ଲେବଲ କ୍ରସି˚ ଫାଟକ ନିର୍ମାଣ ହେଉନି : ବିପଦପୂର୍ଣ୍ଣ ଅବସ୍ଥ‌ାରେ ପାରିହେଉଛନ୍ତି ଗ୍ରାମବାସୀ

ଯୋଡ଼ା :  ଯୋଡା ବ୍ଲକର କୁଲଡୁମ ଓ କୋହ୍ଲହୁଣ୍ତୁଳା ଗ୍ରାମରେ ଯାଇଥିବା ରେଳପଥରେ ଲେବଲ କ୍ରସିଂ ନଥିବାରୁ କେତେବେଳେ ବି ଦୁର୍ଘଟଣାର ଆଶଙ୍କା ରହିଛି। ଖଣିଜ ପରିବହନ କରି କୋଟିକୋଟି ଟଙ୍କା ରାଜସ୍ବ ଗୋଟାଉଥିବା ରେଳ ବିଭାଗ ଗାଁ ଲୋକଙ୍କ ନିରାପତ୍ତା ପ୍ରତି ଆଖିବୁଜିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଦେଓଝର ଗ୍ରାମପଞ୍ଚାୟତର କୁଲଡୁମ-କୋହ୍ଲହୁଣ୍ତୁଳା ମୁଖ୍ୟ ରାସ୍ତା ଦେଇ ଯାଇଥିବା ରେଳଧାରଣାରେ ଲେବଲ କ୍ରସି˚ ଫାଟକ ନିର୍ମାଣ କରାଯାଇ ନଥିବାରୁ ଗ୍ରାମବାସୀ ବିପଦପୂର୍ଣ୍ଣ ଅବସ୍ଥ‌ାରେ ସେଥିରେ ପାରିହେଉଛନ୍ତି। ରେଳ ବିଭାଗର ଦକ୍ଷିଣ-ପୂର୍ବ ରେଳ ଲାଇନ ଏହି ଗ୍ରାମଦେଇ ଝାଡଖଣ୍ତକୁ ସ˚ଯୋଗ ହୋଇଛି। ଦୈନନ୍ଦିନ ଏହି ରାସ୍ତା ଉପରେ ଦେଓଝର, ମୂର୍ଗାବେଡା, ଅସେଇଁକଳା, ଜୁଗୁଡିଧର, ମହାଦେବନାସା ଗ୍ରାମ ସମେତ ଆଖପାଖ ଗ୍ରାମର ପ୍ରାୟ ୧୦ ହଜାର ଲୋକ ନିର୍ଭର କରିଥାନ୍ତି। ଛାତ୍ରଛାତ୍ରୀମାନେ ଏହି ବାଟ ଦେଇ ସ୍କୁଲକୁ ମଧ୍ୟ ଯାତାୟାତ କରିଥାନ୍ତି। ଟ୍ରେନ ଯିବା ସମୟରେ କୌଣସି ସୂଚନା ମଧ୍ୟ ମିଳିନଥାଏ।  ବାରମ୍ବାର ଏଠାରେ ଫାଟକ ନିର୍ମାଣ ପାଇଁ ରେଳ ବିଭାଗ ନିକଟରେ ଗ୍ରାମବାସୀ  ଦାବି କରୁଥିଲେ ହେଁ ଏ ଦିଗରେ ରେଳ ବିଭାଗ କୌଣସି ପଦକ୍ଷେପ ନେଉନାହିଁ।

ଏ ସମ୍ପର୍କରେ ଯୋଡା ବିଡିଓ ଅରୁଣ କୁମାର ମଲ୍ଲିକଙ୍କୁ ପଚାରିବାରୁ ରେଳ ବିଭାଗ ଉକ୍ତ ସ୍ଥାନରେ ଫାଟକ ନିର୍ମାଣ କରିବା ଆବଶ୍ୟକ ବୋଲି କହିଛନ୍ତି। ଗ୍ରାମବାସୀଙ୍କ ଲିଖତ ଅଭିଯୋଗ ପାଇଲେ ସେ ରେଳ ବିଭାଗ କୁ ଜଣାଇବେ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର