କରୋନା ଚିତ୍ର: କେଉଁଠି ସ୍ୱାଗତ ତ ଆଉ କେଉଁଠି ଘୃଣା!

ଦେବଗଡ଼ରେ ଶିକ୍ଷକଙ୍କୁ ପାଛୋଟି ନେଲେ ଗ୍ରାମବାସୀ
୨ ପଜିଟିଭ୍ ଚିହ୍ନଟ ପରେ ପୋଲରାଜପୁର ଗ୍ରାମବାସୀଙ୍କୁ ଘୃଣା, ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

ଦେବଗଡ଼ : କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେଲେ ଗାଁ ଲୋକ। ଜିଲ୍ଲାର ତିଲେଇବଣି ବ୍ଲକ୍‌ର ସଡୋ ସଂଗରୋଧ କେନ୍ଦ୍ରରେ କାର୍ଯ୍ୟରତ ଶିକ୍ଷକ କରୋନାରୁ ସୁସ୍ଥ ହୋଇ ଫେରିବା ପରେ ଗାଁ ଲୋକେ ତାଙ୍କୁ ଘଣ୍ଟ ଓ ହୁଳୁହୁଳି ଦେଇ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। ମେ’ ୨୫ ତାରିଖରେ ସଂପୃକ୍ତ ଶିକ୍ଷକ କରୋନାରେ ଆକ୍ରାନ୍ତ ଜଣାପଡ଼ିବା ପରେ ତାଙ୍କୁ ଚିକିତ୍ସା ପାଇଁ ଦେବଗଡ଼ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା। ସେ ଘରକୁ ସୁସ୍ଥ ହୋଇ ଫେରିବା ପରେ ଗାଁ ଲୋକ ଓ ଲୋକ ପ୍ରତିନିଧି ଏକାଠି ହୋଇ ଶିକ୍ଷକଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି। ଅନ୍ୟପ‌ଟେ ସେହି ସଂଗରୋଧ କେନ୍ଦ୍ରରେ କାର୍ଯ୍ୟରତ କରୋନା ଯୋଦ୍ଧା ଆଶାକର୍ମୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଥିଲେ। ସେ ସୁସ୍ଥ ‌ହେବାପରେ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଲିଟେକ୍‌ନିକ୍‌ସ୍ଥିତ କୋଭିଡ ମେଡିକାଲ ପରିସରରେ ତାଙ୍କୁ ସମ୍ମାନିତ କରାଯାଇଛି। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମନୋଜ ଉପାଧ୍ୟାୟ, ଡିପିଏମ୍‌ ଉମେଶ ପ୍ରସାଦ ଷଡ଼ଙ୍ଗୀ, ହସ୍‌ପିଟାଲ୍‌ ମ୍ୟାନେଜର୍‌ ଯତୀନ ଭଇଁଷାଙ୍କ ସମେତ ମେଡିକାଲ କର୍ମଚାରୀମାନେ ଉପସ୍ଥିତ ଥିଲେ।

ପଜିଟିଭ୍ ଚିହ୍ନଟ ପରେ ପୋଲରାଜପୁର ଗ୍ରାମବାସୀଙ୍କୁ ଘୃଣା, ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ
ପାତ୍ରପୁର : କ‌ରୋନା ମହାମାରୀ ଗ୍ରାମାଞ୍ଚଳରେ ସାମାଜିକ ସନ୍ତୁଳନକୁ ବିଗାଡ଼ି ଦେଇଛି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ପୋଲରାଜପୁର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏକ ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ଏହି ଗ୍ରାମର ଦୁଇଜଣ ଅନ୍ତେବାସୀଙ୍କ ପଜିଟିଭ୍ ଚିହ୍ନଟ ହୋଇଥିଲା। ଏହି ଘଟଣା ପରେ ଗ୍ରାମବାସୀଙ୍କୁ ପାଖ ଗାଁର ଲୋକେ ଘୃଣା କରିବା ସହ ଅଣଦେଖା କରିବା ଆରମ୍ଭ କରିଛନ୍ତି। ଆଉ ପରିବାଠାରୁ ଆରମ୍ଭ କରି ଔଷଧ, ତେଜରାତି ଭଳି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ସେମାନଙ୍କୁ ବ୍ୟବସାୟୀମାନେ ଦେଉନାହାନ୍ତି।

ଏହାକୁ ନେଇ ପୋଲରାଜପୁର ଗ୍ରାମବାସୀ ଆଜି ପ୍ରତିବାଦ କରିବା ସହ ରାଜପୁର-ଡ଼ାହାଣିବଟ ରାସ୍ତାକୁ ୩ ଘଣ୍ଟା ଧରି ଅବ‌ରୋଧ କରିଥିଲେ। ଫଳରେ କୌଣସି ଯାନବାହନ ଯାତାୟାତ କରି ପାରି ନଥିବା ବେଳେ ଡ଼ୁଙ୍ଗୁରୁଗୁଡ଼ା, ଖଇର ଓ ସୁରଙ୍ଗି ପ୍ରମୁଖ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରକୁ ଯାଉଥିବା ଏଏନ୍ଏମ୍, ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ଅପେକ୍ଷା କରି ରହିବାକୁ ବାଧ୍ୟ ହୋଇଥି‌ଲେ। ସରପଞ୍ଚ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ତାଙ୍କ କଥା ଶୁଣି ନଥିଲେ।

ପରିସ୍ଥିତି ଅଣାୟତ୍ତ ହେବାରୁ ପାତ୍ରପୁର ତହସିଲଦାର ଡ.ଶ୍ରୀନିବାସ ବେହେରା ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବାକୁ ଆଖପାଖ ଅଞ୍ଚଳର ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦେବା ସହ ଏହାକୁ ଅମାନ୍ୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ତାଗିଦ୍ କରିଥିଲେ। ପରେ ପୋଲରାଜପୁର ଗ୍ରାମବାସୀ ଅବ‌ରୋଧରୁ ହଟିଥିଲେ।

ଅନ୍ୟପକ୍ଷରେ ଗ୍ରାମକୁ ବର୍ତ୍ତମାନ ସୁଦ୍ଧା କଣ୍ଟେନ୍‌ମେଣ୍ଟ୍ ଜୋନ୍ କରାଯାଇନାହିଁ। ଆଂଶିକ ଲକ୍‌ଡାଉନ୍ ଜାରି ରହିଛି। ଗ୍ରାମକୁ ସାନିଟାଇଜ୍ କରାଯିବା ସାଙ୍ଗକୁ କରୋନା ଲକ୍ଷଣ ‌ସନ୍ଦେହ କରାଯାଉଥିବା ବ୍ୟକ୍ତିଙ୍କଠାରୁ ଅଙ୍ଗନବାଡ଼ି କର୍ମୀ ଓ ସ୍ବାସ୍ଥ୍ୟକର୍ମୀ ସ୍ବାବ୍ ନମୁନା ସଂଗ୍ରହ କରିଛନ୍ତି ବୋଲି ତହସିଲଦାର ଶ୍ରୀ ବେହେରା କହିବା ସହ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର