ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅଧୀନସ୍ଥ ମାକଡ଼ିଆ(କ) ବାଲି ସୈରାତରୁ ଲିଜ୍ଧାରୀ ବାଲି ଉତ୍ତୋଳନ କରୁଥିବା ବେଳେ ଏହାକୁ ମାକଡ଼ିଆ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ଆଜି ସନ୍ଧ୍ୟାରେ ମାକଡ଼ିଆ ଗାଁର ହଜାରରୁ ଅଧିକ ମହିଳା ଓ ପୁରୁଷ ସୈରାତରେ ପଶି ବିରୋଧ କରିଥିଲେ। ଗାଁ ସୁବର୍ଣ୍ଣରେଖା ନଦୀଗର୍ଭକୁ ଚାଲିଯିବ ଏବଂ ବିଶେଷ କରି ଚାରଣ ଜମି ଉଜୁଡ଼ିଯିବ ବୋଲି ଅଭିଯୋଗ କରି ୯ଟି ଟ୍ରାକ୍ଟର ଓ ୨ଟି ଜେସିବି ମେସିନ୍କୁ ଉଠାଇ ନେଇଛନ୍ତି।
ସୈରାତରେ ପଶି ୯ ଟ୍ରାକ୍ଟର, ୨ ଜେସିବି ନେଇଗଲେ
ଜଳେଶ୍ବର ମାକଡ଼ିଆ ଗାଁରେ ଚାପା ଉତ୍ତେଜନା
ସୁବର୍ଣ୍ଣରେଖା ନଦୀର ମାକଡ଼ିଆ(କ) ସୈରାତକୁ ସୁଶାନ୍ତ କୁମାର ସାହୁଙ୍କୁ ଲିଜ୍ ଦିଆଯାଇଛି। ସରକାରଙ୍କଠାରୁ ଅନୁମତି ପାଇ ଗତ ୩ ସପ୍ତାହ ଧରି ଲିଜ୍ଧାରୀ ଏହି ସୈରାତରୁ ରାତି ସମୟରେ ବାଲି ଉତ୍ତୋଳନ କରି ଆସୁଛନ୍ତି। ଆଜି ସନ୍ଧ୍ୟାରେ ଗାଁର ହଜାରରୁ ଅଧିକ ମହିଳା ଓ ପୁରୁଷ ଉକ୍ତ ସୈରାତରେ ପହଞ୍ଚି ବାଲି ଉତ୍ତୋଳନକୁ ତୀବ୍ର ବିରୋଧ କରିଥିଲେ। ଲିଜ୍ଧାରୀ ଯଦି ପ୍ରତିଦିନ ଦୁଇଶହରୁ ଊର୍ଦ୍ଧ୍ବ ଟ୍ରାକ୍ଟରରେ ବାଲି ଉତ୍ତୋଳନ କରିବେ, ମାକଡ଼ିଆ ଗାଁ ନଦୀଗର୍ଭକୁ ଚାଲିଯିବ ବୋଲି ସେମାନେ ଅଭିଯୋଗ କରିଥିଲେ। ସେହିପରି ମାକଡ଼ିଆ ଗାଁକୁ ସୁରକ୍ଷା ଦେବାପାଇଁ ପଥରବନ୍ଧ ଓ ସ୍ପର୍ ନିର୍ମାଣରେ ସରକାର ଖର୍ଚ୍ଚ କରିଥିବା କୋଟିକୋଟି ଟଙ୍କା ପାଣିରେ ପଡ଼ିଯିବ ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହାକୁ ନେଇ ବାଲି ଉତ୍ତୋଳନ କାମରେ ନିୟୋଜିତ କର୍ମଚାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ କଥା କଟାକଟି ହୋଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଖବରପାଇ ରାଇବଣିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଗଣ୍ଡଗୋଳ ନକରି ଥାନାକୁ ଆସି ଲିଖିତ ଅଭିଯୋଗ କର ବୋଲି କହିଥିଲୋ। ଏହାକୁ ନେଇ ଗ୍ରାମବାସୀ ତାତି ଯାଇଥିଲେ। ଗ୍ରାମବାସୀ ବାଲି ଉତ୍ତୋଳନ କାମରେ ଲାଗିଥିବା ୨ଟି ଜେସିବି ଓ ବାଲି ପରିବହନ କରୁଥିବା ୯ଟି ଟ୍ରାକ୍ଟରକୁ ମାକଡ଼ିଆ ହାଟପଦାକୁ ନେଇ ଯାଇଥିଲେ। ପରେ ଟ୍ରାକ୍ଟର ମାଲିକଙ୍କ ଠାରୁ ଲେଖାନେଇ ୯ଟି ଟ୍ରାକ୍ଟରକୁ ଛାଡ଼ି ଦେଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଆଲୋଚନା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନର ଅଧିକାରୀ ସେଠାକୁ ନ ଆସିବା ପର୍ଯ୍ୟନ୍ତ ଜେସିବିକୁ ଛାଡ଼ିବେ ନାହିଁ ବୋଲି ଗ୍ରାମବାସୀ ରୋକ୍ଠୋକ୍ ଜଣାଇଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି।