କୋରାପୁଟ: କାହାକୁ କୋଲାବ ଜଳଭଣ୍ଡାର ସୁଖ ଦେଇଥିବାବେଳେ କାହାକୁ ଦେଇଛି ଅସରନ୍ତି ଦୁଃଖ। ଏହି ଜଳଭଣ୍ଡାର ନିକଟରେ ରହିଥିବା ବଡ଼କେରେଙ୍ଗା, ଦେବୀଘାଟ ଓ ପେଟା ପଂଚାୟତର ୧୦ରୁ ଅଧିକ ଗାଁରେ ଜଳାଭାବ ଯୋଗୁଁ ଗ୍ରାମବାସୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । ଏଥି ସହିତ ଗାଁକୁ ରାସ୍ତାର ଅଭାବ ସମସ୍ତଙ୍କୁ ଅସୁବିଧାରେ ପକାଇଛି ।

Advertisment

ବଡକେରେଙ୍ଗା ପଂଚାୟତ ଅନ୍ତର୍ଗତ କୋଲାବ ନଗରରେ ମଧ୍ୟ ଜଳ ସମସ୍ୟା ସାଙ୍ଗକୁ ଇଣ୍ଟରନେଟ ବ୍ୟବହାର କରିବା ଲାଗି ଟେଲିକମ ସିଗନାଲ ନଥିବା ଯୋଗୁଁ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାଇଛନ୍ତି । ଅନେକ ବର୍ଷ ଧରି କୋଲାବ ନଗରରେ ହସ୍ପିଟାଲ ଥାଇ ତିନୋଟି ପଂଚାୟତର ଲୋକଙ୍କୁ ଯୋଗାଇ ଆସିଥିଲେହେଁ ତାକୁ କୋରାପୁଟ ଜିଲ୍ଲା ସଦର ମହକୁମାକୁ ସ୍ଥାନାନ୍ତର କରାଯାଇଛି । ଏହା ଫଳରେ ଦେହ ଖରାପ ହେଲେ ଏହି ତିନୋଟି ପଂଚାୟତର ଲୋକଙ୍କୁ ଜୟପୁର କିମ୍ବା କୋରାପୁଟ ଯିବାକୁ ପଡୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

publive-image

ଆଜି କୋଲାବ ଡ୍ୟାମ ସାଇଟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଗାଁରୁ ଆସିଥିବା ପୁରୁଷ, ମହିଳା ଓ ଛାତ୍ରଛାତ୍ରୀ ପଞ୍ଚାୟତ କାର୍ଯ୍ୟାଳୟ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଦାବିପତ୍ର ପଂଚାୟତରେ ଦେବା ସହ ଯୁବକ ମାନେ କୋରାପୁଟ ଆସି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଆସନ୍ତା ମାସେ ଦୁଇମାସ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଆନ୍ଦୋଳନକାରୀ ସୁଚାଇ ଦେଇଛନ୍ତି। ମୃତ୍ୟୁଞ୍ଜୟ ବାରିକ, ଉର୍ମିଳା ପାଣି , ଅମର ଖରାଙ୍କ ସହ ଶତାଧିକ ମହିଳା ଶୋଭାଯାତ୍ରାରେ ଉପସ୍ଥିତ ଥିଲେ।