ପ୍ରଶାସନ ନ ଶୁଣିବାରୁ ନିଜ ଉଦ୍ୟମରେ ରାସ୍ତା ମରାମତି କଲେ ପେଡ଼ାକୋଣ୍ଡା ଗ୍ରାମବାସୀ

କାଲିମେଳା: ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ପ୍ରଶାସନ ନ ଶୁଣିବାରୁ କାଲିମେଳା ବ୍ଲକ୍‌ ଅନ୍ତର୍ଗତ ଉପାନ୍ତ ଗ୍ରାମ ପେଡ଼ାକୋଣ୍ଡାର ଆଦିବାସୀ ଅଧିବାସୀମାନେ ଆଜି ନିଜ ଉଦ୍ୟମରେ ଗାଁ ରାସ୍ତା ମରାମତି କରୁଛନ୍ତି।

ଗୁମକା ପଞ୍ଚାୟତର ଏମ୍‌ପିଭି-୧୫ ଗ୍ରାମରୁ ପେଡ଼ାକୋଣ୍ଡାକୁ ପଡ଼ିଥିବା ଏହି ରାସ୍ତାର ଦୈର୍ଘ୍ୟ ପ୍ରାୟ ଏକ କିଲୋମିଟର୍‌ ହେବ। ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଟ୍ରାକ୍ଟର୍‌ରେ ମୋରମ ଓ ମେଟାଲ୍‌ ଆଣି ଏହି ରାସ୍ତାରେ ବିଛାଇ ମରାମତି କାର୍ଯ୍ୟରେ ଲାଗିଛନ୍ତି।

ବିଶେଷକରି ବର୍ଷା ଦିନେ ଏହି ରାସ୍ତାରେ ଗମନାଗମନ କରିବାକୁ ଗ୍ରାମବାସୀମାନେ ଖୁବ୍‌ ଅସୁବିଧାରେ ପଡୁଥିଲେ। ରାସ୍ତା ଖରାପ ଥିବାରୁ ଗର୍ଭବତୀ ମହିଳା ଏବଂ ଅନ୍ୟ ଗୁରୁତର ରୋଗୀମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ଆମ୍ବୁଲାନ୍‌ସ୍‌ ଆସି ପାରୁ ନ ଥିବା କଥା ମଧ୍ୟ ସେମାନେ ସରପଞ୍ଚ ଓ ବ୍ଲକ୍‌ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ, ସେମାନେ ଏଥିପାଇଁ କୌଣସି ପଦକ୍ଷେପ ନେଇ ନ ଥିବା କଥା କୁହାଯାଉଛି।

ଏ ସଂକ୍ରାନ୍ତରେ କାଲିମେଳା ବ୍ଲକ୍‌ ଅଧ୍ୟକ୍ଷ ମାଲା ମାଢ଼ିଙ୍କୁ ପଚରାଯିବାରୁ ସେ କହିଲେ ଯେ, ବିଜୁ କେବିକେ ଯୋଜନାରେ ପେଡ଼ାକୋଣ୍ଡା ଗ୍ରାମ ରାସ୍ତା ନିର୍ମାଣ ନିମନ୍ତେ ପ୍ରସ୍ତାବ ଯାଇଛି। ମଞ୍ଜୁରି ମିଳିଲେ ଅବିଳମ୍ବେ ରାସ୍ତା ନିର୍ମାଣ ଆରମ୍ଭ କରାଯିବ।

ସମ୍ବନ୍ଧିତ ଖବର