କଳାହାଣ୍ଡିରେ ଘର, କନ୍ଧମାଳରେ ଜୀବିକା: ରାସନ ପାଇଁ ୫ ପାହାଡ଼, ନଈ, ୨ ନାଳ ପାରି

ଅତିକ୍ରମ କରିବାକୁ ପଡ଼ୁଛି ୨୦ କିଲୋମିଟର, ଗାଡ଼ିରେ ଗଲେ ୭୦ କିଲୋମିଟରର ବୁଲାଣି ବାଟ

ତୁମୁଡ଼ିବନ୍ଧ, (ସନ୍ତୋଷ ଦାଶ): ଘର ହେଉଛି କଳାହାଣ୍ଡି, ଜୀବିକା ପାଇଁ ସେମାନଙ୍କୁ ପଡ଼ୋଶୀ କନ୍ଧମାଳ ଜିଲ୍ଲା ଉପରେ ନିର୍ଭର କରିବାକୁ ପଡ଼ୁଛି। ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକର ଚିତ୍ର ଊଣାଅଧିକେ ଏମିତି। ମାତ୍ର, ଏଠାରେ ବ୍ୟତିକ୍ରମ ହେଉଛି ରାସନ ସାମଗ୍ରୀ ପାଇଁ ଲୋକମାନଙ୍କୁ ୫ ପାହାଡ଼, ନଈ ଓ ୨ଟି ନାଳ ପାର୍‌ ହେବାକୁ ପଡ଼ୁଛି। ଏଥିପାଇଁ ୨୦ କିଲୋମିଟର ବାଟ ଚାଲିକି ଅତିକ୍ରମ କରିବାକୁ ପଡ଼ୁଛି। ଆଉ ଗାଡ଼ିରେ ଗଲେ ୭୦ କି.ମି. ବୁଲି ବୁଲି ଯିବାକୁ ପଡ଼ୁଛି। ପାଖାପାଖି ଗୋଟିଏ ପଞ୍ଚାୟତର ଲୋକମାନେ ଏହିଭଳି ଦୁର୍ଦ୍ଦଶା ମଧ୍ୟଦେଇ ଗତି କରୁଛନ୍ତି। ଏହି ପଞ୍ଚାୟତ ହେଉଛି, କନ୍ଧମାଳ ସୀମାନ୍ତ କଳାହାଣ୍ଡି ଜିଲ୍ଲାର ଏମ୍‌.ରାମପୁର ବ୍ଲକ୍ ଅନ୍ତର୍ଗତ ଉରର୍ଲାଦାନୀ ପଞ୍ଚାୟତ।

ପଞ୍ଚାୟତର ଗୋଟିଏ ଗାଁ ହେଉଛି ବୁଢାଦୁରିଙ୍ଗ। ବିଭିନ୍ନ ପଡ଼ାରେ ପାଖାପାଖି ୧୦୦ ପରିବାରର ୩୦୦ରୁ ଅଧିକ ଲୋକ ଏହି ଗାଁରେ ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରେ କିଛି ଆଦିବାସୀ ଅଛନ୍ତି ଏବଂ ଅଧିକାଂଶ ଅନୁସୂଚିତ ଜାତି ବର୍ଗର । ଗାଁର ସମସ୍ୟା ବଖାଣିଲେ ତାଲିକା ଲମ୍ବିଯିବ। ଗାଁରେ ପାନୀୟ ଜଳ, ରାସ୍ତା, ସ୍କୁଲ, ଜଳସେଚନ ବ୍ୟବସ୍ଥା ଏପରିକି ଅଙ୍ଗନବାଡ଼ି କେନ୍ଦ୍ରଟିଏ ମଧ୍ୟ ନଥିବା ଦେଖିବାକୁ ମିଳିଛି। କିନ୍ତୁ ଅଙ୍ଗନବାଡ଼ି ନାଁରେ ୬ ରୁ ୭ମାସରେ ଥରେ ଯେଉଁ ସାମଗ୍ରୀ ମିଳେ ତାହା ମଧ୍ୟ ପାଇବା ଦୁର୍ଲ୍ଲଭ। ଖାଦ୍ୟ ସୁରକ୍ଷା ଯୋଜନାରୁ ଗାଁର କିଛି ହିତାଧିକାରୀଙ୍କୁ ଚାଉଳ ମିଳେ। କିନ୍ତୁ ଚାଉଳ ଆଣିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ୫ଟି ପାହାଡ଼, ନଈନାଳ ପାର ହୋଇ ୨୦କି.ମି. ଚାଲି ଚାଲି ଯିବା ଯନ୍ତ୍ରଣାଦାୟକ ହୋଇପଡ଼େ। ଗାଁକୁ ଏ ପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇପାରି ନାହିଁ। ଗ୍ରାମବାସୀମାନେ ସୋଲାର୍ ଲାଇଟ୍ ପାଇଁ ଦରଖାସ୍ତ କରିଥିଲେ, ତଥାପି କେହି ଗୁରୁତ୍ୱ ଦେଇ ନଥିବା ଜଣାଇଛନ୍ତି।

