ରାଜସ୍ୱ ଗ୍ରାମର ମାନ୍ୟତା ନାହିଁ ତ, ଭୋଟ୍‌ ବି ନାହିଁ: ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଲେ ଫଟାଟାଙ୍ଗର ଗ୍ରାମବାସୀ

 

ବାମରା : ରାଜସ୍ୱ ଗ୍ରାମର ମାନ୍ୟତା ନ ଦେଲେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସମ୍ପୂର୍ଣ୍ଣ ରୂପେ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କେଶାଇବାହାଲ ପଞ୍ଚାୟତ ଫଟାଟାଙ୍ଗର ଗ୍ରାମବାସୀ। ଗାଁରେ ପ୍ରାୟ ୯୦ ଭାଗ ଅଧିବାସୀ ଆଦିବାସୀ। ଉକ୍ତ ଗାଁଟି  ବର୍ତ୍ତମାନ ସୁଦ୍ଧା ଡଙ୍ଗାଜୋର ରାଜସ୍ୱ ଗ୍ରାମ ଅଧୀନରେ ରହିଥିବାବେଳେ, ଫଟାଟାଙ୍ଗର ଗ୍ରାମରେ ମୋଟ ୧୩୫ ପରିବାର ରୁହନ୍ତି। ଭୋଟର ସଂଖ୍ୟା ୩୭୨ ରହିଥିବାବେଳେ, ୬ ଶହରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଗ୍ରାମରେ କୌଣସି ପ୍ରକାର ଆବଶ୍ୟକ ସୁବିଧା ସୁଯୋଗ ନ ଥିବା ଗ୍ରାମବାସୀମାନେ ଅଭିଯୋଗ କରି ଆସୁଛନ୍ତି।

ରାଜସ୍ୱ ଗ୍ରାମ ଥିବା ଡଙ୍ଗାଜୋର ଗ୍ରାମର  ଜନସଂଖ୍ୟା ଫଟାଟାଙ୍ଗର ଗ୍ରାମର ଜନସଂଖ୍ୟାରୁ ବହୁତ କମ ଥିବା ଜଣାପଡିଛି । ଫଟାଟାଙ୍ଗର ଗ୍ରାମରେ ଭଲ ରାସ୍ତା ନାହିଁ। ଆଲୋକ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ପରି ସୁବିଧାରୁ ବି ବଞ୍ଚିତ। ରାଜସ୍ୱ ଗ୍ରାମର ମାନ୍ୟତା ଦାବି ନେଇ ଗତ ୨୦୦୧ ମସିହାରୁ ଲଢେ଼ଇ କରି ଆସୁଥିଲେ ହେଁ ଏ ଯାଏଁ ପ୍ରଶାସନର ପ୍ରତିଶ୍ରୁତି ପାଣିର ଗାଁର ସଦୃଶ୍ୟ ହୋଇଛି। ସବୁ ପ୍ରକାର ଆବଶ୍ୟକ କାଗଜପତ୍ର ଦାଖଲ କରାଯାଇଥିଲେ ସୁଦ୍ଧା ଏ ଯାଏଁ ଜାଣିଶୁଣି କେତେକ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ସ୍ଥାନୀୟ ପ୍ରଶାସନକୁ ପ୍ରଭାବିତ କରୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ଆଗରୁ ସମାନ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରି ଭୋଟ ବର୍ଜନର ଚେତାବନୀ ଦିଆଯାଇଥିଲା। ସେ ସମୟରେ ବ୍ଲକ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସମେତ ନିଜେ ତହସିଲଦାର ଗାଁକୁ ଯାଇ ବୈଠକ କରିଥିଲେ। ବୈଠକରେ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏ ଯାଏଁ ପ୍ରତିଶ୍ରୁତି ପୂରଣ ହୋଇନି।

ବୁଧବାର ଅପରାହ୍‌ଣରେ ସ୍ଥାନୀୟ ସ୍କୁଲ ପ୍ରାଙ୍ଗଣରେ ସମାଜସେବୀ ଦିନବନ୍ଧୁ ମାଝିଙ୍କ ନେତୃତ୍ବରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ମହୁଲପାଲି ଥାନା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବିପତ୍ରରେ ଫଟାଟାଙ୍ଗର ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ କରା ନ ଯିବାରୁ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରାଯାଉଛି ବୋଲି ଦର୍ଶାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଅଶୋକ ଛତ୍ରିଆ, ସୁନ୍ଦର କିଷାନ, ପିଟର କେର୍କେଟା, ଜଗବନ୍ଧୁ ଛତ୍ରିଆ, ମୋତିଲାଲ ବାଘ, ଯଶୋବନ୍ତି ଡୁଙ୍ଗଡୁଙ୍ଗ, ମନୋଜ ଡୁଙ୍ଗଡୁଙ୍ଗ, ନକୁଳ କିଷାନ, ରାଜୁ କିଷାନ,ସ୍ୱର୍ଣ୍ଣ ଲୁହା, ସୁଶୀଳା ଡୁଙ୍ଗଡୁଙ୍ଗ, ଦମୟନ୍ତୀ ଛତ୍ରିଆ, ଲଳିତା ମାଝି, ଇନ୍ଦୁମତି କିଷାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର