଦୀ ଗାଁର ଦଣ୍ଡ ଠାକୁରାଣୀ ମନ୍ଦିରଠୁ ଉତ୍ତର ଓ ପୂର୍ବ ଦିଗରେ ମହାଗିରି ପର୍ବତମାଳା ପର୍ଯ୍ୟନ୍ତ ଲମ୍ବିଥିବା ଟାଙ୍ଗରା ପଡ଼ିଆକୁ ସ୍ଥାନୀୟ କିଛି ବ୍ୟକ୍ତି ‌ଯୋଜନାବଦ୍ଧ ଭାବେ ଜବରଦଖଲ ଉଦ୍ୟମ କରୁଥିବା ନେଇ ଗିରିଙ୍ଗାମାଳି ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଆସିଛି। ସଂପୃକ୍ତ ବ୍ୟକ୍ତିମାନେ ରାତି ଅଧିଆ ଜେସିବି ମେସିନ ଲଗାଇ ହିଡ଼ ଦେଇ କ୍ଷେତ୍ର ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ବେଆଇନ ଦଖଲକୁ ନେଇ ସଂପୃକ୍ତ ଗୋଷ୍ଠୀ ଓ ଗ୍ରାମବାସୀଙ୍କ ମଧ୍ୟରେ ତିକ୍ତତା ବଢ଼ୁଥିବା ସହ ଛକାପଞ୍ଝା ଲାଗିରହିଛି। ଏହାର ବିଧିବଦ୍ଧ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ‌ଦାବିରେ ଗତ ନଭେମ୍ବର୯ ତାରିଖରେ ଗ୍ରାମବାସୀଙ୍କ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ଦିଆଯାଇଥିଲା। ତଥାପି ଏଠାରେ କାମ ଚାଲୁଥିବା ଜାଣି ଗ୍ରାମବାସୀ ସମାନ ପ୍ରସଙ୍ଗକୁ ନେଇ ଗତ ଜାନୁଆରି ୧୧ ତାରିଖରେ ଜିଲ୍ଲାପାଳଙ୍କୁ ଫେରାଦ୍ ହୋଇଥିଲେ।
ଜବରଦଖଲ ଦ୍ବାରା ଗାଁର ଚାରଣ ଭୂଇଁ ଓ ଖେଳ ପଡ଼ିଆ ଉଚ୍ଛେଦ ହେବ ବୋଲି ଗ୍ରାମବାସୀ ଦର୍ଶାଇଛନ୍ତି। ସେହିପରି ଜବରଦଖଲ ଦ୍ବାରା ଗିରିଙ୍ଗାମାଳି, କାଦୁଅବନ୍ଦୀ, ଚଟିକିପଶି, କରଡ଼ାଗାଡ଼ିଆ, ଝରଣାସାହି ଗାଁର ହଜାର ଗୃହପାଳିତଙ୍କ ପ୍ରାଣୀଙ୍କ ଚରାବୁଲା ପ୍ରଭାବିତ ହେବା ନେଇ ସାଧାରଣରେ ମତ ପ୍ରକାଶ ପାଇଛି। ଏଠାକାର ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ପରିବର୍ତ୍ତେ ଏହାକୁ ବ୍ୟକ୍ତିଗତ ସ୍ବାର୍ଥରେ ମନଇଛା ବ୍ୟବହାର କରାଯିବା କେତେଦୂର ଯଥାର୍ଥ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର