ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବିଚ୍ଛିନ୍ନାଞ୍ଚଳ ତଥା ସ୍ବାଭିମାନ ଅଞ୍ଚଳରେ ପ୍ରଥମ କରି ଜଣେ ପ୍ରଶାସକଙ୍କ ପାଦ ପଡିଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଚିତ୍ରକୋଣ୍ଡା ବ୍ଲକର ବିଡିଓ ଲରିମନ ଖରସେଲ ବିଚ୍ଛିନ୍ନାଞ୍ଚଳର ଅତି ଦୁର୍ଗମ ଧୂଳିପୁଟ ପଞ୍ଚାୟତରେ ପହଞ୍ଚିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନକ୍ସଲ ଗଡ଼ ଭାବେ ପରିଚିତ ବିଚ୍ଛିନ୍ନାଞ୍ଚଳରେ ବିଡିଓଙ୍କୁ ଅତି ନିକଟରୁ ଦେଖି ଲୋକେ ତାଙ୍କୁ ସ୍ବାଗତ କରିବା ସହ ଖୁସିରେ ନାଚି ଉଠିଥିଲେ।
ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ଏହି ବିଚ୍ଛିନ୍ନାଞ୍ଚଳରେ ରହିଛି ୯ଟି ପଞ୍ଚାୟତ। ଏଥି ମଧ୍ୟରୁ ୭ଟି ପଞ୍ଚାୟତ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ପଞ୍ଚାୟତଗୁଡିକୁ ଏହା ପୂର୍ବରୁ କୌଣସି ପ୍ରଶାସନିକ ଅଧିକାରୀ ଯାଇ ନ ଥିଲେ। ଗତ ୨୦୧୧ରେ ତତ୍କାଳୀନ ଜିଲ୍ଲାପାଳ ଆର.ଭୀନିଲକ୍ରିଷ୍ଣା ବିଚ୍ଛିନ୍ନାଞ୍ଚଳ ଗସ୍ତରେ ଯାଇଥିବାବେଳେ ନକ୍ସଲମାନେ ତାଙ୍କୁ ଅପହରଣ କରି ନେଇଥିଲେ। ଏହି ଘଟଣା ସେତେବେଳେ ସାରା ଦେଶରେ ଚହଳ ପକାଇଥିଲା। ଅପହୃତ ହେବା ପୂର୍ବରୁ ସେ କେବଳ ବିଚ୍ଛିନ୍ନାଞ୍ଚଳର ଅତି ନିକଟସ୍ଥ ପଞ୍ଚାୟତଗୁଡିକ ବୁଲିଥିଲେ। କିନ୍ତୁ ନୂତନ ଭାବେ ଚିତ୍ରକୋଣ୍ଡା ବ୍ଲକରେ ବିଡିଓ ଦାୟିତ୍ବ ନେଇଥିବା ଲରିମନ ଖରସେଲ ବିଚ୍ଛିନ୍ନାଞ୍ଚଳର ଦୁର୍ଗମ ପଞ୍ଚାୟତ ଧୂଳିପୁଟରେ ପହଞ୍ଚିଥିଲେ। ପ୍ରଥମେ ସେ ଚିତ୍ରକୋଣ୍ଡାରୁ ପ୍ରାୟ ୩୦ କିଲୋମିଟର ମାଳିଗୁଡା ପର୍ଯ୍ୟନ୍ତ ବହୁ କଷ୍ଟରେ ଯିବା ପରେ ସେଠାରୁ ନାଳ ପାର ହୋଇ ପ୍ରାୟ ୭ କିଲୋମିଟର ବାଟ ପାଦରେ ଚାଲି ଚାଲି ଧୂଳିପୁଟ ପଞ୍ଚାୟତରେ ପହଞ୍ଚିଥିଲେ। ରାସ୍ତା ଆବୁଡା ଖାବୁଡା ରହିଥିବାରୁ ତାଙ୍କୁ ପ୍ରାୟ ତିନି ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଲାଗିଥିଲା।
ଧୂଳିପୁଟରେ ପ୍ରଥମ ଥର ପାଇଁ ଜଣେ ବିଡିଓଙ୍କୁ ଦେଖି ଲୋକେ ହତବାକ ହୋଇଯାଇଥିଲେ। ଏହି ଅଞ୍ଚଳରେ ଦିନରେ ମାଓବାଦୀ ବିଚରଣ କରୁଥିବା ଦେଖିବାକୁ ମିଳନ୍ତି। ତେବେ ମାଓବାଦୀଙ୍କୁ ଭୟ ନକରି ବିଡିଓ େସମାନଙ୍କ ନିକଟକୁ ଆସିଥିବାରୁ ଲୋକେ ଦଳ ବାନ୍ଧି ତାଙ୍କୁ ଦେଖିବାକୁ ଆସିଥିଲେ ଏବଂ ଖୁସିରେ ନାଚିଥିଲେ। ବିଡିଓ ମଧ୍ୟ ଲୋକଙ୍କ ସହ ପାଦରେ ପାଦ ମିଳାଇ ନାଚିଥିଲେ। ପରେ ଲୋକେ ବିଡିଓଙ୍କ ପାଖରେ ନିଜର ଦୁଃଖ ବଖାଣିଥିଲେ। ବିଡିଓ ମଧ୍ୟ ଲୋକଙ୍କ ସହ ବିଭିନ୍ନ ଗ୍ରାମ ବୁଲି ସମସ୍ୟାଗୁଡ଼ିକୁ ଅତି ନିକଟରୁ ଦେଖିଥିଲେ ଏବଂ ଖୁବଶୀଘ୍ର ସେମାନଙ୍କ ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ।
ଧୂଳିପୁଟ ପଞ୍ଚାୟତରେ ନା ପାନୀୟ ଜଳର ସୁବିଧା ରହିଛି ନା ଲୋକଙ୍କ ଚିକିତ୍ସା ପାଇଁ ଆଖପାଖରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଟିଏ ଅଛି। ଲୋକେ ଭଗବାନଙ୍କ ଭରସାରେ ଦିନ କାଟୁଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟ ରହିଥିଲେ ମଧ୍ୟ ପିଇଓଙ୍କ ଦେଖା ମିଳେ ନାହିଁ। ବାର୍ଦ୍ଧକ୍ୟ ଭତ୍ତା ହେଉ ବା ପିଡିଏସ୍ ଚାଉଳ କେବେ ମିଳେ ଲୋକେ ଜାଣନ୍ତି ନାହିଁ। ଏଠାକୁ ଚାରିଚକିଆ ଯାନ ଯିବା ଅସମ୍ଭବ। ତେଣୁ ନିକଟସ୍ଥ ପଞ୍ଚାୟତରେ ପିଡିଏସ ଚାଉଳ ପ୍ରଦାନ କରାଯାଉଥିବା ଜଣାପଡିଛି। ମାସ ମାସ ଧରି ଲୋକେ ପେନସନ ପାଉନଥିବା ଅଭିଯୋଗ କରିଛନ୍ତି। ଏଠି ଲୋକେ କିଭଳି ଶୋଚନୀୟ ଅବସ୍ଥାରେ ଗୁଜୁରାଣ ମେଣ୍ଟାଉଛନ୍ତି ତାହା ବିଡିଓଙ୍କୁ ଦେଖାଇଥିଲେ। ଗ୍ରୀଷ୍ଣ ଋତୁରେ ଲୋକେ ମାଇଲ ମାଇଲ ବାଟ ଚାଲି ଚୁଆରୁ ପାଣି ଆଣୁଥିବା ଦେଖାଇଥିଲେ। ଇନ୍ଦିରା ଆବାସ, ଶୌଚାଳୟ, ଜାତୀୟ ପରିବାର ମଙ୍ଗଳ ଯୋଜନା ଏଭଳି କୌଣସି ସରକାରୀ ଯୋଜନା ଏଠାରେ ଏବେ ବି ଅପହଞ୍ଚ ହୋଇ ରହିଛି। ଏତେ ସମସ୍ୟା ଦେଖି ବିଡିଓ ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ। ଆଗକୁ ଏହି ଅଞ୍ଚଳଗୁଡିକରେ ବିକାଶ ଧାରା ଚାଲୁ ରହିବ ବୋଲି କହିଥିଲେ।
ବିଡିଓ ଖରସେଲଙ୍କ ଏଭଳି ସାହସିକ ପଦକ୍ଷେପ ଏବେ ସାରା ରାଜ୍ୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ନିଜ ଜୀବନକୁ ପାଣି ଛଡାଇ ଦୁର୍ଗମ ନକ୍ସଲ ପ୍ରବଣ ଅଞ୍ଚଳକୁ ଗସ୍ତ କରିବା ଏକ ବୀରତ୍ବପୂର୍ଣ୍ଣ କାମ ବୋଲି ଦର୍ଶାଇ ସମସ୍ତେ ତାଙ୍କ ପ୍ରଶଂସାରେ ଶତମୁଖ। ତେବେ ବିଡିଓଙ୍କ ଏହି ଗସ୍ତ ପରେ ବିଚ୍ଛିନ୍ନାଞ୍ଚଳରେ ବିକାଶର ଧାରା କେତେ ଆଗେଇ ପାରୁଛି ତାହା ଦେଖିବାକୁ ବାକି ରହିଲା।