କଣ୍ଟାମାଳ : କଣ୍ଟାମାଳ ବ୍ଲକରେ ମନରେଗା ଓ ଆବାସ ଯୋଜନାରେ ଦୁର୍ନୀତି ଚରମ ସୀମାରେ ପହଂଚିଲାଣି। ଏବେ ପୁଣି ଯନ୍ତ୍ରୀଙ୍କ ଅଜାଣତରେ ହେଉଛି ନିମ୍ନମାନର କଂକ୍ରିଟ ରାସ୍ତା କାମ। ଯାହାକୁ ଗ୍ରାମବାସୀ ବନ୍ଦ କରିଛନ୍ତି। ଯନ୍ତ୍ରୀଙ୍କୁ ପଚାରିଲେ କହୁଛନ୍ତି ଫଟୋ ଦେଖି ବିଲ କରିବେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବରଗୋଛା ପଞ୍ଚାୟତ ସାନ ଝାଙ୍କରପାଲି ଗ୍ରାମରେ।

Advertisment

ଅଭିଯୋଗ ଅନୁସାରେ ସାନଝାଙ୍କରପାଲି ଗ୍ରାମର ୮୫ ଫୁଟ ରାସ୍ତାକୁ କଂକ୍ରିଟକରଣ କରିବାକୁ ଥିବା ବେଳେ ରବିବାର ତରତର ହୋଇ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ବରଗୋଛା ସରପଞ୍ଚ ଠିବୁରୁ ନାଏକ ଉକ୍ତ ରାସ୍ତାର ୪୫ ଫୁଟ ରାସ୍ତାକୁ କଂକ୍ରିଟ ରାସ୍ତା କରିବାକୁ କାର୍ଯ୍ୟରମ୍ଭ କରିଥିଲେ। ହେଲେ ନିମ୍ନମାନର ରାସ୍ତାକୁ ଭାଙ୍ଗି ସମୁଦାୟ ରାସ୍ତାକୁ କଂକ୍ରିଟ କରିବାକୁ ଗ୍ରାମବାସୀ ଅଡ଼ି ବସି କାର୍ଯ୍ୟବନ୍ଦ କରିଛନ୍ତି। ବିଭାଗୀୟ ଯନ୍ତ୍ରୀ ସ୍ମୃତି ରଞ୍ଜନ ସେଠୀ ଉଭୟ ବରଗୋଛା ଓ ଗୁଡଭେଲିପଦର ପଞ୍ଚାୟତର ଦାୟିତ୍ୱରେ ଥିବା ବେଳେ ଦୀର୍ଘଦିନରୁ କୌଣସି ପଞ୍ଚାୟତର ଉନ୍ନୟନ କାମର ତଦାରଖ କରୁ ନଥିବା ଯୋଗୁଁ ଉଭୟ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ବୋଲି ଅଭିଯୋଗ କରିଛନ୍ତି।

ଏ ସମ୍ପର୍କରେ ବିଭାଗୀୟ ଜେଇ ଶ୍ରୀ ସେଠୀଙ୍କୁ ପଚାରିବାରୁ ଉକ୍ତ କଂକ୍ରିଟ ରାସ୍ତା ନିର୍ମାଣ ହେଉଥିବା ସେ ଜାଣି ନାହାନ୍ତି। ଆସନ୍ତାକାଲି ଦେଖିବାକୁ ଯିବେ ଏବଂ ରାସ୍ତା ନିର୍ମାଣ ସମୟରେ ଯଦି ଫଟୋ ଉଠାଇଥିବେ ତେବେ ଫଟୋ ଦେଖି ବିଲ କରିବେ ବୋଲି କହିଛନ୍ତି। ସରକାରୀ ନିର୍ଦେଶ ଅନୁସାରେ ପ୍ରତ୍ୟେକ ନିର୍ମାଣ କାର୍ଯ୍ୟର ତଦାରଖ ପାଇଁ ପ୍ରତି ପଞ୍ଚାୟତରେ ଜଣେ ଲେଖାଏଁ ଯନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ହେଲେ ଯନ୍ତ୍ରୀ ଶ୍ରୀ ସେଠୀ ଉକ୍ତ କଂକ୍ରିଟ ରାସ୍ତା ନିର୍ମାଣ ସମୟରେ ଉପସ୍ଥିତ ନ ରହି ଫଟୋ ଦେଖି ବିଲ କରିବି ବୋଲି କହିବା କେତେଦୂର ଗ୍ରହଣୀୟ ତାହା ଜିଲ୍ଲା ପ୍ରଶାସନ ନିର୍ଦ୍ଧାରଣ କରିବ ବୋଲି ଉକ୍ତ ଗ୍ରାମର ଲୋକନାଥ ଷାଣ୍ଢ କହିଛନ୍ତି।