ବୁଢାଦୁରିଙ୍ଗ ଗାଁରେ ପ୍ରକୃତ ହିତାଧିକାରୀ ଚୟନ ମଧ୍ୟ ଠିକ୍ ରୂପେ କରାଯାଇ ନଥିବାରୁ ବହୁ ବୃଦ୍ଧବୃଦ୍ଧା ଏବଂ ବିଧବା ମାନେ ଭତ୍ତାପାଇବାରୁ ବଂଚିତ ହୋଇ କାଳ କାଟୁଛନ୍ତି । ସେହିପରି ଗାଁରେ ସ୍କୁଲ ଖଣ୍ଡେ ନଥିବା ଯୋଗୁଁ ପ୍ରାଥମିକ ଶିକ୍ଷା ମଧ୍ୟ ସମ୍ଭବ ହୋଇ ପାରୁନାହିଁ । କଷ୍ଟେମଷ୍ଟେ କିଛି ପିଲା ପଡ଼ୋଶୀ କନ୍ଧମାଳ ଜିଲ୍ଲାରେ ନିଜ ନିଜର ବନ୍ଧୁ ପରିଜନଙ୍କ ଘରେ ରହି ପାଠ ପଢୁଥିବା ଶୁଣିବାକୁ ମିଳିଛି। ଏପରିକି ଜିଲ୍ଲା ସଦର ମହକୁମା ସହ ଯୋଗଯୋଗ ନଥିବାରୁ ଜୀବନଜୀବିକା ପାଇଁ ମଧ୍ୟ ଗ୍ରାମବାସୀ କନ୍ଧମାଳ ଜିଲ୍ଲା ଉପରେ ହିଁ ନିର୍ଭର କରୁଛନ୍ତି। କହିବାକୁ ଗଲେ ବୁଢାଦୁରିଙ୍ଗ ଗ୍ରାମ ଏବେ କଳାହାଣ୍ଡି ପାଇଁ ସାବତପୁଅ ପାଲଟି ଯାଇଛି।

ଗ୍ରାମବାସୀ ବସବାସ କରୁଥିବା ଜମିର ଘରବାରି ପଟ୍ଟା କାହାରି ବି ନାହିଁ କି ଜଙ୍ଗଲ ଜମି ପଟ୍ଟା ମଧ୍ୟ ହୋଇ ପାରିନାହିଁ। ନାମ ଲେଖାଇବା ବେଳେ ସ୍କୁଲ କର୍ତ୍ତୃପକ୍ଷ ଜାତି ପ୍ରମାଣପତ୍ର ମାଗୁଥିବା ବେଳେ ନିଜର ସ୍ଥାୟୀ ବାସିନ୍ଦା ହିସାବରେ କୌଣସି ପ୍ରମାଣପତ୍ର ନଥିବା ଯୋଗୁଁ ଜାତି ପ୍ରମାଣପତ୍ର ପାଇବା ମଧ୍ୟ କାଠିକର। ସେପଟେ ଘରପଟ୍ଟା ନଥିବା କାରଣରୁ ସରକାରଙ୍କ ଆବାସ ଯୋଜନା ଠାରୁ ଆରମ୍ଭ କରି ସବୁ ଯୋଜନା, ଯେମିତି ବୁଢାଦୁରିଙ୍ଗ ଗାଁ ପାଇଁ ସାତ ସପନ ପାଲଟି ଯାଇଛି। ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ସରକାର ସ୍ଥାନ ଚିହ୍ନଟ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଚୁପ୍‌ ରହିବା ଯୋଗୁଁ ଏ ଯାବତ୍ ଅଙ୍ଗନବାଡ଼ି କେନ୍ଦ୍ରଟିଏ ହୋଇ ପାରିନାହିଁ। ବର୍ଷ ବର୍ଷ ଧରି କଳାହାଣ୍ଡି ଜିଲ୍ଲା ପ୍ରଶାସନ ଦୃଷ୍ଟି ଆଢୁଆଳରେ ଥିବା ବୁଢାଦୁରିଙ୍ଗ ଗ୍ରାମକୁ କୌଣସି ସରକାରୀ ଅଧିକାରୀ ନଯିବା ଏବଂ କୌଣସି ରାଜନେତାଙ୍କ ପାଦ ନପଡିବା ଦୁଃଖ ଓ ପରିତାପର ବିଷୟ ବୋଲି ଗ୍ରାମବାସୀମାନେ ଜଣାଇଛନ୍ତି। ଫଳରେ ସେଠାକର ଅଧିବାସୀଙ୍କ ଭିତରେ ଥିବା ଅସନ୍ତୋଷର ନିଆଁ ପୁଞ୍ଜିଭୂତ ହେବାରେ ଲାଗିଛି। ତେଣୁ ଆଗାମୀ ପଞ୍ଚାୟତ ନିର୍ବାଚନ ଏବଂ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିବା ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧିତ ଖବର