ବ୍ରହ୍ମପୁର: ସରକାରୀ ଯୋଜନାରେ ମାଗଣା ଚାଉଳ ପାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ହିତାଧିକାରୀ। ଗାଁକୁ ଯାତାୟାତ ପାଇଁ ରାସ୍ତା ଖଣ୍ଡିଏ ନଥିବାରୁ ପ୍ରାୟ ୨୦କିମି ଚାଲିଚାଲି ଯିବା ପରେ ମାଗଣା ଚାଉଳ ପାଉଛନ୍ତି ଗ୍ରାମବାସୀ। ବହୁ ବର୍ଷ ଧରି ରାସ୍ତା ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ପ୍ରଶାସନ କି ଜନପ୍ରତିନିଧି ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ଅଭିଯୋଗ କରିଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ଖମ୍ବାରୀ ପଞ୍ଚାୟତର ପିପଳାପଦର ଗ୍ରାମବାସୀ। ପିପଳାପଦର ଗାଁକୁ ସଂଯୋଗ ରାସ୍ତାଟିଏ ନାହିଁ। ଗ୍ରାମବାସୀ ଘାଟି ଡେଇଁ ବିଭିନ୍ନ ଅଞ୍ଚଳକୁ ଯାଉଛନ୍ତି। ଏପରିକି ଗାଁରେ କେହି ଅସୁସ୍ଥ ହେଲେ ଆମ୍ବୁଲାନ୍ସ ଯାଇପାରୁ ନାହିଁ। ଦୋଳା କରି ରୋଗୀଙ୍କୁ ନେବାକୁ ପଡ଼ୁଛି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଭଳି ବି ଅପହଞ୍ଚ ଇଲାକା ଅଛି ଓ ଦୁର୍ବିଷହ ଜୀବନ ବିତାଉଛନ୍ତି ଲୋକେ, ତାହା ପିପଳାପଦର ଗ୍ରାମର ଚିତ୍ର କହୁଛି।

Advertisment

ଦିଗପହଣ୍ଡି ବ୍ଲକ୍‌ ସଦର ମହକୁମା ଠାରୁ ପ୍ରାୟ ୩୦ କିମି ଦୂରରେ ଅବସ୍ଥିତ ପାହାଡ଼ ଘେରା ଗ୍ରାମ ପିପଳାପଦର। ଏହି ଗାଁରେ ପ୍ରାୟ ୫୦ ପରିବାର ବସବାସ କରୁଛନ୍ତି। ଗାଁକୁ ଭଲ ରାସ୍ତା ଖଣ୍ଡିଏ ନାହିଁ। ଏପରିକି ବିଶୁଦ୍ଧ ପାନୀୟ ଜଳ ମଧ୍ୟ ମିଳୁ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ନିର୍ବାଚନ ସମୟ ଆସିଲେ ନେତାମାନେ ଗାଁକୁ ଆସି ନାନା ପ୍ରତିଶ୍ରୁତି ଦେଇ ଭୋଟ୍‌ ନେଉଛନ୍ତି। କିନ୍ତୁ ନିର୍ବାଚନ ସରିବା ପରେ ନେତାଙ୍କ ଆଉ ଦେଖା ମିଳୁ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ପ୍ରତିମାସରେ ଗାଁରେ ରହୁଥିବା ପ୍ରତ୍ୟେକ ପରିବାରର ଜଣେ ଲେଖାଏଁ ସଦସ୍ୟ ଏକାଠି ହୋଇ ରାସନ କାର୍ଡ଼ରେ ମିଳୁଥିବା ମାଗଣା ଚାଳଉ ନେବା ପାଇଁ ଖମ୍ବାରୀ ପଞ୍ଚାୟତକୁ ଯାଇଥା’ନ୍ତି। ଏଥିପାଇଁ ସେମାନଙ୍କୁ ପ୍ରାୟ ୨୦କିମି ଘାଟି ରାସ୍ତା ଅତିକ୍ରମ କରିବାକୁ ପଡ଼ିଥାଏ। ସେହିପରି ଗାଁକୁ ଆମ୍ବୁଲାନ୍ସ ଆସିପାରୁ ନଥିବାରୁ ୩ଟି ପାହାଡ଼ ରାସ୍ତା ଦେଇ ଦୋଳାରେ ରୋଗୀଙ୍କୁ ବୋହି ପ୍ରାୟ ୫କିମି ବିଏଲ୍‌ଏନ୍‌ପୁର ପଞ୍ଚାୟତକୁ ଅଣାଯାଇଥାଏ। ସେଠାରୁ ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ ଡାକ୍ତରଖାନାକୁ ନିଆଯାଇଥାଏ ବୋଲି ଗ୍ରାମବାସୀ କହିଛନ୍ତି। ପିପଳାପଦର ଗ୍ରାମ ଖମ୍ବାରୀ ଗାଁ ପଞ୍ଚାୟତ ଅଧୀନରେ ରହିଛି। କିନ୍ତୁ ଖମ୍ବାରୀ ଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏହି ଗାଁ ପ୍ରାୟ ୨୦କିମି ଦୂରରେ ରହିଛି। ଏଣୁ ଗ୍ରାମବାସୀ ପ୍ରତିମାସରେ ଖମ୍ବାରୀ ଗାଁକୁ ଚାଉଳ ଆଣିବାକୁ ଯାଇଥାନ୍ତି। ହେଲେ ପିପଳାପଦର ଗାଁ ଠାରୁ ୫କିମି ଦୂରରେ ରହିଛି ବିଏଲ୍ଏନ୍‌ପୁର ପଞ୍ଚାୟତ। ପିପଳାପଦର ଗାଁକୁ ବିଏଲ୍‌ଏନ୍‌ପୁର ପଞ୍ଚାୟତରେ ସାମିଲ କରିବା ପାଇଁ ଗ୍ରାମବାସୀ ବହୁବାର ବ୍ଲକ୍‌ ପ୍ରଶାସନକୁ ଲିଖିତ ଆକାରରେ ଜଣାଇଛନ୍ତି। ହେଲେ ଏ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁ ନାହିଁ। ଫଳରେ ବାଧ୍ୟ ହୋଇ ଗ୍ରାମବାସୀ ପାହାଡ଼ ଘାଟି ରାସ୍ତା ପାରି ହୋଇ ପ୍ରତିମାସରେ ଚାଉଳ ନେବାକୁ ଯାଉଛନ୍ତି। ଯଦି ପଞ୍ଚାୟତ ପରିବର୍ତ୍ତନ ସମ୍ଭବ ହେଉ ନାହିଁ, ଏହି ଗାଁକୁ ଏକ ପକ୍କା ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀ ଗଞ୍ଜାମକୁ ୧ନମ୍ବର ଜିଲ୍ଲାରେ ପରିଣତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ସେ ଜନସାଧାରଣଙ୍କ ସହଯୋଗ କାମନା କରୁଛନ୍ତି। କିନ୍ତୁ ଜନସାଧାରଣଙ୍କୁ ମୌଳିକ ସୁବିଧା ସୁଯୋଗ ପ୍ରଦାନ କରିବା ଦିଗରେ ରାଜ୍ୟ ସରକାର ଓ ପ୍ରଶାସନିକ କଳ ଏକ ପ୍ରକାର ଆଖି ବୁଜି ଦେଇଛି ବୋଲି ପୂର୍ବତନ ରାଜ୍ୟ ବିଜେପି ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ ଅଭିଯୋଗ କରିଛନ୍ତି। ପିପଳାପଦର ଗ୍ରାମକୁ ସଂଯୋଗ କରିବା ପାଇଁ ତୁରନ୍ତ ରାସ୍ତା ତିଆରି କରିବାକୁ ସେ ଦାବି କରିଛନ୍ତି।